ତୁମେ ଚାଲିଗଲା ପରେ…..
ଆଜି କାହିଁ ଏତେ ଶୁଷ୍କତା ଘେରିଛି
ସତେ କି ବିସ୍ତୀର୍ଣ୍ଣ ମରୁଭୂମି ,
ଜଳ ଟୋପେ ପାଇଁ ମୁଁ ଝୁରି ଝୁରି ମରେ
ତୁମେ ଚାଲିଗଲା ପରେ ।
ଶୁଭୁନାହିଁ କାଇଁ ସେଇ କୋଳାହଳ
ପାଲଟିଛି ସବୁ ଶାନ୍ତ,
ହସ ଶୁଭୁନାହିଁ ଆଉ ଏଇ ଘରେ
ତୁମେ ଚାଲିଗଲା ପରେ।
ଝାଉଁଳି ପଡ଼ିଛି ବୃକ୍ଷ ଲତା ସବୁ
ଝାଉଁଳି ପଡ଼ିଛି ମନ,
ଅତୀତକୁ ଝୁରି ଆଜି ସମୟ ମୋ ସରେ
ତୁମେ ଚାଲିଗଲା ପରେ।
ଶୁଭ୍ରଜ୍ୟୋତି ଆଉ ପଡୁନାହିଁ ତିଳେ
ଏଇ ମହୀ ପୃଷ୍ଠରେ,
ବସିରହିଛି ମୁଁ ଅନ୍ଧକାର ଘରେ
ତୁମେ ଚାଲିଗଲା ପରେ।
ସବୁ ଚାହୁଁଛନ୍ତି ଅଜଣା ସତେ କି
ଅଚିହ୍ନା ମଣିଷ ମୁଇଁ,
ଶୂନ୍ୟ କୁ ଚାହିଁ ମୋ ଦିନ ସବୁ ସାରେ
ତୁମେ ଚାଲିଗଲା ପରେ।
ସତେ ଆଜି ସବୁ ପାଷାଣ ହୋଇଛି
ହରାଇ ସବୁ କ୍ଷମତା,
ଏକା ଚାଲୁଛି ମୁଁ ଜୀବନ ପଥରେ
ତୁମେ ଚାଲିଗଲା ପରେ।
ଆଉ ଫୁଟୁନାହିଁ ବଗିଚାରେ ଫୁଲ
ଭଅଁର ଦଉନି ଦେଖା,
ଭାବିଦେଲେ ସବୁ ଦୁଃଖ ମନେ ଭରେ
ତୁମେ ଚାଲିଗଲା ପରେ।
ପବନର ସ୍ୱର ନଶୁଭଇ କାନେ
ସ୍ଥାଣୁ ପାଲଟିଛି ସବୁ,
ଜୀର୍ଣ୍ଣ ଶରୀର ମୋ କର୍ମ ଖାଲି କରେ
ତୁମେ ଚାଲିଗଲା ପରେ।
କିଚିରି ମିଚିରି କରୁନାହିଁ ପକ୍ଷୀ
ପତ୍ରଝଡ଼ା ବି ହଉନି,
ଶରୀର ଥାଇ କି ଆତ୍ମା ଆଜି ମରେ
ତୁମେ ଚାଲିଗଲା ପରେ।
ସାଇ ପ୍ରଭା ସୁତାର
ଭଦ୍ରକ