ଏକ ଅବୁଝା ସନ୍ଧ୍ୟା
……………………..
ସନ୍ଧ୍ୟା ହେଲେ ମନେ ପଡେ,
ତୁମ ସହ କାଟିଥିବା ସେଇ ସମୟ,
ଓଠରେ ଉଷ୍ମତା ଆଉ ଗରମ ଚା କପ,
ତୁମେ ହସିଦିଅ ବିବାହ ର ଯୁକ୍ତିକୁ ନେଇ,
ମୁଁ ଜିଦି କରି ବସେ ଭାବନାକୁ ନେଇ…..
ସେଦିନ ବି ତୁମେ ହସିଦେଇ ଚାଲିଗଲ,
ମୁଁ ବୁଝାଉଥିଲି, ହେଲେ ତୁମେ !
ଅବୁଝା ହୋଇଯାଇଥିଲ ସମୟ କୁ ନେଇ,
ହୁଏତ ଫୁରୁସତ ମିଳିନଥିଲା ଭାବିବାକୁ,
ସମ୍ପର୍କ ଆଉ ପ୍ରେମ ଭିତରେ ଅଙ୍କ କଷୁ ଥିଲ,
ହେଲେ ମୁଁ ତ ସ୍ବପ୍ନ ରେ ମତୁଆଲା ଥିଲି…….
ବେଶ ଭଲ ହେଲା,
ପ୍ରତିଶୃତିବଦ୍ଧ କୁ ତିରସ୍କାର କରି,
ମୁଁ ବି ଶାନ୍ତିରେ ବୁଝିପାରିଲି ମନକୁ,
ହେଲେ ବେଳେ ବେଳେ ସେଇ ସନ୍ଧ୍ୟା,
ହଁ ସେଇ ସନ୍ଧ୍ୟା ର ସ୍ମୃତି ଡାକିନିଏ,
ପୁଣି ତୁମର ଅଭିମାନ କୁ,
ତୁମର ଅଝଟିଆ ମନକୁ,
ପୁଣି ଗଣ୍ଠି କରିବାକୁ,
ବୁଝିବାକୁ ସେଇ ସମୟକୁ….
ମୁଁ ବି ଜିଦି କରି ବସେ,
ଅଡ଼ି ବସେ ତୁମ ପ୍ରେମ ଭିକ୍ଷା ରେ,
ତୁମେ ବୁଝିବା ଭିତରେ,
ମୋ ଅନ୍ତର୍ଦ୍ୱନ୍ଦ ବଢେ,
ତୁମେ ଆଉ ମୁଁ ଦୁଇଟା ଶବ୍ଦ,
ଆଉ ସେଇ ଶବ୍ଦରେ ଅନେକ ଦ୍ଵନ୍ଦ,
କେବେ ଆମେ ବୋଲି ଉଚ୍ଚାରଣ ହୋଇପାରିନି,
ତଥାପି ମୁଁ ସେ ସନ୍ଧ୍ୟା କୁ ଭୁଲିନି,
ଭୁଲିନି ତୁମର ଅନୁରୋଧ ଆଉ ଆନମନା କଥାକୁ…
ହୁଏତ ଭୁଲିହେବନି ସେଇ ଅବୁଝା ପ୍ରେମ ର ସୂତାକୁ,
କେବେ କେବେ ଅଡୁଆ ହୋଇଯାଇଛି,
ହେଲେ ଆଶା ଅଛି ସଜାଡ଼ିଦେବାକୁ,
ଅପେକ୍ଷା ଆଉ ଗୋଟେ ଅବୁଝା ସମୟ କୁ,
ପୁଣି ତୁମ ସହ ମିଶିବାକୁ,
ସବୁ ଅନ୍ତର୍ଦ୍ୱନ୍ଦ ସମାଧାନ କରିବାକୁ,
ଆପଣେଇବାକୁ ତୁମକୁ…
ହେଲେ ଏ ତ ମରୀଚିକା,
ସେଇଥିପାଇଁ ଭୁଲିପାରୁନି,
ଆଉ ଜଳି ଜଳି ବଞ୍ଚୁଛି ,
ସାରା ସମୟ ର ଅପେକ୍ଷାରେ l
I am not really good with English but I find this rattling leisurely to interpret.