ପରିଚୟ
ଆଜି ସମୂଦ୍ର କୂଳରେ
ଧାଉଁଥିଲି,
ଖୋଜିବୁଲୁଥିଲି ମୋତେ
ଆଉ ମୋ ପରିଚୟକୁ,
ଅନେକ ଖୋଜିଲି
ତନ୍ନ ତନ୍ନ କରି,
ଟିକିନିଖି କରି ପରଖି ଚାଲିଲି
ପରସ୍ତ ପରସ୍ତ ଢେଉକୁ,
ସମୟର ମାୟାଜାଲରେ
ଥରେ ଥରେ ଛନ୍ଦି
ହୋଇଯାଉଥିଲା ହୃଦୟ,
ହଁ ଖୁବ୍ ମନେ ପଡ଼ୁଥିଲା
କିଛି ଅଭୁଲା ଅତୀତ,
ଯାହା ଆଜିବି ପାଉଁଶ
ହୋଇ ଉଡ଼ିବୁଲୁଛି
ହୃଦୟ ରୂପକ ଶ୍ମଶାନର
କେଉଁ ଏକ ନୀରବ ଇଲାକାରେ,
ଆଉ ପାଦ ତଳୁ ଖସିଯାଉଥିଲା
ସମୟ ଆଉ ସଂପର୍କ
ଠିକ୍ ବେଳାଭୂମିର ବାଲି ପରି,
ନା ଏତେ ସହଜ ନୁହେଁ
ଏ ସୀମାହୀନ ସମୂଦ୍ରକୁ
ଡେଇଁ ଅତୀତର ଉପଦ୍ୱୀପକୁ
ଯାଇ ନିଜ ପରିଚୟ ଖୋଜିବା,
ମନ ଥକିଗଲା, ପାଦ ଅକ୍ଷମ
ହୋଇପଡିଲା , ଦିନ ବି ଭାଙ୍ଗି ଯାଇ
ଖଣ୍ଡ ଖଣ୍ଡ ତାରକା ସାଜିଗଲା,
ଆଉ ପୁଣିଥରେ ମୁଁ ଏକା
ହେଇଗଲି
ଏ ଗୁମ୍ ସୁମ୍ ସଂନ୍ଧ୍ଯାର
କେଉଁ ଏକ ନିର୍ଯାତିତା ନବବଧୂର
ନୀରବ ପ୍ରାର୍ଥନା ପରି ,
ଆଉ ଫେରିଆସିଲି
ବର୍ତ୍ତମାନକୁ ବର୍ତ୍ତମାନର
ପରିଚୟକୁ ଶାମୁକାରେ ଧରି ,
ଠିକ୍ ସେଇ ସମୟରେ
ପିଣ୍ଟୁ ଭାଇଙ୍କ ବରା ଦୋକାନରେ
ବାଜୁଥିଲା
– “ମୁଁ ଯେ ଏକ ପାଗଳ ଭଅଁର
ପରିଚୟ ମୋତେ ମାଗନା”
✍ ଜ୍ୟୋତି ରଞ୍ଜନ ଜେନା, ବାଲେଶ୍ୱର