ଅପରାହ୍ନ ର ଅବଶୋଷ
ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ବିଜୁଳି ଟି ବି କଟି ଯାଇଛି । ହାତରେ ହାଡ ପଙ୍ଖା ଟିଏ ଧରି ବାରିପଟ କୁ ଅମ୍ବିକା ଦେବୀ ସେ ଟିକେ ଗଛ ମୂଳ କୁ ଯିବା ସମୟରେ । ପଛ ପାଖରୁ ଡାକ ଆସିଲା ମାଆ…ମାଆ…. ଇନଭଟର ଟା ଅନ କରି ଦେଇଛି , ଆସନ୍ତୁ ଘର ଭିତରକୁ ଏ.ସି. ଟା ବି ଚାଲୁ କରିଦେବି । ତୁମେ ବାରିପଟ କୁ ଆସିଥିଲ ବୋଲି ଯଦି ସାନ ବାବୁ ଜାଣିବେ ମୋର ଚାକିରୀ ପୁରା ଖାଇଯିବେ ।
ଏକଥା ସାନ ବାବୁ ଜାଣିବେ କିପରି, ସିଏ ତୋତେ କେତେବେଳେ କହିଲା, ମୁଁ କାଇଁ ପାରିଲି ନାହିଁ !
ତାଙ୍କୁ କିଏ କହିବ ବା । ଏଇ ଘରର ଚାରି ପାଖରେ କେମେରା ସବୁ ଖଞ୍ଜି ଦେଇଛନ୍ତି । ସେ କଣ କେମେରା ରୁ ଦେଖି ପାରୁ ନ ଥିବେ । ଗତକାଲି ଫୋନ୍ ରେ ଭିଡିଓ କରି କଥା ହେଉଥିଲେ । ବୋହୂ ମାଁ,କୁନି ଛୁଆ ସମସ୍ତେ କଥା ହେଉଥିଲେ । ବୋହୂ ମାଆ ଆଉ ସାନ ବାବୁ ଙ୍କ ର ସବୁ ବେଳେ ଖାଲି ଗୋଟିଏ କଥା ବାପା ମାଆ ଙ୍କ ର ଯେପରି କିଛି ଅସୁବିଧା ନହୁଏ ସବୁ ବେଳେ ଧ୍ୟାନ ଦେବୁ । ନ ହେଲେ ଜାଣି ଥିବୁ ଆଉ …!
ସେମାନେ କେବେ ଆସିବେ କିଛି କହୁଥିଲେ କି ? ଉତ୍ତର ମିଳିଲା ନାହିଁ । ଅମ୍ବିକା ଦେବୀ ଆଉ କିଛି କହିବା ପୂର୍ବରୁ ଶୁଣିବା ପାଇଁ କେହି ନଥିଲେ । ମନ ଭିତର ର ଅସୁମାରୀ ପ୍ରଶ୍ନ ସବୁ ମନ ଭିତରେ ଖାଲି ଦବି ହୋଇ ରହି ଯାଉଥାଏ । ହେଲେ ନିରୁପାୟ ଅମ୍ବିକା ଦେବୀ। କିଛି ଗୋଟିଏ ଶବ୍ଦ ଶୁଣି ହଠାତ୍ ଚମକି ପଡିଲେ, ଟି.ଭି ର ସୁଇଚ୍ ଟା ବୋଧେ ବନ୍ଦ ହୋଇ ନଥିଲା । ତା ସାଙ୍ଗକୁ ଏ ପକ୍ଷାଘାତୀ ବୁଢା ଟା ବିଛଣା ଉପରୁ ଆରମ୍ଭ କରିଦେଲା
କେହି ଟି. ଭି. ଟା ବନ୍ଦ କର ରେ , ଯେତେବେଳେ ଦେଖି ବ ଦିନ ରାତି ଚବିଶ ଘଣ୍ଟା ଖାଲି ରାଉ ରାଉ ହେଉଛି । ତା କୁ ତ ଟିକେ ଫୁରସତ ଦିଅ । ହେଇଟି ତୁମକୁ ଶୁଭୁଚି ନା ନାହିଁ । ପ୍ରଥମେ ଟି.ଭି. ଟା ବନ୍ଦ କରି ପାଣି ଗିଲାସେ ଆଣିଲ । ଏଠି କିଏ କାହା କଥା କେଉଁଠୁ ।
