🌿🍂 ତୁମରି ଇଛାର ମୂର୍ଚ୍ଛନା 🍂🌿
କେତେବେଳେ ତୁମ ଇଛାର ମୂର୍ଚ୍ଛନାରେ
କେତେବେଳେ ତୁମ,
ନୂଆ ସଂକଳିତ ସଂସ୍କରଣରେ
ଗୀତଟିଏ ଗାଏ ସଂଜ ଆଲୁଅରେ
ତୁମ ଅମୃତ ସଂଯୋଜନାରେ
ସ୍ୱର୍ଗର ସୌର୍ନ୍ଦଯ୍ୟ ତୋଳେ ଏହି ବିଶ୍ୱମଞ୍ଚରେ ।
ସଂସାର ସରହଦରେ,
ପ୍ରଗଳ୍ଭ ପାପର ପ୍ରଳାପ,
ତୁମେ ଓ ମୁଁ, ଏକ ଏକ
ପ୍ରଶାନ୍ତ ପରିବ୍ରାଜକ ।
ପୂଣ୍ୟ ପୁରୋଧା ଚୟନରେ
ମୁଁ ତୁମକୁ ଈଶ୍ୱର ବୋଲି ଡାକେ
ଓ ତୁମେ ମୋତେ ଈଶ୍ୱରୀ ଭାବ
ଉପାସନା କରୁ ଦୁହେଁ ଦୁହିଁଙ୍କ ର
ଅନ୍ତରରେ ଆଶ୍ୱସ୍ତି ଆସେ, ବିସ୍ମୟ ହେଉ
ଏ ଅଭିନବ ସର୍ବଂସହା ସୃଷ୍ଟିର ପରିକଳ୍ପନାରେ ।
ସବୁ ଜନ୍ମର ଅନୁଭବ ତୁମେ
ମୁଁ ବି ପ୍ରତିଟି ସକାଳର ନୂଆ ରୂପ
ତଥାପି ଅବୁଝା ରୁହେ କିପରି କେଜାଣି
ଆମ ରୂପ ସତରେ କ’ଣ ଏହି ବିଶ୍ୱର ?
ଦିଶେ ଏଡେ ସୁନ୍ଦର – ମଧୁର !
ତୁମ ତୁଳୀର ସ୍ପର୍ଶରେ ମୁଁ ତଟସ୍ଥ,
ଇନ୍ଦ୍ରଧନୁର ସପ୍ତରଙ୍ଗରେ ଆକାଶ ଚିତ୍ରିତ
ବହୁ ଗ୍ରହ ଉପଗ୍ରହ ହୁଅନ୍ତି ଆତଯାତ
ଉଷ୍ମ ମରୁଭୂମିର ବାଲିରଂଗରେ ତ ପୁଣି
କେତେବେଳେ ଧରିତ୍ରୀର ମାଟିରଂଗରେ !
ସମୁଦ୍ର ବେଳା ଭୂଇଁରେ,
ଢେଉ ଢେଉକା ଶେଯରେ,
ଆକାଶକୁ ମଥାଟେକି ଚାହେଁ,
ମୋ ଠିକଣା ଠାବ କରିବାରେ !
ମୋ ଆତ୍ମ-ଗଭୀର ଗାମ୍ଭିର୍ଯ୍ୟରେ
ଢାଙ୍କିଦେଲା ପରି କେଉଁଠି ଛୁପିଥାଏ
ସୁନ୍ଦର ଲହରୀର ସ୍ପର୍ଶରେ,
ଏ ଅପୂର୍ବ ରୋମାଞ୍ଚ ଭରା ଅନୁଭବ ?
ଏ ତ ନିଶ୍ଚୟ ଜଙ୍ଗଲର ଛବିଅଙ୍କା ଦୃଶ୍ୟ
ଖୋଜୁ ଖୋଜୁ ହଜିଯାଏ ସେଠି,
ପାଲଟିଯାଏ ନିମିଷକେ ଗୋଟିଏ ବିରାଟ ବରଗଛ
ଅବା ବଡ଼ ପଥରମୂର୍ତ୍ତିର ଖମ୍ବ !!
————-*————-
ଜାହ୍ନବୀ ଚୌଧୁରୀ