#ହେ_ମୃତ୍ୟୁ -୨
ହେ ମୃତ୍ୟୁ !!
ଅନ୍ତ କରି ଏବେ ତମାମ ପ୍ରତୀକ୍ଷାର,
ଅନ୍ତ କରି ଏବେ ତମାମ ସମୀକ୍ଷାର,
ଆଲିଙ୍ଗନ କର……।
ତୁମେ ଲିପ୍ସା,
ଅବିଶ୍ରାନ୍ତ ବସ୍ତୁବାଦରୁ ମୁକ୍ତ ହୋଇ
ଏବେଏବେ ଜୀବନକୁ ଚିହ୍ନୁଥିବା
ଗୋଟିଏ ଅର୍ଦ୍ଧ ପରିପକ୍ୱ ପ୍ରାଣର…।
ଏକ ନିଷ୍ପ୍ରାଣ ତଥା ଜୀବନ୍ତ ଆତ୍ମାର….।
ମୁଁ ଧର୍ମରାଜ୍ ନୁହେଁ ଯେ
ଅକ୍ଲେଶରେ ଲଙ୍ଘିପାରିବି ସୀମା ତୁମର
ନା ମୁଁ ନଚିକେତା; ଅଡ଼ି ବସିବି ତୁମ ଆଶିଷ ପାଇଁ..
କିନ୍ତୁ; ତୁମେ ତ ସ୍ଵାଧୀନ !!
ଦେଖିଛି… ଦେଖିଛି ତୁମ ଅବାଧ ପ୍ରବେଶ
ଜୀବନ ନିଷିଦ୍ଧ ଇଲାକାରେ..।।
କ’ଣ ତୁମେ ଉଡ଼ାଇ ନେଇନ
ଘର ଉପରୁ ଆଶ୍ଵାସନାର ଛାତ ??
କ’ଣ ତୁମେ କଢ଼େଇନେଇନ
ନିସହାୟ ଶିଶୁ ମୁଣ୍ଡରୁ ବାପର ସ୍ନିଗ୍ଧ ହାତ ??
ତୁମେ ଉଜାଡ଼ି ଦେଇଛ
କୁଆଁରୀ ମଥାର ସୁହାଗ, ବାସର ରାତିରେ,
ତୁମେ ବୁହାଇ ପାରିଛ
ପୁଅଟିର ଶବ ବିଚରା ବାପର ପିଠିରେ..।
ମୃତ୍ୟୁ ତୁମେ ….ଝରଣା ସନ୍ଧାନେ
ଝଜକୁଥିବା ସେ ତୃଷାର୍ତ୍ତ ପଥିକର
ଜୀବନ ମରୁ ଭୂଇଁରେ,
ଝଞ୍ଜକା, ଅବାଞ୍ଛିତ ଧୂଳିଝଡ଼ର….
ତୁମେ ଲକ୍ଷ୍ୟଟିଏ ଶେଷତମ ମୋଡ଼ର…।
ତଥାପି ମୁଁ କହେ;
ମୃତ୍ୟୁ ସିନା ନାଆଁରୁ ବଦନାମ
ଜୀବନଠୁ ଅଧିକ ଯନ୍ତ୍ରଣା କ’ଣ ମୃତ୍ୟୁ ଦେଇ ପାରେ…??
ତେବେ, ମୋ’ ପାଇଁ ବଧିର ସାଜିବା
ଲଗାଇବନି କି ଦାଗ ତୁମ ପ୍ରଭୁ ପଣରେ…??
ଆସ…..ଆଲିଙ୍ଗନ କର…..।
ହେ ମୃତ୍ୟୁ !!
ଏ ଯାତ୍ରା କିନ୍ତୁ ସହଜ ନଥିଲା….
ଏଇ ଯାତ୍ରା ଥିଲା ଯେମିତି,
ଏକ ଅନ୍ତହୀନ କାଳରାତ୍ରୀରେ
ସୀମାହୀନ ଘନ ସଘନ ବନରେ
ଦୁର୍ଲଭ ଆଲୋକ ଟିଏ ର ଅନୁସରଣ………।।
#ସୁପ୍ରଜିତ୍ ସାହୁ 🖋️