ଅପରାହ୍ନର ଅବଶୋଷ
ନୂଆ ନୂଆ ଚାକିରୀ କରିଥାଏ ମୁଁ।ସରକାରୀ ଚାକିରୀ। ପଡି ଉଠି ଆଣ୍ଠୁ ଛିଣ୍ଡେଇ ଖଣ୍ଡେ ସରକାରୀ ଚାକିରୀ ପାଇବା ଯେ କେତେ କଷ୍ଟ ତାହା ଚାକିରୀ ଖଣ୍ଡେ ପାଇଁ ଲଢ଼ୁଥିବା ଅଶାୟୀଙ୍କୁ ଜଣା।ପ୍ରଥମ ପୋଷ୍ଟିଂ ଦୂରରେ ପଡ଼ିବା ନଜିର ଅଛି।ସେଦିନ ଥାଏ ରବିବାର। ସଂଜ ହୋଇ ନଥାଏ କିନ୍ତୁ ଅପରାହ୍ନର ଶେଷ ଛାପ ଅର୍ଥାତ୍ ଅପରାହ୍ନ ସରି ସରି ଆସୁଥାଏ। ସୋମବାର ସକାଳୁ ସକାଳୁ ଅଫିସ ଯିବାକୁ ହେବ ବୋଲି ମୁଁ ଫେରୁଥାଏ ମୋ କର୍ମ କ୍ଷେତ୍ରକୁ।ଭବାନୀପାଟଣାରେ ମୋ ବାଇକ୍ ଥାଏ। ବସରୁ ଓହ୍ଲେଇ ବାଇକ୍ ଯୋଗେ ମୋତେ ଟି.ରାମପୁର ଯିବାର ଥାଏ। କଳାହାଣ୍ଡିର ଜଙ୍ଗଲ ଭିତର ରାସ୍ତା ଅତିବ ମନୋରମ। ଠା ଠା ଦୂର ଦୂର ଯାଏଁ ମଣିଷ ଦେଖାଯିବା କଷ୍ଟକର। ବହୁ ଦୂରରେ ଖଣ୍ଡେ ଅଧେ ଘର ନଜରକୁ ଆସେ। ଆଦିବାସୀ ସଂପ୍ରଦାୟର ପୁରୁଷ ମହିଳା ସମସ୍ତେ କାର୍ଯ୍ୟ ପ୍ରେମୀ।ବସି ରହିବାକୁ ସେମାନେ ପସନ୍ଦ କରନ୍ତିନି।ସବୁବେଳେ କିଛି ନା କିଛି କାମ ରେ ନିଜକୁ ନିୟୋଜିତ କରିଥାନ୍ତି ସେମାନେ। ପ୍ରାୟ ସମସ୍ତେ ମହୁଲ ତୋଳନ୍ତି,ମହୁଲୀ ବନାନ୍ତି,ତାଡ଼ି ଆଉ ତା ସହ ହାଣ୍ଡିଆ ବି।ଆଉ କେତେ ଜଣ ଶାଳପତ୍ର ଆଣନ୍ତି ଆଉ ସେଥିରେ ନାନାଦି ପ୍ରକାର ଠୁଙ୍ଗା କରନ୍ତି। ରାସ୍ତାରେ ଗଲାବେଳେ ଦୁଇପାଖ ଜଙ୍ଗଲ ଭିତରୁ ଭାସିଆସେ ମନମୁଗ୍ଧକର କିଚିରି ମିଚିରି ଶବ୍ଦ।ସେ ଶବ୍ଦ ଶୁଣି ତା ପ୍ରେମରେ ବିଭୋର ହେବାକୁ ସ୍ପୃହା ଉଦ୍ଗିରଣ ହୁଏ କିନ୍ତୁ ଭୟ ଲାଗେ ହାତୀ ଚଲା ପଥରେ କ୍ଷଣିକ ଅଟକିବାକୁ।
ବାମ ପାର୍ଶ୍ଵ ଜଙ୍ଗଲ ଭିତରୁ ଭାସି ଆସୁଥିଲା କାହାର ସ୍ୱର ସେ କିଚିରି ମିଚିରି ଶବ୍ଦ ସହ।ଗାଡି ଧୀର କରି ଶୁଣିବାକୁ ଚେଷ୍ଟା କଲି।ଖାଲି ସେଇ କିଚିରି ମିଚିରି ଶବ୍ଦ ହିଁ ଶୁଭିଲା।ଗାଡି ଷ୍ଟାର୍ଟ କଲି ଆଉ ମାଡ଼ି ଚାଲିଲି ମୋ ଗନ୍ତବ୍ୟ ପଥରେ। ପୁନର୍ବାର ଏକ ବିକଟାଳ ଚିତ୍କାର ମୋ କର୍ଣ୍ଣପଟ୍ଟହକୁ ବିଦାରି ଦେଲା ଭଳି ଲାଗିଲା। ପ୍ରଥମ ଥର ରହିଥିଲି କିନ୍ତୁ କିଛି ଜାଣି ନପାରି ପରାଜିତ ହୋଇଥିବାରୁ ଦ୍ଵିତୀୟ ଥର ଜାଣିବାକୁ ଚେଷ୍ଟା ମଧ୍ୟ କଲିନି। ଖୋଜିଲିନି ସେ ଶବ୍ଦକୁ। ଖୋଜିଲିନି ଭାସି ଆସିଥିବା କାନ୍ଦକୁ। ମନେ ମନେ ବିରକ୍ତ ହୋଇ ଆଗକୁ ମାଡି ଚାଲିଲି।
