ତଥାପି କହୁଛ
***********
ଯେଉଁଠି
କଙ୍କାଳର ଛାଞ୍ଚମାନେ ଧାଡ଼ିବାନ୍ଧି ସମର୍ପି ଦିଅନ୍ତି ଅନ୍ତିମତମ ରସ ,
ତଥାପି ଶୋଷ ଅବସୋସରେ ଅନ୍ତ ଭାଙ୍ଗେ ସମୁଦ୍ର ।
ଏଣେ ଟାକିଛି ପଞ୍ଝା ମେଲି ଶାଗୁଣା ,
ହେଲେ ଏପାର ନହେଲେ ସେପାର।
ଯେଉଁଠି
ମାଟିଛୁଇଁ ମାଟିଦେହ ଜିଇଁବାର ବାଟ ଖୋଲେ ,
ପରସ୍ତ ପରସ୍ତ ମାଂସ ବଳୟର ଲାଠି ମୁଠେଇଧରେ ଦେଶ ପ୍ରେମ ର ବ୍ୟାପାର।
ଦୁଇଟି ମୁଦ୍ରାରେ ତିନୋଟି ରଙ୍ଗର ମଶାଲ, କେବଳ ତେଜିବାକୁ ପାକସ୍ଥଳୀର ଘନ ଅନ୍ଧାର।
ଯେଉଁଠି
ନ୍ୟାୟର କବାଟ କିଳି ଆଇନର ଧୂଳି ଚାଦର ତଳେ
ମୁଣ୍ଡଗୁଞ୍ଜି ଗୁମୁରି କାନ୍ଦେ ଉନ୍ନାଉ ରୁ ପିପିଲି।
ନଖଚିରା ରକ୍ତ ଛିଟାରେ ନାଲି ନାଲି ଏ କୋଠାର ଚର୍ମ।
ଜଗୁଆଳ କିନ୍ତୁ କଲମ, ଡେସ୍କ ତଳେ ଚରୁଛନ୍ତି ଜିତାପଟର ମେଣ୍ଢାପଲ।
ଯେଉଁଠି
ମୁଠେ ଭୋକର ଅନାୟାସ ସଉଦା ହୁଏ,
ଦଶମାସ ଦଶଦିନ ର ଯନ୍ତ୍ରଣା ବିନିମୟରେ।
କାନ୍ଥରେ ଢଳେଇ ଧରନ୍ତି ନାଲି ନେଳି ଯୋଜନାମାନେ ବର୍ଷ ବର୍ଷ ଧରି ,
ଫଟାମାଟିର ପୂଜକ ଉପରୁ ଝରୁଥିବା ପଦୁକାକୁ ନିରେଖେ କପାଳ ଛୁଇଁ,
ସନ୍ତର୍ପଣରେ ଶଗଡ଼ ବି ଗିଳିପାରେ ଫସଲ ଏଠି।
ସେଇଠି
ସେଇ ଉପତ୍ୟକାରେ
ଆମେ କହୁଛୁ ,, ଆମେ ମୁକ୍ତ
ଆମେ ମୁକ୍ତ ,, ତଥାପି ମୁକ୍ତ
ଶିବାନନ୍ଦ ବାରିକ
କବିସୂର୍ଯ୍ୟନଗର
ଗଞ୍ଜାମ
7978031434
421 total views, 1 views today