ଦୁଃଖ ସୁଖ
********
ପୂର୍ବ ପଟର ଝରକା ଖୋଲିଲି ତ’ ସିନ୍ଦୂରା ଫିଟିଲା।ସୂରୁଜ ମୁରୁକି ହସିଲେ ତ’ ସକାଳ ହେଲା।ଅଳସ ଭାଙ୍ଗି ସାରିଥିଲେ ସାମ୍ନାରେ ଦୃଶ୍ୟମାନ ବିସ୍ତୀର୍ଣ୍ଣ ପଡିଆର ଘାସ ମାନେ। ମୋ ଆଖି ସେମାନଙ୍କ ଉପରେ ପଡ଼ିଲା ତ’ ଅଳ୍ପ ଅଳ୍ପ ହସି ଡାକିଲେ-“ଆସୁନ ! ଟିକେ ଦୁଃଖ ସୁଖ ହେବା। କେଉଁ ଦିନୁ ଆମ ଆଡେ ପାଦ ପଡିନି।ନା ସକାଳେ ,ନା ସଞ୍ଜରେ ।”ମୁଁ କହିଲି, ସୁଖ କ’ଣ ଅଛି ଆଉ ଏ ସଂସାରରେ ? ଖାଲି ଦୁଃଖ ଆଉ ଦୁଃଖ।ନଈ ଭଳିଆ ଲମ୍ବିଛି ଯେ ଆଖି ପାଉନି। ପୁଣି କେତେ ରୂପରେ କେତେ ରଙ୍ଗରେ। କେବେ ମନ ଭାଙ୍ଗୁଛି ତ କେବେ ଦେହ…! କେବେ ବଢିପାଣି ହୋଇ ତଡି ନେଉଛି ତ କେବେ ହାହାକାର ମଚଉଚି ଜୀବନରେ ଅସମୟଟାରେ। ସେଇ ଦୁଃଖ ପୁଣି ପାଗଳ ପବନ ହୋଇ ପ୍ରଳୟ ରଚୁଛି।ମୋଡି ପକଉଛି ଜୀବନକୁ। ସୁନାମୀ ହୋଇ ଉଚ୍ଛନ୍ନ କରୁଛି ଜୀବଦ୍ଦଶାକୁ…! ପୁଣି କେବେ ମହାମାରୀ ରୂପ ନେଇ କୋକୁଆ ଭୟ ସୃଷ୍ଟି କରି ଦିନରାତି ମଞ୍ଜ ଥରଉଛି…! ଏଥିରେ କ’ଣ ଖୁସି ହେବି କହ !!!
ଘାସ ସବୁ ହସିଲେ ଏଥର। କହିଲେ ପ୍ରାଣ ଥିଲେ କଷ୍ଟ ଅଛି।ତୁମର ହେଉ କି ଆମର ହେଉ।ତୋ’ରି ପୁଅ ଆଉ ତା ସାଙ୍ଗମାନେ ଆସି ଆମକୁ ମାଡ଼ି ମକଚି ପକାନ୍ତି। ପୁଣି କେବେ ସେମାନେ ଆସି କୋରି ରାମ୍ପି ଆମକୁ ନିଃଶେଷ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କ ଖେଳ ପାଇଁ ।କେବେ ପୁଣି ଠାକୁର ପୂଜା ପେଣ୍ଡାଲ କରି ଗୀତ ବଜେଇ ଛେଚି କୁଟି ହୋଇ ଆମରି ଉପରେ ନାଚନ୍ତି। ଅଣ ନିଃଶ୍ବାସୀ ହୋଇ ଆମେ ଆକ୍ତାମାକ୍ତା ହୋଇ ଉଠୁ । ସେଥିରୁ ବର୍ତ୍ତି ନିଃଶ୍ବାସ ମାରିଲା ବେଳକୁ ରୌଦ୍ର ତାପର ତାଣ୍ଡବରେ ଆମେ ଜଳି ପୋଡି ଯାଉ। ପୁଣି ଥରେ ପତ୍ରେ ଦୁଇ ପତ୍ରେ ହୋଇ ଆଖି ମେଲିଲା ବେଳକୁ ଗାଈ ଗୋରୁ,ବୁଲାଷଣ୍ଢ ମାନେ ଆସି ଅଦଉତି ସାଧନ୍ତି।ଖୁରି ଖାଇ ଆମକୁ ଦଳି ଚକଟି ମନ୍ଥି ପକାନ୍ତି।