ଜୀବନର ଅପରାହ୍ନ ରେ ଛିଡା ହୋଇଥିବା ଅମ୍ବିକା ଦେବୀ କିଛି ବି ଭାବି ପାରୁ ନ ଥିଲେ। ଏଇ ଟି.ଭି. ତ ତାଙ୍କ ର ଏକ ମାତ୍ର ବଞ୍ଚିବା ପାଇଁ ସହାରା । ସେତକ ବି ….ଛାଡ। ଚାଳ ଛପର ରୁ ଶାନ୍ତି ମିଳିଲା ନାହିଁ ବୋଲି ଏ.ସି. ରୁମ୍ ତିଆରି କରାଗଲା । ଗାଁ ସ୍କୁଲରେ ଭଲ ପାଠ ପଢା ଯାଉନାହିଁ ଭାବି ବିଦେଶୀ ସ୍କୁଲ୍ ରେ ପାଠ ପଢାଗଲା । ଖାସ୍ ସେଇଥିପାଇଁ ତ ପୁଅ ବିଦେଶ ରେ ଥାଇ ବାପା ମାଆ ଙ୍କ ର ଯତ୍ନ ନେଉଛି । ତା’ର କୁଆଡେ ସମୟ ନାହିଁ !
ଅମ୍ବିକା ଦେବୀ ସ୍ବାମୀ ଙ୍କ ହାତ କୁ ପାଣି ଗିଲାସ ବଢାଇ ଦେଇ କହିବା କୁ ଆରମ୍ଭ କରିଦେଲେ । ଜୀବନ ର ସବୁ ଖୁସି କୁ ଜଳାଞ୍ଜଳି ଦେଇ ପଇସା ରୋଜଗାର କରିଲ । ଛୁଆ ଟା କୁ ସମୟ ଦେଇ ପାରିଲ ନାହିଁ । ଏବେ ଛୁଆ ଟା ଗୋଟାପଣି ତୁମରି ଗୁଣ କୁ ଦେହରେ ଉତ୍ତାରି ପକାଇଛି ।
ଏସବୁ ତ ଖାଲି ତା ରି ପାଇଁ ସାଇତି ରଖିଛି ,ହେଲେ ସେ ମାନୁଛି କେଉଁଠୁ । ପାକଳ ପତର ଟିଏ, ଆଉ ବା କେତେ ଦିନ ଗଛ ର ଡାଳ ରେ ଝୁଲି ରହିବୁ । ଖାଲି ଟିକେ ପବନ ଲୋଡା । ଏଇ ଦେଖି ପାରୁଛ ,ପଶ୍ଚିମ ଆକାଶ ର ସୂର୍ଯ୍ୟ କୁ ପୂର୍ବାହ୍ନ ର ତେଜ ଆଉ ତା ଦେହରେ ନାହିଁ ଅପରାହ୍ନ ରେ । ସିଏ ତ ପୁଣି କାଲି ସକାଳ କୁ ଆସି ଯିବ । ହେଲେ ଆମେ ….! ଏତେ ପଇସା ଏତେ ସମ୍ମାନ ପାଖରେ ରଖି କରିବୁ କଣ ଯଦି ମରିବା ବେଳକୁ ପୁଅ-ବୋହୂ,ନାତି-ନାତୁଣୀ ଯଦି ପାଖରେ ନ ରହିଲେ ।
ଅମ୍ବିକା ଦେବୀ ନିଜ ପଣତ ରେ ସ୍ବାମୀ ଙ୍କ ଲୁହ କୁ ପୋଛି ଦେଇ । କହିବା କୁ ଲାଗିଲେ ହଁ ଜୀବନ ରେ ଖାଲି ଏତିକ ତ ଅବଶୋଷ । ସେ କେବେ ପୁରା ହେବ ନାହିଁ ।
ରାଜେଶ କୁମାର ବାରିକ୍
ଦେବେନ୍ଦ୍ର ପୁର ,ଅଭଣା, ବାଲେଶ୍ବର