#ଏଇତ ଜୀବନ
ସଂପର୍କର ଦୋଛକିରେ ମାନବିକତା ହଜେରେ
ନିମିଷେ ଭାଙ୍ଗଇ ପୁଣି ବିଶ୍ୱାସ ବନ୍ଧ,
ସ୍ୱାର୍ଥପରତାର ଗନ୍ଧ ମଣିଷକୁ କରେ ଅନ୍ଧ
ଛିଡଇ ସେନେହ ଆଉ ମମତା ବୋଧ ,
ପାଚେରି ବି ଉଠଇ ଘରେ
ଖୁସି ନିଲାମ ହୁଅଇ ଲୁହ ହାଟରେ ।
କେବେ ଲୁହଧାର ଝରେ କେବେ ହସ ଓଠଧାରେ
ଲୁହ ମିଶାଣରେ ହୁଏ ହସ ଫେଡାଣ,
କେବେ ମନେ ଜାଗେ କୋହ କେବେ ତ ଅଜଣା ଭୟ
ରାତି ନସରୁଣୁ କେବେ ଭାଙ୍ଗେ ସପନ,
ଏମିତି ବିତଇ ଜୀବନ
ଛାତିକୁ ପଥର କରି ଦୁଃଖ ସହିଣ ।
ଅକୁହା ବେଦନା ସହି ଅଦେଖା ଲୁହ ଝରାଇ
ମରିମରି ଜୀଇଁବାକୁ ହୁଅଇ ସିନା
କପାଳ ଲିଖନ ପରା ଭୋଗେ ଏ ଜୀବନ ସାରା
ବଞ୍ଚିବାକୁ ହୁଏ ଏଠି ହସର ବିନା
ନିୟତିର ବିଧାନ ପାଇଁ
ମିଛ ଫଗୁଣରେ ହସେ ଶ୍ରାବଣେ ଥାଇ ।
କିଏ ମିଛଦୋଷେ ଦୋଷୀ କିଏ ପାପେ ଯାଏ ଭାସି
ପାପ ଅଗଣାରେ କାନ୍ଦେ ପୁଣ୍ୟର ଖରା
ସକାଳ କୁହୁଡି ପୁଣି ଅନ୍ଧାରକୁ ଆଣେ ଟାଣି
ଜୀବନର ବାଟ ଦିଶେ ଅନ୍ଧାର ଘେରା
ମିଛ ପୁଣି ସନ୍ଦେହ ଜୁଇ
ସତ କଲମରେ ମିଛ କାହାଣୀ ଏଇ।
ଜନ୍ମଜୟ ନାୟକ
ଗଣିତ ଶିକ୍ଷକ
ଗୋପୀନାଥଜୀଉ ସରକାରୀ ଉଚ୍ଚବିଦ୍ୟାଳୟ
ଜଗତସିଂହପୁର
୯୩୩୭୮୦୦୫୬୫