ପରଦିନ ସକାଳ ।ରେଡ଼ିଓ ଖୋଲି ବସିଥାଏ ମୁଁ।
“ସମୟ ସକାଳ ସାତ ଘଟିକା।ଆଜିର ସମ୍ବାଦ। ସମ୍ବାଦ ପଢୁଛନ୍ତି ସୁରେନ୍ଦ୍ର ଚଟୋପାଧ୍ୟୟ। ଟି ରାମପୁର ରାସ୍ତାରେ ଜଙ୍ଗଲ ଭିତରେ ହେଲା ବଳାତ୍କାର। ଗରିବ ଆଦିବାସୀ ଝିଅ ମାନି (ଛଦ୍ମନାମ) ବେଉସା କରିବାକୁ ମହୁଲ ଆଉ ଶାଳପତ୍ର ସଂଗ୍ରହ କରେ। କାଲି ଅପରାହ୍ନ ରେ ଜଙ୍ଗଲ ଭିତରେ ପତ୍ର ତୋଳୁ ତୋଳୁ ଚାରି ଚାରିଟା ମଣିଷ ଖିଆ ମଣିଷ ରୂପୀ କୁକୁର ଝାମ୍ପି ପଡ଼ିଲେ ତା ଉପରକୁ। ଖିନ୍ ଭିନ୍ କରି ବିଦାରି ଦେଲେ ତା ଶରୀର ।ଜଣେ ପରେ ଜଣେ ମଦ ନିଶାରେ କଲେ ଅମାନବିକ ଅତ୍ୟାଚାର। ମଣିଷ ରୂପୀ ପଶୁ ମାନେ ଶେଷରେ ସେଇ ମଦ ବୋତଲ ଭାଙ୍ଗି ପେଟରେ ,ଛାତିରେ ଆଉ ଯୌନାଙ୍ଗରେ କଲେ କ୍ଷତ। ଛଟପଟ ହୋଇ ଶେଷରେ ଡ଼ାକ୍ତରଖାନାରେ ଆଖି ବୁଜିଲେ ମାନି।”
ସମ୍ବାଦ ଶୁଣୁ ଶୁଣୁ ମୋ ଆଖିରେ ଲୁହ ଆସିଯାଇଥିଲା। ସେ ବଳାତ୍କାର ପାଇଁ ଦାୟୀ କିଏ? ସେ ଚାରି ଚାରି ମଣିଷ ରୂପୀ ଜନ୍ତୁ? ନା ଆଉ କିଏ? ସେଥି ପାଇଁ କେତେକାଂଶରେ ମୁଁ ମଧ୍ୟ ଦାୟୀ ନୁହେଁ ତ? କିଏ ମୋତେ ବଞ୍ଚାଅ,ରକ୍ଷାକର ଏମିତି କେତେ ଆକୁଳ ନିବେଦନ କରିଥିବ ସେ। ଭାବୁଥିବ , ସେ ଅପରାହ୍ନ ତା ଜୀବନରେ ନ ଆସିଥାନ୍ତା କି। ପ୍ରତି ରବିବାରରେ ସେଇ ରାସ୍ତା ଦେଇଗଲେ ମନେ ପଡେ ସେ ଦିନର କଥା।ଧିକ୍କାର କରେ ନିଜକୁ।ଧିକ୍କାର କରେ ସେ ଅପରାହ୍ନକୁ।ମୋତେ ଶତ ଧିକ୍କାର ଲାଗେ ପ୍ରତ୍ୟେକ ରବିବାରର ଅପରାହ୍ନ । ଯଦି ମୁଁ କ୍ଷଣିକ ପାଇଁ ଅଟକି ଯାଇଥାନ୍ତି ସେଦିନ ।ହୁଏତ ଗୋଟେ ଜୀବନ ରହିଯାଇଥାନ୍ତା ଆଉ
ସେ ଅପରାହ୍ନର ଅବଶୋଷ ମୋତେ ପ୍ରତି ରବିବାର ସେଇ ରାସ୍ତାରେ ତିଳ ତିଳ କରି ମାରୁନଥାନ୍ତା।
ପ୍ରୀତିରଞ୍ଜନ ନାୟକ
କେନ୍ଦ୍ରାପଡ଼ା
Pritiranjan Nayak
Kendrapara