ତୁ ଶୀଘ୍ର ଚାଲିଯାଆ ୨୦୨0
କେଉଁ ଲଗ୍ନେ ତୁହି ଆସିଥିଲୁ ଧାଇଁ ଏହି ଧରଣୀ କୋଳକୁ
ତୁ ଆସିଲୁ ଯେବେ ହସୁଥିଲେ ସର୍ବେ ନଜାଣି ତୋ’ର କର୍ମକୁ।
ଅନ୍ତୁଡି ଶାଳାରୁ କାୟା ବିସ୍ତାରିଲୁ ଡରାଇଲୁ ତୁ ସଭିଙ୍କୁ
କି ଗୁଣି କରିଲୁ ଗୃହ ବନ୍ଦୀ ହେଲୁ ବାହାରୁ ନାହୁଁ ପଦାକୁ।
କର୍ମ କଷଣରେ ଖାଦ୍ୟ ଅଭାବରେ ଜୀବନ ବିତାଇବାକୁ
କର୍ମ କ୍ଷେତ୍ରେ କେହି ଯାଇ ନପାରଇ ନିନ୍ଦୁଥାଇ ସମୟକୁ।
କୋଡିଏ କୋଡିଏ ନଭୁଲିବେ କିଏ ତୋ’ର ଅଭୁଲା ସ୍ମୃତିକୁ
ସ୍ନେହ ସମ୍ପର୍କର ବନ୍ଧନ ରକ୍ତର ଦୂରେଇ ଦେଲୁ ସବୁକୁ।
କେହି କାହାକୁତ ଷ୍ପର୍ଶ ନକରନ୍ତି ଡରାଇ ରଖିଲୁ ତା’ଙ୍କୁ
ପିତା ପୁତ୍ର କନ୍ୟା ସ୍ଵାମୀ ସ୍ତିରୀ ମନା କେହି ନଛୁଏଁ କାହାକୁ।
ତୋ’ଭାର ସମ୍ଭାର କଲା ଛାରଖାର ଖେଳାଇ ଦେଲୁ ଆତଙ୍କ
କୋଟି କୋଟି ମୁଣ୍ଡ କରିଦେଲୁ ଗୁଣ୍ଡ ଶୁଭେ ତ୍ରାହିତ୍ରାହି ଡାକ।
ତୁ’ଶୀଘ୍ର ଚାଲିଯା’ କୋଡିଏ କୋଡିଏ ଇତିହାସେ ତୁ କଳଙ୍କ
ତୋ ଜନ୍ମ କୁଣ୍ଡଳି ଦେଲା ସେ ଅଣ୍ଡାଳି ବିଶ୍ଵ ଆଜି ହତବାକ।
******************
(ଦେବମାୟା ଭବନ, ଶେରଗଡ଼, ଗଞ୍ଜାମ।)
#୯୭୭୬୪୮୬୬୨୮#
284 total views, 1 views today