ବାପାଙ୍କ ସାଇକେଲ
ବାପା – ତୁ ବା କେମିତି ଜାଣିବୁ ଏଇ ସାଇକେଲ ତ ବୋଉ ଆଉ ମୋର ସ୍ୱପ୍ନର ସାଥି?
ହୁଁ ତୁ ଯେତେବେଳେ ଛ ମାସର ହେଇଥାଉ ସେତେବେଳେ ତ ବୋଉ ଆଉ ମୁଁ ତତେ ନେଇ ଅନେକ ସ୍ୱପ୍ନ ଦେଖୁ ଆଉ ତାକୁ ପୂରଣ କରିବା ଲକ୍ଷ୍ୟରେ ଏଇ ସାଇକେଲ ଟି କିଣିଥାଏ ମୁଁ । ଆମେ ଦୁଇଜଣ ରାତି ଦିନ ଏକ କରି ଲାଗିପଡ଼ୁ ତ ଭବିଷ୍ୟତରେ ଟିକେ ହସ ଭରିବାପାଇଁ ।
ଜାଣିଛୁ ସେତେବେଳେ ତ ବୋଉ ପ୍ରତିଦିନ ରାତି ତିନିଟା ରୁ ଉଠି ପଉଟି ପଉଟି ଧାନ ସବୁକୁ ଶିଝେଇ ଫୁଟେଇ ଚାଉଳ ତିଆରି କରୁଥାଏ ଆଉ ମୁଁ ଏଇ ସାଇକେଲରେ ସେଇ ଚାଉଳ ସବୁକୁ ନେଇ ଆମ ରେଲୱେ କଲୋନୀ ରେ ବିକ୍ରୟ କରୁଥାଏ।ତୁ ଯୋଉ ଆଜି ଏଇ ପକ୍କା ଘର, ଦାମୀ ବାଇକ,ପାଠପଢ଼ା ଏମିତି କି ତ ବାହାଘର ପର୍ଯ୍ୟନ୍ତ ସବୁ ଏଇ ସାଇକେଲ ର ଅବଦାନ ।ଆଜି ବି ସେଦିନର କଥା ମୋ ମନେ ପଡ଼ିଲେ ଏକ ଅଲଗା ପ୍ରକାର ଖୁସି ମୋ ମନ ଭିତରେ ଘର କରେ ।ମୁଁ ଜେବେବି ଜୁଆଡ଼େ ଯିବାପାଇଁ ବାହାରେ ମୋ ସାଇକେଲ ଧରି ସେତେବେଳେ ତୁ ମୋ ସାଇକେଲରେ ବସିବାପାଇଁ ଜିଦି ଧରି କାନ୍ଦିବାର ଅଭିନୟ କରୁ ଆଉ ତ ବୋଉ କୁହେ କାଇଁ ପିଲାଟା କୁ କନ୍ଦଉଛ ଟିକିଏ ବସେଇଦିଅ ତାପରେ ସିଏ ତତେ ମୋ ସାଇକେଲର ଆଗ ରୁଲିଙ୍ଗ ରେ ମୋର ସେଇ ଛ ହାତି ଗାମୁଛାକୁ ଗୋଡ଼ାଇ ତତେ ଥପ କିନି ବସେଇଦିଏ ଆଉ ତୁ ବସିବାକ୍ଷଣି ଟିକେ ବେକକୁ ବୁଲାଇ ମୋତେ ଅନାଇ ମୁରୁକି ହସିଦେଉ ଖାଲି ସେତିକି ନୁହେଁ ତୋର କୁନି କୁନି ହାତ ଦିଟା ମୋ ସାଇକେଲ ହେଣ୍ଡେଲ କୁ ଜୋରରେ ଜାବୁଡ଼ିଧରି