🌼!!ଶେଷଥର!!🌼
(ଗୀତି କବିତା)
ଶେଷଥର ପାଇଁ ଫେରି ଚାହଁ ପ୍ରିୟ !
ବାଟ ସରିବା ଆଗରୁ ଥରେ
ଆଖିର ଲୁହରେ ମୋ କବରୀ ଭିଜୁଛି
ତୋଳି ଧର ନିଜ ଆଞ୍ଜୁଳାରେ ॥O॥
ଭୁଲିଯାଅ ବୋଲି କହିଦେଲେ ସତେ
ମୁଁ ତୁମକୁ କି ଭୁଲି ପାରେ
ଯତନେ ରଖିଛି ସ୍ମୃତିକୁ ସାଇତି
ତୁମ ପ୍ରେମକୁ ମୋ ହୃଦୟରେ ॥୧॥
ମନ ଦିଆ ନିଆ ନୁହେଁ ଦି’ଦିନର
ସାଥୀ ତୁମେ ସାରା ଜୀବନ ମୋର
ରୁହ ପଛେ ତୁମେ ଯେତେ ଦୂରରେ
ମୁଁ ନୀଳକଇଁ ତୁମେ ଜହ୍ନ ମୋର ॥୨॥
ଫଗୁଣର ଫଗୁ ଭରା ଋତୁ ବୋଲି
ତୁମକୁ ମୁଁ ମନେ ଭାବିଥିଲି
ଫେରୁଛ ତୁମେ ମୋ ପାଦ ଆଗରେ
ଶୁଷ୍କ ଝଡ଼ାପତ୍ରର ଗାଲିଚାକୁ ମେଲି ॥୩॥
ସ୍ଵପ୍ନ ସବୁକୁ ଶ୍ରାବଣେ ଭସେଇ
ତୁମେ ବାଟ ଭାଙ୍ଗି ଚାଲିଗଲ
କେଉଁଠୁ ସାଉଁଟିବି ମୋ ହସ ଟୁକୁଡ଼ା
ମୋ ଖୁସି ପସରାକୁ ତୁମେ ସାଥେ ନେଇଗଲ ॥ ୪॥
ଭୁଲିବାର ଯଦି ଥିଲା ଗୋ ପ୍ରିୟ
କାହିଁ କରିଲ ପ୍ରେମର ଛଳନା
ବେସାହାରା ମୁଁ ଏବେ ମଝି ସାଗରରେ
କେଉଁ କୂଳର ହେବି ମୁଁ ଜାଣେନା ॥ ୫॥
ଜାଣିରଖ ତୁମେ , ମୋର ଏ ଜୀବନେ
ତୁମ ବିନା କେହି ନାହିଁ
ତୁମେ ଯେବେ ମୋତେ ପର କରିଦେଲ
ମୁଁ କାହାର ହୋଇବି କାହିଁ ॥ ୬॥
କେତେ ଶରଧାରେ ଅତି ଯତନରେ
ଗଢିଥିଲି ବାଲିଘର
ଅଚାନକ ଆସି ଭାଙ୍ଗିଦେଲା ତାକୁ
ତୁମ ପ୍ରତାରଣା ରୂପ ଜୁଆର ॥୭॥
ମୋ ଆଖି ଲୁହକୁ ତୁମେ ପାରନା ବୁଝି
ସତେ ହୃଦୟ କି ତୁମ ନାହିଁ
ଶେଷ ଶ୍ରାବଣ ମୋ ଆଖିର ଅତିଥି
ତୁମେ କେମିତି ପାରୁଛ ସହି ॥୮॥
ଆମ ପ୍ରେମର ପ୍ରଣୟ ବସନ୍ତକୁ
ବିରହାଗ୍ନିରେ ଜାଳିଦେଲ
ଅତି ନିରିମାଖି ମନଟିକୁ ମୋର
ବିନା ଦୋଷେ ଭାଙ୍ଗିଦେଲ ॥ ୯॥
ଶେଷଥର ପାଇଁ ଫେରିଚାହଁ ପ୍ରିୟ !
ତୁମକୁ ଦେଉଛି ରାଣ
ବାହୁ ବନ୍ଧନରେ ଛନ୍ଦି ଦିଅ ମୋତେ
ତୁମ ବକ୍ଷରେ ଯାଉ ମୋ ପ୍ରାଣ ॥୧୦॥
✍️ରଶ୍ମିରେଖା ଦାସ, କଟକ✍️