ସଞ୍ଜ କାନ୍ଦୁଅଛି ବାଡ଼ି ପଟରେ.…
କାହା ପାଦ ଚିହ୍ନେ ଧୂଷର ଗଗନେ
ଗାରେଇ ହୁଅଇ ଅନ୍ଧାର କାଳି
ସୂର୍ଯ୍ୟଗଲେ ବୁଡି ବେଳ ଯାଏ ଗଡି
ଜହ୍ନ ହସୁଥାଏ ଜୋଛନା ବୋଳି…
କରି ହମ୍ବା ରଡି ଗାଈ ଧାଡି ଧାଡି
ଆସୁଥାନ୍ତି ଯେବେ ଗୋଠରୁ ଫେରି
ଡେଣା ଦୁଇ ଝଡି ଆସେ ଉଡି ଉଡି
ଗଛେ ମାଆ ପକ୍ଷୀ ଖାଦ୍ୟକୁ ଧରି…
ଦାଣ୍ଡ ଓଳା ସାରି କଳସୀକୁ ଧରି
ନୂଆ ବୋହୁ ଯାଏ ଗାଁ ପୋଖରୀ
ଧୂଳି ଧୂସରିତ ପିଲା ପାଞ୍ଚ ସାତ
ଖେଳ ଖେଳୁଥାନ୍ତି ମାଙ୍କଡ଼ ପରି…
ଶଙ୍ଖକୁ ବଜେଇ ସ୍ୱାଗତ ହୁଅଇ
ମର୍ତ୍ତ୍ୟମଣ୍ଡଳରେ ସନ୍ଧ୍ୟାରାଣୀର
ଚଉରା ତୁଳସୀ ଦେଉଥାଏ ହସି
ଦୀପ ଆଲୁଅରେ କି ମନୋହର…
ଜହ୍ନିଫୁଲ କହେ ଆକାଶ ତାରାହେ ମୋଠାରୁ ତୁମେ ଯେ କେତେ ଉପରେ
ସେଦୁଃଖେ କାତର ନୁହେଁମୋ ଅନ୍ତର
ମରତେ ପାଏ ମୁଁ କେତେ ଆଦର
ଭାରି ଅଲିଅଳି ସେ ଗଙ୍ଗଶିଉଳି
ବାସ ଚହଟାଏ ପବନ ସାଥେ
ଭାଗବତ ଟୁଙ୍ଗି ଦିଅଇ ଯେ ଭାଙ୍ଗି
ଦିବସ ଯାକର ଥକାମୀ ଯେତେ…
ଏହିପରି କେତେ ଛବି ଦିଶେ ମୋତେ
ସହରୀ ନିଶାରେ ଖୋଜିଲେ ସଞ୍ଜ
ଚାଟ ଚାଉମିନ ସାଥିରେ ଟିଫିନ
ସଞ୍ଜରାଣୀ ଦେହ କରେ ଦରଜ…
ମଣିଷ ପଣିଆ ଲୋକ ଦେଖାଣିଆ
ସବୁ ପରା ଏଠି ସ୍ୱାର୍ଥରେ ଅନ୍ଧ
ନାହିଁ ଧୂପ ଝୁଣା ହଜେଇ ଠିକଣା
ଖୋଜିଲେ ଖାଲି ଯେ ମଦର ଗନ୍ଧ…
ନର ରକ୍ତ ଯହିଁ ନର ଯାଏ ପିଇ
ସଞ୍ଜ କଥା ସେଠି କିଏ ପଚାରେ
ଅତୀତ ଅଣ୍ଡାଳି ସନ୍ଧ୍ୟା ଯେ ପାଗଳୀ
ଗୁମୁରି କାନ୍ଦୁଛି ବାଡ଼ି ପଟରେ…
ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର
ମୋ- 8658574945
1,044 total views, 1 views today