“ଉପହାସ”

ରେଲୱେ ଷ୍ଟେସନରେ ଦଶ ବର୍ଷର ବାଳକଟେ କିଛି ଖବର କାଗଜ ଆଉ ପତ୍ରିକା ଧରି ବିକ୍ରି କରୁଥାଏ । ପିଲାଟିର ଭଦ୍ର ବ୍ୟବହାର , ମାର୍ଜିତ କଥା ବାର୍ତ୍ତା , ଖବର କାଗଜ ଓ ପତ୍ରିକାରେ ଥିବା ଘଟଣାର ଚମତ୍କାର ଉପସ୍ଥାପନା ଶୈଳୀରେ ଯାତ୍ରୀ ପ୍ରଭାବିତ ହେଉଥାନ୍ତି । ଷ୍ଟେସନରେ ଥିବା ଯାତ୍ରୀ କ୍ଷଣେ ଅଟକି ଯାଇ କିଛି ପତ୍ରିକା ,ଖବର କାଗଜ କିଣି ପିଲାଟିକୁ କିଛି ଟଙ୍କା ସହ ଆଶୀର୍ବାଦ ମଧ୍ୟ ଦେଉଥାନ୍ତି ।

ପିଲାଟି ସେଇ ଷ୍ଟେସନରେ ଛୋଟୁ ପେପର ବାଲା ନାମରେ ପରିଚିତ । ଛୋଟୁର ଜନ୍ମ ଷ୍ଟେସନର ସାଇଡ ରେ ଥିବା ଏକ ପରିତ୍ୟକ୍ତ ଗୃହରେ ହେଇଥିଲା । ବୋଉ ତା’ର ଏକ ମାନସିକ ରୋଗୀ । ମାନସିକ ରୋଗ କାରଣରୁ ଅମାନୁଷିକ ବ୍ୟକ୍ତିବିଶେଷ ଦ୍ୱାରା ତା’ ବୋଉ ସହିତ ଘଟିଥିଲା ଅନେକ ଦୁଷ୍କର୍ମ। ସେଥିପାଇଁ ସମାଜ ଆଖିରେ ଛୋଟୁ ପିତୃ ପରିଚୟ ହୀନ ଏକ ଅଲୋଡ଼ା ବାଳକ ।

ସାତ ବର୍ଷ ତଳେ ଲୌହ ଦାନବର ଶୀକାର ହେଇ ସାରିଥିଲା ଛୋଟୁର ବୋଉ । ଅଣଦେଖା ହେଇ ରେଳ ଟ୍ରାକରେ କିଛି ବର୍ଜ୍ୟବସ୍ତୁ ଗୋଟାଇବା ସମୟରେ ଘଟିଥିଲା ଦୁର୍ଘଟଣା ।

ଛୋଟୁ ଦୁନିଆଁ ଚିହ୍ନିବାକୁ ଆରମ୍ଭ କଲା ବେଳକୁ ନିଜକୁ ପାଇଥିଲା ରାଜୁ ଦାଦା ର ଭିକାରୀ ଗ୍ୟାଙ୍ଗ ରେ । ମୀରା ମାଉସୀ ଛୋଟୁକୁ ଗାମୁଛାରେ ବାନ୍ଧି ବୁଲି ବୁଲି ଭିକ ମାଗୁଥିଲା । ମୀରା ମାଉସୀଠୁ ସେ ନିଜର ଅତୀତ ବିଷୟରେ ଯାହା ଶୁଣିଛି ।

ଛୋଟୁ ର ଭଦ୍ର ନମ୍ର ଗୁଣ ଯୋଗୁଁ ରାଜୁ ଦାଦା ଦିନେ ଖୁସି ରେ ଛୋଟୁକୁ ପାଞ୍ଚ ଶହ ଟଙ୍କା ଦେଇ ଗ୍ୟାଙ୍ଗ ରୁ ମୁକ୍ତ କରିଦେଲା । ସେ ଦିନଠୁ ଛୋଟୁ ର ନୂତନ ଜୀବନ ଆରମ୍ଭ । ସକାଳେ ଖବର କାଗଜ ପତ୍ରିକା ବିକ୍ରି , ତା ପରେ ଷ୍ଟେସନ ପାଖ ସ୍କୁଲ ରେ ପାଠ ପଢ଼ିବା ।

ଛୋଟୁ ଭଦ୍ର ମୁଖା ସମାଜ ଠାରୁ ସ୍ନେହ ବଦଳରେ ପାଇଛି କେବଳ ଉପହାସ , ଯାବତୀୟ ଭାଷାର ଗାଳି । ତା’ ଦୁଃଖ ଶୁଣିବାକୁ ସମାଜ ପାଖରେ ସମୟ କାହିଁ ???
ସମସ୍ତେ ବ୍ୟସ୍ତ ନିଜ ନିଜ କାମରେ । ସେଥିପାଇଁ ଛୋଟୁ ଆଜି ନିଜ ପରିଚୟ ନିଜେ ଗଢ଼ିବାରେ ବ୍ୟସ୍ତ ।

କେହି ଯଦି ତାକୁ ତା ନିଜ ବିଷୟରେ ପଚାରିଲେ ସେ କହୁଥାଏ ” ବିକୃତ ମାନସିକ ସମାଜ ର ମୁଁ ପରିତ୍ୟକ୍ତ ସନ୍ତାନ , ସମୟର ଉପହାସରେ ମୋ ଜନ୍ମ ,
ସେଇ ଉପହାସ କୁ ଉପହାସ କରିବା ପାଇଁ ମୁଁ ଗୋଡ଼ କାଢ଼ିଛି । ଦେଖାଯାଉ ଆଗାମୀ ସମୟ ମତେ କଣ ଦେଉଛି “ଉପହାସ” ନା “ମୋ ଲକ୍ଷ୍ୟ” ????

ଶ୍ରୀମତୀ ସଞ୍ଜିତା ପ୍ରଧାନ , ଶିକ୍ଷୟିତ୍ରୀ , ଜୟରାମ ସରକାରୀ ଉଚ୍ଚ ବିଦ୍ୟାଳୟ , ଲେଫ୍ରିପଡ଼ା ,
ସୁନ୍ଦରଗଡ଼

 

 

 10 total views,  1 views today

Leave a Reply

Your email address will not be published. Required fields are marked *