**ଆମେ ଶୀତର ମୀତ**
।।ଜାନକୀ ମହାନ୍ତି।।
**************
ସ୍ରଷ୍ଟାଙ୍କ ସୃଷ୍ଟି ରେ ଷଡ଼ ଋତୁ ଆସେ
ପୃଥିବୀ ରଙ୍ଗ ମଞ୍ଚରେ,
ଏକ ପରେ ଏକ କରି ଅଭିନୟ
ଚାଲି ଯାଆନ୍ତି ବାଟରେ ।।
ହେମନ୍ତର ପରେ ଶୀତ ଋତୁ ଆସେ
ହାଡ଼ଭଙ୍ଗା ଶୀତ ନେଇ,
ସୂର୍ଯ୍ୟଙ୍କର ଗତି ଦକ୍ଷିଣାୟନ ଯେ
ଦିବସ ଛୋଟ ହୁଅଇ ।।
ମୀତରେ ମୀତ ତୁ କହିଦେ ସତ
ଆସେ ପୌଷ ମାଘ ଶୀତ,
ନୀଳକଇଁ ଖୋଜେ ତା’ର ନୀଳ କାନ୍ତ
ତୁମେ ମୋତେ ଖୋଜୁନ ତ?
ଉତ୍ତରାପବନ ବୋହି ଆଣେ ତୁମ
ମହ ମହ ପ୍ରୀତି ବାସ୍ନା,
ଦୂରଦୂରାନ୍ତରୁ ପକ୍ଷୀ ପଞ୍ଝା ସବୁ
ଉଡ଼ି ଉଡ଼ି ଯାଏ ଅନା ।।
ପ୍ରତ୍ୟୁଷର ଆଦ୍ୟ ଅରୁଣିମା କାଳେ
ମୁକ୍ତାସମ କାକର ବିନ୍ଦୁ,
ସଦ୍ୟ ସ୍ନାତା ଦ୍ରୁମ ଜହ୍ନ ତାରା ମେଳେ
ଆକାଶକୁ ଚୁମେ ସିନ୍ଧୁ ।।
ଢଳ ଢଳ ପଦ୍ମ ସୂର୍ଯ୍ୟୈ ଢାଳେ ପ୍ରୀତି
ସୁନୀଳ ସରସୀ ଜଳେ,
ଛଳ ଛଳ ଚକ୍ଷୁ ଝରେ ତା’ର ମୋତି
ଶ୍ୟାମ ନଳିନୀ ଦଳେ।।
ଫସଲ ଅମଳ ହୋଇଅଛି ଶେଷ
ଚାଷୀଭାଇ ଆନନ୍ଦିତ,
ସୋରିଷ କ୍ଷେତରେ ହଳଦିଆ ଫୁଲେ
ପ୍ରଜାପତି ଉଡ଼େ ମୀତ ।।
ପ୍ରୀତିର ପରଶେ ପ୍ରଣୟ ପ୍ରମତ୍ତା
ଜାଗେ ଇପ୍ସିତ ଆକାଙ୍କ୍ଷା,
ଘନ କୁହୁଡିରେ ମୁଁ ସିକ୍ତ ସିକତା
ତୋ ଅଳସୀ ଅଭିସାରିକା ।।
ଆସିଛି ହେ ଶୀତ ନେଇ ପ୍ରଣୟର
ମିଠା ମିଠା ପ୍ରେମ ଗୀତ,
ଆସେ ଯେ ମକର ସରସ୍ଵତୀ ପୂଜା
ଶୀତ ହିଁ ଆମର ମୀତ ।।
କାମନା ର ତୃଷ୍ଣା କରି ଦିଅ ଶାନ୍ତ
ଦେଇ ସ୍ପର୍ଶ ସମ୍ମୋହନ,
ତୋ’ ବକ୍ଷ ଉଷ୍ମରେ କର ପ୍ରାଣ ତୃପ୍ତ
ହେଉ ମଧୁର ମିଳନ ।।
***********************
ଜାନକୀ ମହାନ୍ତି