#ରୋଜା କୁଆଁ ଓ ବଣିର କାହାଣୀ
÷÷÷÷÷÷÷÷÷÷÷÷÷÷÷÷÷÷÷
ନିଦାଘର ଅସହ୍ୟ କୋପରେ ବଳକା ଆୟୁଷର ଶେଷ ନିଃଶ୍ୱାସ କେତୋଟି ଗଣୁଛି ରୋଜା । ଦଶ ଦିନ ହେବ କିଛି ଖାଇନାହିଁ ସେ । ତା’ର ଏଭଳି ଦୁର୍ଦ୍ଦଶା ଦେଖି ପ୍ରିୟ ସଖୀ ମଧ୍ୟ ସମ ଦୁଃଖୀ ହେବାରେ ଲାଗିଲା । କିନ୍ତୁ ସେ ନାଚାର କଣ ବା କରିପାରିବ ? ତା’ର ମଧ୍ୟ ଦଶ ଦିନ ହେବ ପେଟକୁ ପାଣି ବୁନ୍ଦାଏ ଯାଇନି । ତଥାପି ରୋଜା ଅପେକ୍ଷା ଟିକିଏ ଦମ୍ଭିଲା ଅଛି କୁଆଁ ।
କଣ କରିବ କଣ ନ’କରିବ, ଏମିତି ଭାବୁ ଭାବୁ ଆଖି ଯାଇ ପଡ଼ିଲା ଆକାଶରେ ଉଡୁଥିବା କୁନି ବଣି ଚଢେଇଟି ଉପରେ । ଅତି ଭାବ ବିଗଳିତ ସ୍ଵରରେ ସେ ଡାକଦେଲା ।
“ବଣି ଭଉଣୀ ! ବଣି ଭଉଣୀ ଟିକିଏ ଓହ୍ଲାଇ ଆସ । ମୋ ସଖୀକୁ ବଞ୍ଚାଅ” ।
ବଣି ଚଢେଇଟି ତତକ୍ଷଣାତ୍ ସେମାନଙ୍କ ପାଖକୁ ଆସିଲା ।ଦେଖିଲା ଘି କୁଆଁରୀ ଗଛଟିର ଆଖିରୁ ଅନବରତ ଅଶ୍ରୁର ସୁଅ ଛୁଟିଚାଲିଛି । ତା’ ପାଖରେ ଥିବା ଟିକି ଗୋଲାପ ଗଛଟିର ଫୁଲ ସବୁ ମଉଳି ପଡ଼ିଛି ।ଗଛର ପତ୍ର ମାନ ଶୁଖିଯାଇ ଗୋଟି ଗୋଟି କରି ଝଡି ଯାଇଛନ୍ତି ।
ଘର ମାଲିକ ଗ୍ରୀଷ୍ମ ଅବକାଶରେ କୋଡ଼ିଏ ଦିନ ପାଇଁ ବାହାରକୁ ବୁଲି ଯାଇଛନ୍ତି । ଏ ସମୟରେ ଦଶ ଦିନ ହେବ ସେମାନଙ୍କୁ କେହି ପାଣି ଟୋପାଏ ବି ଦେବାକୁ ନାହିଁ । ମଣିଷଙ୍କର ସିନା ପାଟି ଅଛି କିନ୍ତୁ ଗଛ ଲତା ମାନେ ସେମାନଙ୍କର ମୁହଁ ଖୋଲି ନିଜର ବିକଳ ଅବସ୍ଥା କହିବେ ବା କେମିତି, ସେମାନଙ୍କର କଣ ପାଟି ଅଛି ?
