#ତୁମେ_ଜାଣିଛ_ବ୍ୟାସେ
ତୁମେ ଜାଣିଛ ବ୍ୟାସେ…..ଶତ୍ରୁର ଦମନ ପାଇଁ ଏବେ ରାଫାଏଲ ଭଳି ଲଡ଼ାକୁ ଶକ୍ତିଶାଳୀ ରକେଟ କୁ ବ୍ୟବହାର କରାଯାଉଛି ! ସେତେବେଳେ ତୁମ ଶବ୍ଦସବୁ ଅସ୍ତ୍ର ସାଜିଥିଲେ । ତୁମ ଭାବନା ଏବଂ କଲମ ନିସୃତ ଶହେ ପାନ ଦୁଇ ଶହ ଗୁଆ କୁ ଖାଇ ଶତ୍ରୁ ଚେତାଶୂନ୍ୟ ହେଇଯାଇଥିଲେ ହେଲେ ଏବେ ସୀମାନ୍ତରେ ପ୍ରତି ମୁହୂର୍ତ୍ତରେ ଅସଲି ଗୋଳା ବାରୁଦ ନିଜର ପାରଦର୍ଶିତା ଦେଖାଇ ଶତ୍ରୁକୁ ଚିରନିଦ୍ରାରେ ଶୁଆଇଦେଉଛି । ଦେଖୁଛ ତ ବ୍ୟାସେ ଏବେ ଆମ ଦୁନିଆଁ କେତେ ବଦଳିଯାଇଛି ? ହେଲେ କଣ ହେବ ତୁମେ ଜାଣିଛ ବ୍ୟାସେ..! ତୁମ ବେଳର ସେଇ ଭାଇଚାରା ଡୋର ଏବେ ଆଉ ଏତେ ମଜବୁତ୍ ନାହିଁ । ଜାତିଭେଦ ଆଉ ଧର୍ମର ଅଦିନିଆ ଝଡ଼ ବାରମ୍ବାର ଖାଲି ଚିଣ୍ଡାଇ ପକାଉଛି । ଲୋକେ କହୁଛନ୍ତି ଜାତି ଧର୍ମର ଦ୍ୱାହିଦେଇ ଖାଲି ଯାହା ରାଜନୀତିକରଣ ହେଉଛି ସେଥିପାଇଁ । ନାଇଁ ମୁଁ କହୁନାହିଁ ଲୋକେ ଯାହା କହୁଛନ୍ତି ।
ସେଦିନ ତୁମେ ରେବୀ କୁ ” ଲୋ ରେବୀ ,ଲୋ ଚୁଲି ,ଲୋ ନିଆଁ ” ଅବସ୍ଥାରେ ଦେଖିଥିଲ ହେଲେ ଏବେ ତୁମ ରେବୀ ବହୁପାଦ ଆଗକୁ ଯାଇ ଆମ ଦୁନିଆଁରେ ଜଣେ ସୁସାହିତ୍ୟିକା,ପ୍ରସାଶନିକ ଅଧିକାରୀ , ସୁନେତ୍ରୀ ଆହୁରି ଅନେକ ସ୍ଥାନରେ ନିଜର ପରିଚୟ ସୃଷ୍ଟି କରିସାରିଲାଣି । ଏ କଥା ଶୁଣି ତୁମକୁ ଖୁସି ଲାଗୁଥିବ ନିଶ୍ଚୟ ! ମୁଁ ସତ କହିଲି ନା ବ୍ୟାସେ..? ହେଲେ କଣ ହେବ ତୁମେ ଜାଣିଛ ବ୍ୟାସେ..! ଏବେ ନା ଅନେକ ରେବୀ ଧର୍ଷିତା ବି ହେଉଛନ୍ତି । ଲୋକେ କହୁଛନ୍ତି ଅଧିକ ଶିକ୍ଷା ,ଅତ୍ୟାଧୁନିକ ଜୀବନଶୈଳୀ ଆଉ ଛୋଟ କପଡ଼ା ପାଇଁ । ନାଇଁ ମୁଁ କହୁନାହିଁ ଯାହା ଲୋକେ କହୁଛନ୍ତି ।
ତୁମବେଳେ ସାହୁକାର , ଛ ମାଣ ଆଠ ଗୁଣ୍ଠ , ସାରିଆ ଆଉ କାଳିଆ କୁ ନେଇ ସମ୍ପୂର୍ଣ୍ଣ ଜୀବନନାଟକ ସମାପ୍ତ ହେଇଯାଇଥିଲା ଯାହା ହ୍ୟାପି ଏଣ୍ଡିଙ୍ଗ ନହେଲେ ବି ମୋଟାମୋଟି ଚଳିବ ଅବା ବହି ଶେଷ କହିଲେ ଚଳୁଥିଲା ହେଲେ ଏବେ.. ଏବେ ଭିଟାମାଟି ଛାଡ଼ି ତତ୍କାଳ ରେଳ ଟିକଟ ଆଉ ଦାଦନରେ ହନ୍ତସନ୍ତ ଜୀବନନାଟକ ସବୁତକ ଦୃଶ୍ୟ ତଥାପି ଅସମାପ୍ତ ଶେଷଦୃଶ୍ୟ ନିରୀହ ଓଡ଼ିଆର । ନାଟକର ପରିସମାପ୍ତି ପୂର୍ବରୁ ଗ୍ରୀନରୁମ୍ ରୁ ଆତ୍ମହତ୍ୟାର ଦୃଶ୍ୟରେ ସୀମିତ ଅନେକ ଚରିତ୍ର । ତୁମେ ଶୁଣୁଛ ତ ବ୍ୟାସେ..ଏଥିରେ ବି କଣ ତୁମକୁ ଖୁସି ଅନୁଭବ ହେଉଛି …? ନାଇଁ ଏ କଥା ଶୁଣି ତୁମେ ସ୍ତବ୍ଧ ହେଇ ଚୁପ୍ କିନା ବସିପଡ଼ିଥିବ ! ମୁଁ ଜାଣିଛି ..। ଲୋକେ କହୁଛନ୍ତି ବେକାରୀ , ବେରୋଜଗାର ପାଇଁ ଜୀବନନାଟକର ଅନେକ ଦୃଶ୍ୟ ଅଭିନୀତ ହେଇପାରୁନି ଚରିତ୍ର ମାନଙ୍କ ଦ୍ୱାରା । ନାଇଁ ମୁଁ କହୁନାହିଁ ଯାହା ଲୋକେ କହୁଛନ୍ତି ।
ଆହୁରି ଅନେକ କଥା ମୋ ମରମରେ ଅଛି ଆଉ କହିଥାନ୍ତି ହେଲେ ମୋତେ କହିବାକୁ ସରମ ଲାଗୁଛି ଯଦି ପୁଣି କେବେ ତୁମେ ଏଠାକୁ ଆସିବ ତେବେ ନିଜ ଆଖିରେ ସବୁତକ ଦୃଶ୍ୟକୁ ଦେଖିବ ନିଶ୍ଚୟ ।
ତୁମରି ରାସ୍ତାରେ
ତୁମ ଜିତେନ୍ଦ୍ର ।
ଜିତେନ୍ଦ୍ର ଗିରି,ବାଲେଶ୍ଵର