*ସ୍ୱପ୍ନ ଆଉ ଜୀବନ*
ନୀରବ ନିଶ୍ଚଳ ନିସ୍ତବ୍ଧ ରାତିରେ
ଘର ବାରଣ୍ଡାର କେଉଁ ଏକ କୋଣରୁ
ଯେବେ ଲୁଚି ଲୁଚି ଆକାଶକୁ ଅନାଇବାକୁ ସକ୍ଷମ ହୁଏ
ଚନ୍ଦ୍ରର ଶୀତଳ କିରଣରେ ସ୍ବପ୍ନ ସବୁ ମୋର
ଲେଖିବସନ୍ତି ପୃଷ୍ଠା ପରେ ପୃଷ୍ଠା
କଥା ଆଉ କାହାଣୀର ଅସରନ୍ତି ପୋଥି
ଯା’ର ନା ଅଛି ଆରମ୍ଭ ନା ଅଛି ଇତି।।
ଠିକ୍ ମୁଦ୍ରାର ଦୁଇଟି ପାଖ ଭଳି
ଜୀବନ ଅଛି ତ ସଂଘର୍ଷ ରହିବ
ନିରାଶାର ଅଗଭୀର ସାଗରରେ
ଆଶାର ନାବଟିଏ ଅଛି
ତଥାପି କାହିଁକି ଇଛାହୁଏ ,
ଜୀବନର ଦୋଛକିରେ ବସି ଯାଆନ୍ତି
ସୂର୍ୟଦୋୟ ପୂର୍ବରୁ ଭୂମିରେ ଲୋଟି ପଡୁଥିବା
ଗଙ୍ଗଶିଉଳି ଭଳି ମୃତ୍ୟୁକୁ ସାଥିରେ ନେଇ, ହେଲେ
ମହାଭାରତର ମାହାସମରରେ କୃଷ୍ଣଙ୍କ ପରି
ଦମ୍ଭ ଧରି ଛିଡାହୁଏ କିଛି ସମୟ ପାଇଁ।।
ଜୀବନ ସଂଗ୍ରାମର ପ୍ରତ୍ୟେକଟି ପାହାଚରେ
ଅନ୍ୟାୟ,ଅଧର୍ମ,ଅନୀତି ସହ ଲଢି ଲଢି ଥକି ଯାଇ
ବିଶ୍ରାମ ପାଇଁ ଆଶ୍ରା ଖୋଜୁଥିବା
କ୍ଳାନ୍ତ ସୈନିକଟେ ଭଳି ମୁଁ ବି ଖୋଜିବୁଲେ
ନ୍ୟାୟ, ଧର୍ମ ଏବଂ ନୀତି ନିଷ୍ଠାର ଆଶ୍ରୟ
କିନ୍ତୁ କୋଉଠି ମିଳେନା
ମିଳେ ତ କେବଳ ଅସରନ୍ତି ଯାତନା
ବୋଧେ ଏଇଆ ହିଁ
ଜୀବନକୁ ମନଖୋଲି ଜୀଇଁବାର
ଏକମାତ୍ର ବାହାନା,
ନା ,ଭାଗ୍ୟର ବିଡମ୍ବନା
ହେଇପାରେ ମଣିଷ ଟେ ବୋଲି
ମୋ ମନର କପୋଳକଳ୍ପିତଭାବନା।।
****** ______*****
©® ମନୋଜ କୁମାର ମହାନ୍ତ
ଜିଲ୍ଲା:- ମୟୂରଭଞ୍ଜ