“ସଂସ୍କାର।”
ଟ୍ରେନରେ କଟକ ଫେରିଲା ବେଳେ ଆଜି ମହିଳା ଜଣେ ପାଖରେ ଆସି ବସିଲେ। ସାଙ୍ଗରେ ପାଖାପାଖି ୨ ବର୍ଷର ଝିଅ ଟିଏ ଥାଏ। ଆଖପାଖରେ ବସିଥିବା ଲୋକଙ୍କ ସହ ତାଙ୍କ କଥାବାର୍ତ୍ତାରୁ ଜାଣିଲି ସେଇଟି ତାଙ୍କରି ଝିଅ। ମହିଳା ଜଣଙ୍କ ଗୋଟିଏ ବୁଢ଼ା ବେପାରୀ ଠାରୁ ବାଦାମ କିଣିଲେ। ଗୋଟିଏ ଗୋଟିଏ କରି ବାଦାମ ଗୁଡ଼ିକ ଛଡ଼ାଇ ଝିଅଟିକୁ ଖାଇବାକୁ ଦେଉଥାନ୍ତି, ନିଜେ ବି ଖାଉଥାନ୍ତି। ହେଲେ ବାଦାମ ଗୁଡ଼ିକ ସିନା ନିଜେ ଖାଉଥାନ୍ତି, ଚୋପା ଗୁଡ଼ିକ ସବୁ ମୋ ଉପରେ ପଡୁଥାଏ। ସେ ଦେଖୁଥାନ୍ତି, ଜାଣୁଥାନ୍ତି ଯେ ଚୋପା ସବୁ ମୋ ଉପରେ ପଡୁଛି। ହେଲେ ନା ସେ ନିଜ ବାଦାମ ଛଡ଼ା ବନ୍ଦ କରନ୍ତି ଆଉ ନା ତାଙ୍କ ଆଚରଣ ନିମନ୍ତେ କ୍ଷମା ପ୍ରାର୍ଥନା କରି ତାଙ୍କ ପାଟିରୁ ଗୋଟିଏ ବି ଶବ୍ଦ ବାହାରେ। ତିଳେ ହେଲେ ଫରକ୍ ପଡୁ ନଥାଏ ତାଙ୍କ ଉପରେ। ଅଳ୍ପ ରାଗ ଲାଗିଲା। ବହୁତ୍ ଥର ଭାବିଲି କିଛି କହିବି ବୋଲି। ହେଲେ କିଛି କହି ପାରିଲିନି। ଯେତେବେଳେ ଦେଖିଲି ତାଙ୍କ ବାଦାମ ଖିଆ ସରିଲା ଆଶ୍ୱସ୍ତିର ନିଃଶ୍ୱାସ ଗୋଟାଏ ଛାଡିଲି। ଟ୍ରେନର ଝରକା ଦେଇ ବାହାରକୁ ଦେଖି କିଛି ଭାବୁଥାଏ, ହଠାତ୍ ନିଜ ଜଙ୍ଘ ଉପରେ କାହାର ସ୍ପର୍ଶ ଅନୁଭବ କରି ଝରକା ବାହାର କାଶତଣ୍ଡୀ ବଣ ରୁ ନଜର ଫେରି ଭିତରକୁ ଚାହିଁଲି। ଦେଖିଲି ଛୋଟ ଝିଅଟି ମୋ ଜଙ୍ଘ ଉପରେ ପଡ଼ିଥିବା ବାଦାମ ଚୋପା ଗୁଡ଼ିକୁ ନିଜ କୁନି ହାତରେ ଝାଡ଼ି ଦେଉଛି। କିଛି ସମୟ ଭାବିଲି, ଇଏ ସତରେ ଏଇ ମହିଳା ଜଣଙ୍କର ନିଜ ଝିଅ ତ? ତା ପରେ ପୁଣି ଭାବିଲି ହଁ ତା ବାପାଙ୍କ ଉପରେ ଯାଇଥିବ ବୋଧେ।
~ ଦେବଜ୍ୟୋତି ଅବିନାଶ,
ସ୍ନାତକୋତ୍ତର ଇଂରାଜୀ ବିଭାଗ, ରେଭେନ୍ସା ବିଶ୍ଵବିଦ୍ୟାଳୟ।
ଯୋଗାଯୋଗ : ୬୩୭୨୦୫୫୨୦୭