“ବଣି ଭଉଣୀ ତୁମେ ତ ଆକାଶରେ କେଡ଼େ ସ୍ୱଚ୍ଛନ୍ଦରେ ବୁଲୁଛ । ମେଘ ଖଣ୍ଡରୁ ମେଘ ଖଣ୍ଡକୁ ଡେଇଁ ଡେଇଁ ଅନନ୍ତ ଉଡାଣ ଭରୁଛ । ସେଇ ମେଘକୁ ଟିକିଏ କୁହନ୍ତନି ତା’ ଅସୀମ ଜଳବୁନ୍ଦାରୁ କାଣିଚାଏ ଜଳ ଆମ ଉପରେ ଢାଳନ୍ତା ।”
– ସଖୀ କୁଆଁ ! ଆଉ କଣ ସେ ବେଳ ଅଛି ? ବ୍ରହ୍ମା ଯେତେବେଳେ ସୃଷ୍ଟିକୁ ଗଢ଼ିଥିଲେ ସେତେବେଳେ ପ୍ରଦୂଷଣର ରାକ୍ଷସ, ଧରଣୀ ମା’ କୁ ଆକ୍ରମଣ କରି ଯେପରି କ୍ଷତି ନ ଘଟାଏ, ତେଣୁ ତା କୋଳକୁ ସବୁଜ ବନାନୀରେ ପରିପୂର୍ଣ କରି ରଖିଥିଲେ । ସୂର୍ଯ୍ୟ ଦେବତାଙ୍କ କୋପରୁ ରକ୍ଷା ପାଇବା ପାଇଁ ବାୟୁମଣ୍ଡଳ ଉପରେ ଗୋଟିଏ ଓଜନ ସ୍ତର ବି ନିର୍ମାଣ କରିଥିଲେ । କିନ୍ତୁ ଲାଭ କଣ ହେଲା ? ଏ ମଣିଷ ସମାଜ ବୃକ୍ଷ କାଟି ବାତାବରଣ ପ୍ରଦୂଷଣ କରିବା ଫଳରେ ଓଜନରେ ରନ୍ଧ୍ର ହେବାକୁ ଲାଗୁଛି । ଇନ୍ଦ୍ର ଦେବ ବହୁତ ଉତ୍ୟକ୍ତ ହୋଇଅଛନ୍ତି । ତେଣୁ ସୂର୍ଯ୍ୟଦେବ ନିଜର କୋପ ରନ୍ଧ୍ର ଦେଇ ଧରଣୀ ପୃଷ୍ଠ ଉପରେ ଛାଡୁଛନ୍ତି । ଆଉ ବରୁଣଦେବ ମଧ୍ୟ ବର୍ଷା କରିବାକୁ କୁଣ୍ଠିତ ପ୍ରକାଶ କରୁଛନ୍ତି ।
ରୋଜାର ଆଖି ବୁଜି ବୁଜି ଆସୁଥାଏ ।କୁଆଁ ନିଶ୍ଚଳ ହୋଇ କାନ୍ଦିବାକୁ ଲାଗିଲା । ତା’ ନିଜ ଶରୀରକୁ ଥଂଟରେ ଖୁମ୍ପି ପାଣି ବାହାର କରି ରୋଜା ଶରୀରରେ ସିଞ୍ଚନ କରିବାକୁ ବଣି ଆଗରେ କୁଆଁ ଅନୁନୟ କଲା ।କିନ୍ତୁ ଏଥିରେ କୁଆଁକୁ ଶକ୍ତ ଆଘାତ ଲାଗିବ ଆଉ ତା’ ଜୀବନ ମଧ୍ୟ ଚାଲିଯିବ ଭାବି ବଣି କହିଲା…
– “ବ୍ୟସ୍ତ ହୁଅନା ଭଉଣୀ । ମୁଁ ଏବେ ଯାଇ ମୋ ଜାତି ଭାଇମାନଙ୍କୁ ଏକତ୍ରିତ କରି ପାଣିର ବନ୍ଦୋବସ୍ତ କରିଆସୁଛି ।”
ଅଳ୍ପ ସମୟ ମଧ୍ୟରେ ଦେଖୁ ଦେଖୁ ଆକାଶ ମାର୍ଗରୁ ଗୁଡ଼ାଏ ପକ୍ଷୀ ନିଜ ନିଜ ଚଞ୍ଚୁରେ ଜଳ ଆଣି ରୋଜା ଆଉ କୁଆଁ ଦେହରେ ସିଞ୍ଚନ କଲେ । ମଣିଷ ହୋଇ ମଧ୍ୟ ସେମାନେ ଭାବିପାରିଲାନି ଯେ ନିଜ ଅନୁପସ୍ଥିତିରେ ଗଛଗୁଡ଼ିକର ଅବସ୍ଥା କଣ ହେବ, ପକ୍ଷୀ ଗୁଡ଼ିକ କିନ୍ତୁ ଠିକ୍ ବୁଝିଲେ । କିଛି ପତ୍ରର ଦନା କରି ସେଥିରେ ନିତି ପାଣି ଆଣି ସମସ୍ତ ଗଛଗୁଡ଼ିକୁ ସିଞ୍ଚନ କରୁଥିଲେ ।
★★★★★★
©ଦୀପିକା ଦାଶ