ତୁମକୁ କୋଟି ପ୍ରଣାମ ହେ ଯୀଶୁ
ରୋମ ସାମ୍ରାଜ୍ୟର ଯୀହୂଦା ପ୍ରଦେଶେ
ବେଥେଲହେମ ସ୍ଥାନରେ,
ପିତା ଜୋଶେଫ ମାତା ମେରୀଙ୍କର କୋଳେ
ଜନ୍ମିଲ ମେଣ୍ଢା ଶାଳରେ,
ପାନ୍ଥଶାଳା ଅଭାବରେ,
ପ୍ରେରଣ କରିଥିଲେ ପରମେଶ୍ବର
ତାଙ୍କର ପୁତ୍ର ଭାବରେ ।
ଈଶ୍ବରଙ୍କ ସତ୍ୟ ପ୍ରକାଶ ପାଇଁ କି
ହୋଇଥିଲା ତୁମ ଜନ୍ମ,
ନମ୍ରତା କୋମଳ ମଧୁର ସ୍ବଭାବେ
ପ୍ରେମମୟ କରି ମନ,
ତୁମ ସ୍ପର୍ଶେ ରୋଗୀ ସୁସ୍ଥ,
ପୁଣି ଅଲୌକିକ ଦେଖାଇଲ ଜନେ
ମୃତଙ୍କୁ କରି ଜୀବିତ ।
ଧର୍ମ ଗୁରୁଙ୍କର ମିଥ୍ୟା ଶିକ୍ଷା ଆଉ
ମନ୍ଦକାମ ପ୍ରକାଶିତ,
କରିଥିଲ ବୋଲି ଜନତାଙ୍କ ପାଶେ
ହୋଇଥିଲେ ସେ କ୍ରୋଧିତ,
କରିଣ କୂଟ ଚକ୍ରାନ୍ତ,
ଈର୍ଷା, ଅସୂୟାରେ କୃଶବିଦ୍ଧ କରି
କରିଥିଲେ ତୁମ ଅନ୍ତ ।
ତୁମରି ଜନମ କେଉଁ ଦିନ ହେଲା
ନାହିଁଟି ତାହାର ତଥ୍ୟ,
ଡିସେମ୍ବର ମାସ ପଚିଶ ତାରିଖ
ନାନା ମତରେ ସିଦ୍ଧାନ୍ତ,
ପାଳନ୍ତି ସାରା ଜଗତ,
କିଏ କେତେ ରୂପେ ତୁମକୁ ସ୍ମରନ୍ତି
ମନେ ହୋଇ ଆନନ୍ଦିତ ।
‘ଅଦ୍ବିତୀୟ ଈଶ୍ବର’ ହେ ଯୀଶୁ ତୁମ
ଚରଣେ କୋଟି ପ୍ରଣାମ,
ଜଣାଇ କରୁଛି ଏହି ନିବେଦନ
ଫେରି ଆସି ମର୍ତ୍ତ୍ୟ ଧାମ,
ଛୁଟାଇଣ ତୁମ ପ୍ରେମ,
ଏକତ୍ବ ସୂତ୍ରରେ ବାନ୍ଧି ଦିଅ ବିଶ୍ବ
ଦିଶୁଥିବ ଅନୁପମ ।
କୁରୁଆଁ, ମୁଗପାଳ, ଯାଜପୁର