*ଦୁଃଖିଧନ ନୀଳମଣିରେ*
ଦୁଃଖିଧନ ନୀଳମଣିରେ
ମାଆ ବୋଲି କିଏ ଡାକିବ ମୋତେ,
ଗୋରୁ ଘେନି ଫେରି ଆସିବାବେଳକୁ
କାହା ପାଇଁ ଜଗି ବସିବି ପଥେ ?
ଯେବେ ବିକା ଆସିବ କୋଳି
କାନ୍ଦି କିଏ କରିବ ଅଳି,
ଚଳି ହେଉଥିଲେ ଧୂଳି ବୋଳି ହୋଇ
ଦୋଳି କେ ଖେଳିବ କାନି ପଣତେ ?
ଯେବେ ଦହି ମୁହାଁ ହୋଇବ
କିଏ ସେ ଲବଣୀ ଖାଇବ,
ହୋଇଣ ଆନନ୍ଦ ଗାଈ ଦୁହିଁବାକୁ
ଶିକା ଛନ୍ଦ ଘେନି କେ ଯିବ ହାତେ ?
ଖେଳି ଯାଇଥିଲେ ଦାଣ୍ଡରେ
ଧୂଳି ପଡ଼ିଥାଇ ମୁଣ୍ଡରେ,
କଳି କଲେ କେହି ‘ ମାଆ ମାଆ ‘ କହି
କଇଁ କଇଁହୋଇ କାନ୍ଦିବୁ କେତେ ?
ଯେବେ ଯିବୁ ମଧୁପୁରକୁ
ଅନାଇବି କାହା ମୁଖକୁ,
କହେ ବଇଷ୍ଣବ ନିଶ୍ଚେ ଜୀବ ଯିବ
ମୁରୁଛିବି ଗଳା ମାଳି କେମନ୍ତେ ?
*କବି ପରିଚୟ*
ବୈଷ୍ଣବ ପାଣି- ୧୮୮୨ ମସିହା ପବିତ୍ର କୁମାର ପୂର୍ଣ୍ଣିମା ଦିନ କବିଙ୍କର ଜନ୍ମ । ତାଙ୍କଦ୍ବାରା ରଚିତ ଗୀତିନାଟ୍ୟ “ମେଘନାଦବଧ, ରଙ୍ଗ ସଭା, ନଳଦମୟନ୍ତି, ମହୀରାବଣ ବଧ, ପ୍ରହ୍ଲାଦଚରିତ, ରାବଣ ବଧ, ସୀତା ବନବାସ, ଅଭିମନ୍ୟୁ ବଧ, ବିଲ୍ବମଙ୍ଗଳ, ଓ କର୍ଣ୍ଣ ବଧ ଓଡ଼ିଶାର ପୁରପଲ୍ଲୀରେ ବେଶ୍ ଆଦୃତ । ୧୯୫୬ ମସିହା ମଇ ୧୦ ତାରିଖରେ କବି ବୈଷ୍ଣବ ପାଣି ଇହଲୀଳା ସମ୍ବରଣ କରିଥିଲେ । ଗଣକବି ଭାବରେ ସେ ବେଶ୍ ଜଣାଶୁଣା ।