ରାଜନୀତି ର ଖଡ଼ି ଛୁଆଁ
ଆମରି ଦେଶର ଜଣେ ରାଜନେତା
ପୁଅ ଅନୁରୋଧ କ୍ରମେ,
ଶିଖାନ୍ତି ପୁତ୍ରକୁ ରାଜନୀତି ପାଠ
ନିଷ୍ଠା ନୀତି ଓ ସମ୍ଭ୍ରମେ ।
ପୁଅ କହେ ବାପା ଶିକ୍ଷା ଦିଅ ତୁମେ
ମୋତେ ରାଜନୀତି ପାଠ,
ବାପା କୁହେ ପୁଅ ନୁହଇ ସହଜ
ଶିଖିବା ଅପଢ଼ା ଶାଠ ।
ପୁଅ ବାଧ୍ୟ କରେ, ବାପା କହୁଅଛି
ଆଗ କୋଠା ପରେ ଚଢ଼,
ତଳେ ଛିଡ଼ା ହୋଇ ଧରିବି ତତେ ମୁଁ
କୋଠାରୁ ଯା ଡେଇଁପଡ଼ ?
ପଡିବା ଆଗରୁ ଧରି ନେବି ତତେ
ଚିନ୍ତା ତୁ କରନା ଧନ,
ମୁଁ ପରା ତୋହର ଜନ୍ମକଲା ବାପ
ତୁ ମୋ ଏକୋଇ ସନ୍ତାନ ।
ଖୁସି ହୋଇ ପୁଅ କୋଠାରୁ ଡେଇଁଲା
ପଡ଼ି ହେଲା ଛଟପଟ,
ଛିଡ଼ା ହୋଇ ବାପ ମୁରୁକି ହସଇ
ପୁଅ ଚାହେଁ କଟ ମଟ ।
ପୁଅ ପଚାରୁଛି କଥାଦେଇଥିଲ
ପଡିଗଲେ ନେବ ଧରି,
କେମିତିକା ବାପା ନିରବ ନିଶ୍ଚଳ
ଠିଆ ହେଲ ସ୍ଥାଣୁ ପରି ?
କହୁଛନ୍ତି ବାପା ରାଜନୀତି ପାଠ
ପ୍ରଥମ ପାହାଚ ଏହି,
ରାଜନୀତି କ୍ଷେତ୍ରେ ନିଜ ବାପାକୁ ବି
ବିଶ୍ଵାସ ଭରସା ନାହିଁ ।
ଆଜିକା ଦିନରେ ରାଜନୀତିର ଏ
ପାଠ ହେଲା ଖଡ଼ିଛୁଆଁ,
ବେଇମାନୀ ପାଠ ପଢ଼ି କର ନାଟ
ଦେଖିବ ସାରା ଦୁନିଆଁ ॥
ଶବ୍ଦ ବିନ୍ଧାଣି କୁଞ୍ଜବିହାରୀ ଦଳାଇ
ଜୟ ଶ୍ରୀଜଗନ୍ନାଥ ଭରସା। ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ଏହି ଅଭିନବ ପ୍ରୟାସ ପାଇଁ ଆନ୍ତରିକ ଧନ୍ୟବାଦ