ତ୍ରି ର ମାହାତ୍ମ୍ଯ
ତିନି ଦେବ ରୂପେ ବ୍ରହ୍ମା ବିଷ୍ଣୁ ଶିବ
ପିତା ମାତା ଗୁରୁ ସ୍ମର
ହରିଡ଼ା ବାହାଡା ଅଁଳା ତିନି ଫଳ
ତ୍ରିଫଳାର ସମାହାର ।
ସ୍ବର୍ଗ ମର୍ତ୍ତ୍ୟ ଆଉ ପାତାଳ ଅଟଇ
ତିନି ଲୋକ ରୂପେ ଖ୍ୟାତ
ସ୍ବର୍ଗରେ ଦେବତା ମର୍ତ୍ତ୍ୟରେ ମାନବ
ପାତାଳରେ ଭୂତ ପ୍ରେତ ।
ସତ୍ତ୍ବ ରଜ ତମ ତ୍ରିଗୁଣ ମଧ୍ଯେଣ
ସାତ୍ତ୍ୱିକ ମନ ନିଶ୍ଚଳ
ତାମସିକ ରମେ ଆବେଗିକ ମୋହେ
ମନ ଚଳ ଚଞ୍ଚଳ ।
ରାଜସିକ ଗୁଣ ଉଚ୍ଚମନା ଲଭେ
ସମ୍ର୍ରାନ୍ତ ପଣିଆ ଭାବ
ବିଭୂ ପାଦେ ଧ୍ଯାୟୀ ସାତ୍ତ୍ୱିକ ଚିନ୍ତଇ
ମୋକ୍ଷ ପ୍ରାପ୍ତି ଲାଘବ ।
ତ୍ରିଧାରା ରୂପେଣ ପ୍ରବାହିତ ସେଇ
ପୂଣ୍ୟ ଚିର ସ୍ରୋତସ୍ବିତୀ
ସ୍ୱର୍ଗେ ମନ୍ଦାକିନୀ ମର୍ତ୍ତ୍ଯେ ଭାଗିରଥି
ପାତାଳରେ ଭୋଗବତୀ ।
ତ୍ରିବେଣୀ ସଙ୍ଗମ ରୂପେ ଅଭିହିତ
ଗଙ୍ଗା ଯମୁନା ଭାରତୀ
ଅସ୍ଥି ବିସର୍ଜନ କରି ଆତ୍ମା ଶାନ୍ତି
ପ୍ରାଣ ହୁଅଇ ମୁକତି।
ଦିଗଶିରା,ଡୁଙ୍ଗୁରିପାଲି,ସୁବର୍ଣ୍ଣପୁର