ମୋତେ ଏକ ନୂଆ ଖୁସିର ରାସ୍ତା ଦେଖାଏ ଜୀବନ ଜିଇଁବା ପାଇଁ । ଗାଁ ଚାରିପାଖେ ଘେରାଏ ବୁଲିବା ସମୟରେ ତୁ ମୋ ସାଇକେଲର ଘଣ୍ଟି ଟାକୁ ମନ ମୁତାବକ ବଜେଇ ଖିଲି ଖିଲି ହସିଥାଉ ଯାଣିଛୁ ସେତେବେଳେ ମୋତେ ଲାଗେ କି ଈଶ୍ୱର ମୋ ଭାଗ୍ୟରେ ଖାଲି ଅସରନ୍ତି ସୁଖ ସବୁ ଅଜାଡ଼ି ଦେଇଛନ୍ତି ଆଉ ଆଜି ତୁ କଣ ଗୋଟେ ଚାକିରୀ କରିଛୁ ବୋଲି କହୁଛୁ କଣ ନା ଏଇ ସାଇକେଲ ଟିକୁ କବାଡ଼ିଆରେ ବିକ୍ରି କରିଦେବୁ? ଖବରଦାର ଆମ ସ୍ୱପ୍ନର ସାଥିକୁ ତୁ ବିକ୍ରି କରିପାରିବୁନି।ଆରେ ଆଜି ତୁ ବୁଝିପାରୁନୁ ଦିନେ ସମୟ ଆସିବ ତୁ ଠିକ ବୁଝିଯିବୁ ଏଇ ସାଇକେଲର କରାମତି କଣ?
ମୁଁ – ହା ହା ହା ହା ବାପା ଏ ସମୟରେ ଆଉ ଏଇ ସାଇକେଲ ର ମହତ୍ତ୍ୱ ଆଉ କିଛିବି ନାହିଁ ଏବେ ତ ପ୍ରତି ହାତରେ ବାଇକ କାର ତା ଛଡ଼ା ଏହାକୁ ତମେ ତ ଆଉ ଚଢ଼ି ପାରୁନ ସେଥିପାଇଁ କହିଲି ସାଇକେଲ ଟି କାହିଁକି ପଡ଼ି ପଡ଼ି ନଷ୍ଟ ହେବ ତାକୁ ବିକି ଦେବା ।ମୋ ପାଖରେ ଦୁଇ ଦୁଇଟି ଗାଡ଼ି ତେଣୁ ଏଇ ସାଇକେଲଟି ଖାଲି ଅଯଥାରେ ଘରେ ଗୋଟିଏ ଅଳିଆ ହେଇ ପଡ଼ି ରହିଛି।
ମୋ ପତ୍ନୀ – ହେଇଟି ଶୁଣୁଛ କୁଆଡ଼େ ଗଲ ଧାଇଁ ଆସ ମୋ ଭାଇ ବିଟୁ ଫୋନ କରିଥିଲା ମୋ ବାପା ଖଟରେ ସୋଇଥିଲା ବେଳେ ହଠାତ ଖଟରୁ ତଳକୁ ପଡ଼ି ତାଙ୍କ ଚେତା ଚାଲିଯାଇଛି ତମେ ଜଲ୍ଦି ମୋତେ ମେଡ଼ିକାଲ ନେଇଚାଲ ମୋ ବାପାଙ୍କର କଣ ହେଲା କେଜାଣି ହେ ପ୍ରଭୁ ଜଗନ୍ନାଥ ମୋ ବାପାଙ୍କୁ ଉଦ୍ଧାର କର ହେ ଚକାଡୋଳା ମୋ ବାପାର କଣ ହେଲାଲୋ ହେ ମହାବାହୁ ମୋ ବାପାକୁ…..
