ସୁଖ ଦୁଃଖ ଦୁହେଁ ଯାଆଁଳା ଭାଇ
ବିନୋଦିନୀ ଦାଶ
ମଣିଷ ଜୀବନେ ତା’ର ଚଲାପଥେ
ସୁଖ ଦୁଃଖ ଦୁହେଁ ଯାଆଁଳା ଭାଇ,
ଗୋଟିକ ଭିତରେ ଆଉ ଗୋଟିଏ ତ
ରହିଥାଏ ସଦା ନିର୍ଲିପ୍ତ ହୋଇ,
ଜଣେ ଖରା ଜଣେ ଛାଇ,
ଜଣେ ହେଲେ ଦୃଶ୍ୟ ଆନ ଯେ ଅଦୃଶ୍ୟ
କାଳଚକ୍ର ଗତି ଅଟଇ ଏହି ।
ଜଣକ ବିହୁନେ ଆନର ମହତ୍ତ୍ବ
କେହି କେବେ ବୁଝି ପାରଇ ନାହିଁ,
ଜୀବନ ଜଞ୍ଜାଳେ ଉଭୟକୁ ସାଥୀ
କରି ଯିଏ ନିତି ଚଳୁଣ ଥାଇ,
ପ୍ରସନ୍ନତା ହୃଦେ ବହି,
ବାଧାବିଘ୍ନ ଯେତେ ଆସିଲେ ବି ପଥେ
ଚଳଇ ସିଏ ସବୁକୁ ଆଡେଇ ।
ଜଣେ ଭରି ଦେଲେ ଜୀବନରେ ଖୁସି
ଆନ ଦିଅଇ ଅଶେଷ ଯନ୍ତ୍ରଣା,
ଜଣକ ଦର୍ଶନ ପରେ ମିଳିଥାଏ
ଆନ ଜଣକର ପୁଣି ଠିକଣା,
ସଭିଏଁ ଦେଇ ପାଉଣା,
ନିଜ ନିଜ ବାଟେ ଚାଲି ଯାଉଥା’ନ୍ତି
ମନକୁ ତାଙ୍କର ନ କରି ଊଣା ।
ଜଣକ ମୁଖକୁ ନିରେଖି ଦେଖିଲେ
ଆନ ମୁଖ ସ୍ମୃତି ଭାସେ ମାନସ,
କୋଳାକୋଳି ହୋଇ ଦୁଇ ଜଣଯାକ
ହୃଦ ପରିଧିରେ ରୂପ ପ୍ରକାଶ,
ଭରି ହରଷ ବିରସ,
ଗୋଟିଏ ଉଦରୁ ଜନ୍ମ ବୋଲି ଦୁହେଁ
ମନ ହୁଏ ନାହିଁ କେବେ ବିବଶ ।
ଜଗତ ପିତାଙ୍କ ଆଶିଷ ମଣଇ
ତାହାକୁ ଏ ମର୍ତ୍ତ୍ୟରେ ଯେଉଁ ଜନ,
ସୁଖରେ ବିଭୋର ଦୁଃଖରେ ଅଧିର
ହୁଏ ନାହିଁ କେବେ ତାହାର ମନ,
ବିଭୁ ପାଦେ ରଖି ଧ୍ୟାନ,
ସେହି ସୁଖଦୁଃଖ ଯାଆଁଳା ଭାଇଙ୍କୁ
କୋଳେଇ ସେ ଧନ୍ୟ କରେ ଜୀବନ ।
କୁରୁଆଁ, ମୁଗପାଳ, ଯାଜପୁର
10 total views, 1 views today