ବୀରପ୍ରସବିନୀ ତଟିନୀ ମାଳିନୀ
ଧନ୍ୟ ମୋ ଉତ୍କଳ ଭୂଇଁ
ମହୋଦଧି କୂଳେ ନୀଳାଚଳ ଧାମେ
ବସିଛି ଜଗତ ସାଇଁ ।
ଭଗ୍ନ କୋଣାରକ ଜୟଗାନ କରେ
ଅତୀତର ମହାକୀର୍ତ୍ତି
ତମାଳ ତାମ୍ବୁଳ ନାରିକେଳ ବନେ
ସୁଶୋଭିତ ଦିଶେ ମହୀ ।
ଧନ୍ୟ ସେ ଚିଲିକା ଧନ୍ୟ ଚନ୍ଦ୍ରଭାଗା
ଧନ୍ୟ ମୋ ଉତ୍କଳ ଭୂଇଁ
ଚିର ସ୍ରୋତା ସେହି ମହାନଦୀ ଧନ୍ୟ
ଏ ଦେଶେ ସ୍ଥାନଟି ପାଇ ।
ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ତାନରେ
ବିଶ୍ଵ ଉଲ୍ଲସିତ ହୁଏ
ମହିମା ମଣ୍ଡିତ ପୁରାଣ ସଂସ୍କୃତି
ପୂରୁବ ଗୌରବ ଗାଏ ।
ସୁଜଳା ସୁଫଳା ଚାରୁ ଚିତ୍ର ଶାଳା
ଭାସ୍କର୍ଯ୍ୟ ରେ ପରିପୂର୍ଣ୍ଣ
ଚଣ୍ଡାଶୋକ ଯହିଁ ଧର୍ମାଶୋକ ହେଲେ
ଏହି ସେ ଉତ୍କଳ ମୋର।
ଭଗ୍ନ ବାରବାଟୀ ଉତ୍କଳ ସ୍ମାରକୀ
ଇତିହାସ ପରା ସାକ୍ଷୀ
ଖୋରଦା ଗଡର ପାଇକ ବିଦ୍ରୋହ
ମର୍ମେ ଜାଳିଛି ବତୀ ।
ପୁଣ୍ୟ ଖଣ୍ଡଗିରି ଉଦୟଗିରିରେ
ଐର ଖାରବେଳ କୀର୍ତ୍ତି
ଅପରୂପ ତାର ପ୍ରକୃତି ସୌନ୍ଦର୍ଯ୍ୟ
ଉତ୍କଳରେ ବିରାଜିଛି ।
ଓଡ଼ିଆର ପ୍ରାଣ ଓଡ଼ିଆର ମାନ
ଏକା ସେ ଶ୍ରୀକ୍ଷେତ୍ର ଧାମ
ରଥ ବି ଠାକୁର ପଥ ବି ଠାକୁର
ପୁରୀ କ୍ଷେତ୍ର ହୁଏ ଧନ୍ୟ ।
ଆମେରେ ତ ସେହି ଉତ୍କଳ ସନ୍ତାନ
ରଖିବା ତାହାରି ମାନ
ବିଶ୍ଵ ଦରବାରେ ସଭିଏ ଗଇବେ
ମହନୀୟ ତାର ଗୁଣ ।
ଶିବ ସେଠୀ
ରାଜପୁର , ଦିଗପହଣ୍ଡି , ଗଞ୍ଜାମ
୯୧୭୮୧୯୭୪୦୪