ମୁଁ – ଓଃ ହୋ ତମେ ଟିକେ ଚୁପ ରୁହ ଆମେ ଏବେ ସଙ୍ଗେ ସଙ୍ଗେ ମେଡିକାଲ ଯିବା ତମେ ବ୍ୟସ୍ତ ହୁଅନି ଆମ ପାଖରେ ଗାଡ଼ି ଅଛି ।
ପତ୍ନୀ – ଆଜି ପରା ଦର ଦାମ ବୃଦ୍ଧି ନେଇ ଭାରତ ବନ୍ଦ ତେବେ କେମିତି ଆମେ ମେଡିକାଲ ଯିବା ?କୌଣସି ଗାଡ଼ି ମଟର ବାଇକ ଚାଲୁନାହିଁ ।
ମୁଁ – ତାହେଲେ କେମିତି ଯିବା?
ପତ୍ନୀ – ମୁଁ କିଛି ଜାଣିନି ତମେ ଯେମିତି ହେଲେ ମୋତେ ମେଡିକାଲ ନେଇଚାଲ।
ବାପା – ଆରେ ଏତେ ଭାବୁଛୁ କଣ ଧର ଏ ସାଇକେଲ ବୋହୂକୁ ବସେଇ ନେଇ ମେଡିକାଲ ଯାଅ।ବିଚରା ମୋ ସମୁଦି ର ସବୁ ଯେମିତି ଠିକ ହେଇଯାଉ।
ମୁଁ – ଇଚ୍ଛା ନଥିଲେ ବି କିଂକର୍ତଵ୍ୟ ବିମୁଢ଼ ହେଇ ଧରିଲି ବାପାଙ୍କ ସାଇକେଲ ଟିକୁ ।ଅନେକ ଦିନରୁ ଅଚଳ ହେଇ ପଡ଼ିଥିବା ବାପାଙ୍କ ସ୍ୱପ୍ନର ସାଥିକୁ ଟିକିଏ ଝାଡ଼ି ଝୁଡ଼ି ଦେଇ ପତ୍ନୀଙ୍କୁ ପଛ କେରିୟାର ରେ ବସେଇ ଚାଲିଲି ମେଡ଼ିକାଲ ମୁହାଁ । ସିଟ ରେ ବସି ଯେତେବେଳେ ହେଣ୍ଡେଲରେ ହାତ ରଖିଲି ଅଚାନକ ଏକ ଅଦ୍ଭୁତ ଶକ୍ତି ମୋ ଦେହରେ ପଶିଗଲା ଭଳି ଲାଗିଲା।ସେଦିନ ମୋ କୁନି ହାତ ଦିଟା ବାପାଙ୍କୁ ଯେତିକି ଖୁସି ଦେଇଥିଲା ଆଜି ତା ଠୁ ଅଧିକ ଶକ୍ତି,ସାହାସ, ଆତ୍ମବିଶ୍ୱାସ ମୋତେ ବାପାଙ୍କ ଆଶିର୍ବାଦ ବାଲା ହାତ ସ୍ପର୍ଶରେ ଚାଳିତ ସ୍ୱପ୍ନର ସାଥିର ହେଣ୍ଡଲ ରୁ ମୋତେ ମିଳିଗଲା ଭଳି ଲାଗିଲା।ପନ୍ଦର କିଲୋମିଟର ରାସ୍ତାକୁ କେତେବେଳେ ଯେ ଅତିକ୍ରମ କରି ମୁଁ ମେଡିକାଲରେ ପହଞ୍ଚିଗଲି ତାହା ମୋତେ ଜଣାପଡ଼ିଲାନି । ମୁଁ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ସାନ୍ତ୍ୱନା ଦେଇ କହିଲି ସବୁ ଠିକ ହେଇଯିବ ଟିକେ ଅପେକ୍ଷା କର ସତକୁ ସତ କିଛି ସମୟର ବ୍ୟବଧାନ ପରେ ମୋ ଶ୍ୱଶୁର ଙ୍କର ହୋସ ଆସିଲା ଆଉ ଡାକ୍ତର କହିଲେ ଏଭରିଥିଙ୍ଗ ଇଜ ନର୍ମାଲ ତା ପରେ ସମସ୍ତଙ୍କର ମୁହଁରେ ହସ ଫୁଠି ଉଠିଲା । ସତରେ ଆଜି ବାପାଙ୍କ ସାଇକେଲ ଏଇ ସ୍ୱପ୍ନର ସାଥି କମାଲ କରିଦେଲା।
