ଅନ୍ତରଙ୍ଗ ଆଳାପ
***********
ଦିନେ ଦିନେ ରାତି ପାହିଯାଏ,
ସ୍ବପ୍ନ ହଜିଯାଏ ଆକାଶ ବୁକୁରେ,
ନିଦ ଉଭେଇଯାଏ ନିଃସଙ୍ଗ ଭିତରେ,
ଅବଶୋଷ ମନଟା ନିର୍ଜନତା ରେ,
ଛଟପଟ ହୁଏ ବିଛଣାରେ……
ଥରେ ନୁହେଁ,ବହୁବାର,
ଅପେକ୍ଷାରେ ଆଉ ଉପେକ୍ଷାରେ,
ନିୟନ୍ତ୍ରଣ କରୁଥାଏ ନିଜକୁ,
ନିଜ ଚେତନା ଭିତରେ…..
ସେ ଫିସ ଫିସ ଶବ୍ଦ କରେ,
କଣ କେଜାଣି କହୁଥାଏ,
ମୁଁ ଶୁଣିବାକୁ ଚେଷ୍ଟା କରେ,
ତାର ସତମିଛ ପ୍ରଗଳ୍ଭ ରେ…..
ରାତି ବଢୁଥାଏ,
ଶବ୍ଦ କମୁଥାଏ,
ହେଲେ ମନ ରେ ଭୟ ନଥାଏ,
ନଥାଏ ଅବଶୋଷ,
କି ଅଭିଯୋଗ ର ଚିନ୍ତା….
ହସୁଥାଏ, ପାଗଳ ପ୍ରାୟ
କାନ୍ଦୁଥାଏ ନିଃସଙ୍ଗ ହୋଇ,
ଜୀବନ ମାପକାଠି ତଉଲି,
ଘଣ୍ଟାର ଟିକ ଟିକ ଶବ୍ଦରେ,
ଏକ ନୂଆ ଆଶା ଅପେକ୍ଷାରେ….
ଭୁଲ ଠିକ ବୁଝେନି,
ବୁଝେନି ହାରିବାର ଦୁଃଖ,
ବୁଝେଇପାରେନି ପାଇବାର ସୁଖ,
ନିଜ ଭିତରେ ନିଜକୁ ପାଏ,
ଖୁସୀ ହୋଇ ଅଣଦେଖା କରେ,
କିଛି ପାପପୁଣ୍ୟ ହିସାବ ଖାତାରେ…..
ହସିପାରେ, ହସେଇପାରେ,
ହେଲେ କାହିଁକି ଅବଶୋଷ ଆସେନି,
କଣ ପାଇଁ, କାହିଁକି….?
ଉନ୍ମୋଚନ କରେ,
ସହସ୍ର କ୍ଲାନ୍ତି ର ଅବଶୋଷ ମେଣ୍ଟାଈ,
ପୁଣି ସେଇ କର୍ମ କରେ,
ଆନନ୍ଦରେ ବିଭୋର ହୁଏ,
ଚଳ ଚଞ୍ଚଳ ପୃଥିବୀରେ….l”
@ଲେଲିନା ମଲ୍ଲିକ✍️