ଇନ୍ଦ୍ରିୟ ସୁଖ
ବାହ୍ଯ ସଂସାରର ଅନୁଭବ ପାଇଁ ପଞ୍ଚେନ୍ଦ୍ରିୟ ଆମ ସୃଷ୍ଟ
ନାସା କର୍ଣ୍ଣ ଚକ୍ଷୁ ଜିହ୍ଵା ଚର୍ମ ବାହ୍ଯ ଶରୀରରେ ପରିଦୃଷ୍ଟ।
ଲାଳସା ତାଙ୍କର କରଇ ଆକୃଷ୍ଟ ବାହ୍ଯ ଜଗତର ବସ୍ତୁ
ସଠିକ ବସ୍ତୁର ନିର୍ଦ୍ଧାରଣେ ଅନ୍ତର୍ମନ କଥିତ ତଥାସ୍ତୁ।
ଇନ୍ଦ୍ରିୟ ଲାଳସା ଆସୁରିକ କରେ ଆହ୍ବାନ ନଜାଣି ସତ
ମାଛ ଯଥା ପଡେ ବନଶୀ କଣ୍ଟାରେ ଥୋପଗିଳି ଲୋଭଗ୍ରସ୍ତ।
ଆଲୋକକୁ ଦେଖି ପତଙ୍ଗ ପତନ ଉଜ୍ଜ୍ବଳତା ମୁହ୍ୟମାନ
ଜାଣେ ନାହିଁ ମୂଢ ପୋଡି ମରିବ ସେ ଅଗ୍ନି ତହିଁରୁ ଉତ୍ପନ୍ନ।
ସୁଗନ୍ଧରେ ମୃଗ ହୁଏ ଉଚ୍ଚାଟନ ମରଣ ଯନ୍ତାରେ ପଡେ
ସ୍ପର୍ଶ ଶକ୍ତିପରେ ଆସ୍ଥା ରଖି ଗଜରାଜ ପଙ୍କ ଯନ୍ତା ମାଡେ।
ରୂପ ରସ ଗନ୍ଧ ଶବ୍ଦ ସ୍ପର୍ଶ ଯଥା ମଣିଷର ମାୟାଜାଲ
ଆକୃଷ୍ଟ ହୋଇ ସେ ପତନକୁ ଡାକେ ହସୁଥାଏ ମହାକାଳ।
ଇନ୍ଦ୍ରି ବହିର୍ମୁଖୀ ଆତ୍ମା ଅନ୍ତର୍ମୁଖୀ ବିବେକ ବିଚାର ବୁଦ୍ଧି
ପ୍ରୟୋଗେ ନିଷ୍ପତ୍ତି ସଠିକ ମାର୍ଗରେ ଗତିପଥ ସର୍ବସିଦ୍ଧି।
ଅରଣ୍ୟରେ ପଥ ସଠିକ ଗୋଟିଏ ଭ୍ରମାତ୍ମକ ଅଗଣିତ
ମନକୁ ପଚାରି ନିର୍ଣ୍ଣୟ ନକଲେ ଲକ୍ଷ୍ୟପଥ ପରାହତ।
ବିଚାର ବିବେକ ଶ୍ରେଷ୍ଠ ଜୀବ ପାଶେ ଦେଇଛନ୍ତି ପରାତ୍ପର
କାମନା ବାସନା ଅନ୍ତହୀନ ଆମନ୍ତ୍ରଣ କରେ ତିରସ୍କାର।
କାମନା ଅନନ୍ତ କରେ ହନ୍ତସନ୍ତ ସବୁ ଥାଇ ବି ଅଭାବ
କାମନା ରହିତ ନିର୍ବାଣ ପ୍ରାପତ କହିଛନ୍ତି ଶାକ୍ୟଦେବ।
ଆକାଶ କୁସୁମ ଚିଲିକା କଇଁଆ ସୁବର୍ଣ୍ଣ ମୃଗ ଅଳୀକ
ଦୁଷ୍ପ୍ରାପ୍ୟ ବସ୍ତୁର ଆଶାଟି ଦୂରାଶା ଚିନ୍ତା ସିନା ଆମୂଳକ।
ମୃତ୍ୟୁପରେ ମୋକ୍ଷ ନୁହେଁ ଆବଶ୍ୟକ ଜୀବନେ ତାହା ସମ୍ଭବ
ମୋହରୁ ମୁକତି ବାସ୍ତବ ମୋକ୍ଷଟି ମୋହ କରେ ହତବମ୍ବ।
@ଚନ୍ଦ୍ରଶେଖରପୁର, ଭୁବନେଶ୍ୱର।