ଜିତେନ୍ଦ୍ର ଗିରି
ରୁପ୍ସା
ବାଲେଶ୍ୱର।
କଣ ମତାମତ ଦେବି ଏଇ କାହାଣୀ ଉପରେ ମୋ ପାଖରେ କିଛି ଶବ୍ଦ ନାହିଁ । ସତରେ ବହୁତ ସୁନ୍ଦର କାହାଣୀ ଟିଏ । ପଢ଼ିଲେ ଲାଗୁଛି ଏହା ଅତିତ ନୁହେଁ ବର୍ତ୍ତମାନ । ବହୁତ ଜାଗାରେ ଶବ୍ଦ ସବୁ ସିଧାସଳଖ ହୃଦୟକୁ ଛୁଇଁଗଲା । ଯେମିତି କି ରୁଲିଙ୍ଗରେ ଗାମୁଛା ଗୁଡାଇବା କଥା, ବଉ ଥପ କିନା ବସାଇବା , ବେକକୁ ବୁଲାଇ ମୁରୁକି ହସିବା, କୁନି କୁନି ହାତରେ ହେଣ୍ଡେଲ ଜାବୁଡ଼ି ଧରିବା, ସାଇକେଲ ଘଣ୍ଟିକୁ ମନବଜାଇବା ଇତ୍ୟାଦି । ସତରେ ଆପଣଙ୍କ ପିଲା ଦିନକୁ ମୁଁ ଅନୁଭବ କରି ପାରିଲି । ଯେତେବେଳେ ପଢୁଥିଲି ଲାଗୁଥିଲା ଯେମିତି ମୁଁ ପଢୁନାହିଁ, ସେସବୁକୁ ଆଖି ଆଗରେ ଦେଖୁଛି । ଶେଷରେ ଅଦରକାରୀ କହି ବିକ୍ରି କରିବାକୁ ଚାହୁଁଥିବା ସାଇକେଲ ସାହାଯ୍ୟରେ ମେଡିକାଲ ଯିବା କଥା ଆମ ସମାଜ ପାଇଁ ବହୁତ ସୁନ୍ଦର ବାର୍ତ୍ତା ।
ଏତେ ସୁନ୍ଦର ଗଳ୍ପ ପାଇଁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି
ଅଜସ୍ର ଖୁସି ଭରିଦେଲା ମୋ ମନରେ ତୁମର ଏଇ ମତାମତ । ପ୍ରଭୁ ଶ୍ରୀଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ ଶୁଭ । ଜୟ ଜଗନ୍ନାଥ ।
ଖୁବ ସୁନ୍ଦର,ମନମୁଗ୍ଧକର ଗଳ୍ପଟିଏ । ବାପାଙ୍କ ସାଇକେଲ ଟି ବାସ୍ତବରେ ଏକ ବହୁମୂଲ୍ୟ ଉପହାର ସଦୃଶ।
ଅଜସ୍ର ଧନ୍ୟବାଦ ତପୁ
ଆଜ୍ଞା sir ବହୁତ ସୁନ୍ଦର ବାସ୍ତବରେ ଆମେ ଅଦରକାରୀ ମନେ କରୁଥିବା ବସ୍ତୁ କିମ୍ବା ମଣିଷ ଆମକୁ ବହୁତ ସାହାଯ୍ୟ ଏବଂ ଘଡିସନ୍ଧି ମୁହୂର୍ତ୍ତରେ ଅନେକ ସାହାଯ୍ୟ କରେ…! ♥️
ଅଜସ୍ର ଧନ୍ୟବାଦ ସ୍ନେହୀ
ବାଃ ବହୁତ ସୁନ୍ଦର ସୃଷ୍ଟିଟିଏ
ଅଜସ୍ର ଧନ୍ୟବାଦ ଆଜ୍ଞା