#ଶୁଣ_ଈଶ୍ୱର_ଅନୁରୋଧ
********************
ମାଇଲ ମାଇଲ ଧରି ବ୍ୟାପିଛି
କଂକ୍ରିଟର ଜଙ୍ଗଲ…ନଡ଼ା ଟିକେ ଦିଶୁନି
ଧାନ ଗଜା ସନ୍ଧାନରେ ବାପା ଯାଇଥିଲା ଯେ
ଏ ଯାଏଁ ଫେରିନାହିଁ ।
ବସା ପାଇଁ ଟିକେ କାଠି, କୁଟା ଲୋଡ଼ା
ସେତକ ସଂଗ୍ରହ କରିବାକୁ ଗଲା ପରଠାରୁ
ମୁଣ୍ଡିଆ ପାହାଡ଼ରେ ନିଆଁ ଆଉ ଲିଭୁନାହିଁ
ଜଙ୍ଗଲ କଥା ନ’କହିବା ଭଲ,
ମା’ ବି ଆଉ ଫେରିନାହିଁ ।
— ” କୁନି ଚଢ଼େଇରେ..!!
ଆଖିରେ ତୋର ଲୁହ
ମୁଁ କଣ କରିଥାନ୍ତି କହ ? ”
ପେଟରେ ଧରି ଭୋକ
ଅର୍ଦ୍ଧଦଗ୍ଧ କୁନି ଡେଣାରେ ଆସିଛୁ ଉଡ଼ି ପଥ
ତୋ ଖେଳପଡ଼ିଆର ସାଙ୍ଗ ସାଥୀଙ୍କୁ ଦେଖିଛି ମୁଁ
କାଲି ରାତିପାଖରୁ ଲୋଟୁଛନ୍ତି ମାଟି ଉପରେ
ବୁଢ଼ା ତାଳଗଛ ସାଜିଛି ପାଉଁଶ ଭୁତ !
ମୁଣ୍ଡ ଉପରେ ସବୁଠି ଡହଡହ ଖରା
କେଉଁଠିକୁ ଯିବୁ କହ !!
କୁନି ଚଢେଇ ରେ…
ପିଇ ଦେ ଗିନାରୁ ଟିକିଏ ଜଳ
କହ ମୋ ଭିତରେ କେମିତି ଲିଭିବ
ତୋ ପ୍ରତି ଅତ୍ୟାଚାରର ଆତ୍ମଦାହ !
ଜଙ୍ଗଲ, ପାହାଡ଼, ନଦ, ନଦୀକୁ ଗିଳି
ଜୀଅନ୍ତା ପ୍ରେତଙ୍କ ପେଟ ଓ ମନର ଭୋକକୁ
ତଥାପି ମୋକ୍ଷ ମିଳୁନାହିଁ !
ଏ ଆକାଶ ଯା’ର ମାଟି ବି ତା’ର
ତୋତେ କିଏ ବେଦଖଲ୍ କଲା
ସାମ୍ରାଜ୍ୟରୁ ତୋର ?
ଏକାଙ୍ଗ ଚକ୍ରବର୍ତ୍ତୀ ତୁ ମାଟି ଆକାଶର
ଏ ମାଟିରୁ ତୋତେ ବିତାଡ଼ିତ କରି
ସର୍ବକାଳୀନ ଗର୍ହିତ ପାପ କରିଛି ମଣିଷ
ସେ ଦଣ୍ଡ ଭୋଗିବାର ହକଦାର ।
କହ ତୋ ନିଷ୍ପାପ ମନର ଈଶ୍ୱରଙ୍କୁ
ସେ ଆଜି ତତଲା ନିଶ୍ୱାସରେ ଜାଳିଦିଅନ୍ତୁ
ଗୋଟି ଗୋଟି ଜୀଅନ୍ତା ପ୍ରେତ,
ଧ୍ବଂସ କରିଦିଅନ୍ତୁ କଂକ୍ରିଟର ରାକ୍ଷସ !
ପ୍ରତ୍ୟେକ ମଣିଷଙ୍କ ବଦଳରେ କଅଁଳି ଉଠୁ ବୃକ୍ଷଟିଏ ,
ସମଗ୍ର ମାଟି ପରିବର୍ତ୍ତିତ ହେଉ ଜଙ୍ଗଲରେ
ପଶୁ ପକ୍ଷୀଙ୍କ ଅମୃତମୟ କଳରବ
ଏ ସୃଷ୍ଟିରେ ନୂତନ ଆଶାର ସଞ୍ଚାର କରୁ
ମଣିଷଙ୍କ ଘୃଣ୍ୟ କୋଳାହଳ ବଦଳରେ ।
ଦେଖ କେଡ଼େ ସୁନ୍ଦର ଏଇ ମାଟି…
ହେ ଈଶ୍ବର…
ତୁମ କାରାଗାରରେ ଏ ମଣିଷଙ୍କୁ
ଆଜୀବନ କଏଦ୍ କର ।
ଅବା ବଣ,ଜଙ୍ଗଲ,ବୃକ୍ଷ,ପଶୁ,ପକ୍ଷୀଙ୍କ ଭିତରେ
ସେମାନଙ୍କ ଅଧା ଆୟୁଷକୁ ବାଣ୍ଟିଦେଇ
ସର୍ତ୍ତରେ ଏ ମାଟି ଭୋଗିବାକୁ ଛାଡିଦିଅ,
ନଚେତ, ଜମାନତ୍ ନ’ ମିଳୁ ସେ ଆତ୍ମାମାନଙ୍କୁ
ଆଉ ଥରେ ମଣିଷ ହେବାର ।
#ଜ୍ଞାନେନ୍ଦ୍ର ପଣ୍ଡା..✍️