ତୀର୍ଥ

ନେତ୍ର ପବିତ୍ରତା, ହୃଦ ମନ ତୃପ୍ତେ
ମୁକ୍ତି ଅର୍ଥେ ଯାଉ ତୀର୍ଥ,
ନାନା ଦେବାଦେବୀ ଦରଶନ ଲଭି
ଭାବୁ ହେଲୁ ଜୀବନ୍ମୁକ୍ତ,
ସେ ନୁହେଁ ମୁକତି ପଥ,
ପ୍ରକୃତ ତୀର୍ଥରେ ଯିଏ ବୁଲିଅଛି
ତା’ କର୍ମ ହୁଏନି ବ୍ୟର୍ଥ ।

ତୀର୍ଥ ଭ୍ରମି ଗଲେ ଗଣେଶ କାର୍ତ୍ତିକ
ହେବାକୁ ଗଣାଧିପତି,
କାର୍ତ୍ତିକ ମୟୂର ବାହନେ ବସିଣ
ବୁଲିଲେ ସରବ କ୍ଷିତି,
ଗଣେଶ ପିତାଙ୍କ କତି,
ତାଙ୍କ ଚାରିପାର୍ଶ୍ବେ ମୂଷିକ ବାହନେ
ବୁଲି ହେଲେ ଗଣପତି ।

ପିତାମାତାଙ୍କର ଚରଣ କମଳ
ଅଟଇ ପ୍ରଥମ ତୀର୍ଥ,
ସେ ତୀର୍ଥରେ ଯିଏ ଦେହ ମନ ପ୍ରାଣ
ନିୟୋଜନେ ଥାଏ ବ୍ୟସ୍ତ,
ମନୋବଳ ଧରି ଶକ୍ତ,
ଯେତେ ବାଧାବିଘ୍ନ ଆସିଲେ ବି ପଥେ
ଝରେନି ତା’ ଦେହୁ ରକ୍ତ ।

ପୁଣି ତୀର୍ଥ ଅଟେ ଯେଉଁଠି ଅଛନ୍ତି
ଦୀନ,ଅସହାୟ ଜନ,
ପରମ ପବିତ୍ର ସେ ଧାମ ଯାଇ ଯେ
ବୁଝଇ ତାଙ୍କର ମନ,
ହରି ନେଇ କଷ୍ଟମାନ,
ଜୀବନ ସାର୍ଥକ ହୁଅଇ ତାହାର
କରି ଅମୃତ ସନ୍ଧାନ ।

ବିନୋଦିନୀ ଦାଶ
ଯାଜପୁର

Leave a Reply

Your email address will not be published. Required fields are marked *