ତଥାପି ଆମେ ମରି ଯାଇନୁ। ସୂର୍ଯ୍ୟ, ମେଘ, ପବନକୁ ନେହୁରା ହୋଇ ଜୀବନ ବଞ୍ଚେଇଛୁ। ଦେଖ ! ଆଜି ଶାଗୁଆ ରଙ୍ଗର ଶାଢ଼ୀ ପିନ୍ଧି ଆମେ କେମିତି ସଜେଇ ହେଇଚୁ ! ଶରତ ସକାଳର ଶିଶିର ବିନ୍ଦୁକୁ ମଥାରେ ଟିକିଲି କରି ପିନ୍ଧି ପକେଇଚୁ ! ଯେତିକି ସୁଖ ଆମ ଭାଗ୍ୟରେ ଲେଖା, ସେତିକି ଆଦରି ନେଇଛୁ । ତୁମେ ଯେତେବେଳେ ଝରକା ପାଖରେ ଠିଆହୋଇ ବାହାରକୁ ଚାହଁ, ଆମେ ହାତ ହଲେଇ କେତେ ଥର ପାଖକୁ ଡାକିଛୁ।ଭାବୁ,ଆଗରୁ ଆମକୁ ନିଜର ଭାବୁଥିବା ଲୋକଟି ଏତେ ବଦଳି ଗଲା କେମିତି ! ତୁମେ ତ’ ସବୁବେଳେ ନିଜ ଖିଆଲରେ ମସଗୁଲ ଅବା ଅନ୍ୟ ମନସ୍କ। ଆମେ କେମିତି ତୁମ ମନ କଥା ବୁଝିବୁ ଯେ ! ହେଲେ ଦେଖ , ଆମେ ଆଦ୍ୟ ଆଷାଢ଼ରୁ ତୁମ ଚଲାପଥରେ ନରମ ଗାଲିଚା ଟିଏ ତିଆରିଛୁ। ହେଲେ ତୁମେ ତ ଆମକୁ ନିଜର ଭାବୁନା !
ସେମାନଙ୍କ ଅଭିମାନ ଭରା ଭିଜା ଭିଜା କଣ୍ଠରେ ମୁଁ ତରଳି ଗଲା ଭଳି ଅନୁଭବ କରୁଥିଲି। ନଜର ପଡିଲା ସେମାନେ ପୁଷ୍ପବତୀ ହେଲେଣି କେବେଠୁ । ସେମାନେ ସୌଭାଗ୍ୟବତୀର ଆଖ୍ୟା ପାଇ ସାରିଲେଣି । ଟିକି ଟିକି ଧଳା ଫୁଲରେ ବିଛେଇ ହୋଇ ପଡ଼ିଥିଲା ସେମାନଙ୍କ ଦେହ । ନଜର ପଡିଲା ଟିକିଏ ଦୂରରେ ପ୍ରଜାପତି ମାନେ ମୋତେ ଛୁଁ…..ଖେଳରେ ମାତିଛନ୍ତି । ଘାସ ଫୁଲ ମାନଙ୍କୁ ପ୍ରୀତି ବାଣ୍ଟୁଛନ୍ତି ମନ ଭରି !!!
-” ଆମକୁ ଦେଖି ତୁମକୁ ଟିକେ ଏବେ ଭଲ ଲାଗୁଛି ନା ! ଦିନ ରାତି କାହିଁକି ଦୁଃଖ ଗୀତ ଗାଉଛ ? ଆମେ ରସରେ ବଞ୍ଚୁ। ତୁମେ ବି ରସରେ ବଞ୍ଚ । ଆମେ ରସ ଟାଣୁ ଖାଲି ମାଟିରୁ। ତୁମେ ତ’ ରସ ଟାଣି ପାର ବିଶ୍ବ ବ୍ରହ୍ମାଣ୍ଡରୁ….!!! ତଥାପି ଜୀବନ ପ୍ରତି ଏତେ ବୀତସ୍ପୃହ କାହିଁକି ???
ନିଦ ଭାଙ୍ଗିଲା ବେଳକୁ ସିନ୍ଦୂରା ଫିଟି ଫିଟି ଆସୁଥିଲା। ମୁଁ ପାଦ ବଢ଼େଇଲି ଘାସ ମାନଙ୍କ ସହ ଟିକେ ସୁଖଦୁଃଖ ହେବାକୁ ।
ସୁଦର୍ଶନ ମହାପାତ୍ର,କୁଞ୍ଜବିହାରୀ ଲେନ,କଟକ#
299 total views, 1 views today