ସେଦିନ ବି ରାଧା….
ସେଦିନ ବି ରାଧା ଅଭିମାନ କରୁଥିଲେ
ଯେବେ ନାଟୁଆ କାହ୍ନୁ ବାଟ ଜଗି
ରାଧା ପଥ ରୋକୁଥିଲେ
କ୍ଷଣ ପରେ କ୍ଷଣ ବିତୁଥିଲା
ସଞ୍ଜ ମୁଣ୍ଡ ଉପରେ ଛିଡା ହେବାକୁ ଧାଇଁ ଆସୁଥିଲା
ବାହୁ ବନ୍ଧନ ବି ମୁକୁଳା ନଥିଲା….!!
ସେଦିନ ବି ରାଧା ଈର୍ଷାରେ ଜଳୁଥିଲେ
ଯେବେ ରସିକ ନାଗର କଳା କହ୍ନେଇ
ଗୋପୀ ସହ ରାସ କ୍ରୀଡା କରୁଥିଲେ
ପ୍ରେମ ବି ଥିଲା
ହୃଦୟରେ ଆଗ୍ନେୟଗିରିର ଜ୍ୱାଳା
ଖୁବ ଜୋରରେ ବାଜୁଥିଲା ଡେଙ୍ଗୁରା
ସେ ଓଠ ଖୋଲା ହସର ସ୍ୱର….!!
ସେଦିନ ବି ରାଧା କାନ୍ଦୁଥିଲେ ବିଚ୍ଛେଦର ଭୟରେ
ଯେବେ ରଙ୍କୁଣା ରଙ୍କନିଧି କାହ୍ନାର ବଂଶୀ ସ୍ଵନ
ଯମୁନା କୋଳରେ ଶୁଭେନାହିଁ
ଗୋରୁ ପଲ ହଁମା ରଢ଼ି ସବୁ ସେମିତି ଖାଁ ଖାଁ
ସତେକି ଅଜଣା ଆତଙ୍କ ବାରମ୍ବାର ଲୁଚି ଛପି
ପ୍ରହାର ପରେ ପ୍ରହାର କରିଚାଲନ୍ତି….!!
ସେଦିନ ବି ରାଧା ଲାଜେଇ ଲାଜେଇ ହସୁଥିଲେ
ଯେବେ ପ୍ରେମିକ ପ୍ରବୀର ପ୍ରେମାନନ୍ଦ କୃଷ୍ଣଙ୍କ
ପ୍ରତିଛବି ଆଇନାରେ ଦେଖୁଥିଲେ
ପ୍ରତି ଅଳଙ୍କାରେ,ଶୃଙ୍ଗାରେ କେବଳ ପ୍ରେମ ହିଁ ପ୍ରେମ
କୃଷ୍ଣ ଙ୍କ ପ୍ରେମମୟ ଅତର ଚନ୍ଦନ ବାସ
ଅଙ୍ଗେ ଅଙ୍ଗେ ହୋଇଛି ମିଳନ
ନିସ୍ୱାର୍ଥ ପ୍ରଶ୍ୱାସର ଶିରା ପ୍ରଶିରାରେ
କେବଳ କୃଷ୍ଣ ପ୍ରୀତି……!!
ସରୋଜିନୀ ବେହେରା