ପ୍ରଜ୍ଞା ବଲ୍ଲରୀ
ବିଦ୍ୟାଳୟ ଏକ ଶିକ୍ଷାର ମନ୍ଦିର
ବିଦ୍ଯାଭଣ୍ଡାର ଯହିଁ ନିହିତ
ବିଦ୍ଯାଦାତା ବିଘ୍ନ ବିନାୟକ ସାଥେ
ସ୍ବୟଂ ବାଗ୍ ଦେବୀ ମାଁ ପୂଜିତ ।
ବିଦ୍ୟାଳୟ ପରା ଅଟଇ ଆମର
ମଣିଷ ତିଆରି କାରଖାନା
ଜୀବନ୍ତ ଠାକୁର ଶିକ୍ଷକ ଶିକ୍ଷିକା
ଗୁରୁ ରୂପେ ସଦା ହ୍ବନ୍ତି ଗଣା ।
ଛାତ୍ରଛାତ୍ରୀ ପ୍ରାଣ ଚରିତ୍ର ନିର୍ମାଣ
ପରିସ୍କୃତ ହୁଅଇ ଅଜ୍ଞାନ
ଅଜ୍ଞାନ ତିମିର ମନୁ ହୁଏ ଦୂର
ଗୁରୁ କୃପା ଲଭି ସଦଜ୍ଞାନ ।
ଜ୍ଞାନ ଆହରଣ ଶିକ୍ଷା ଶିକ୍ଷାଦାନ
ଅଭିମନ୍ତ୍ରିତ ଯା’ର ପରାଣ
ପ୍ରଜ୍ଞାବାନ ଲଭି ବିଜ୍ଞ ଜନ ସଦା
ଛାତ୍ର ବତ୍ସଳତା ପ୍ରତିକ୍ଷଣ ।
ଗୋଷ୍ଠୀ ସହାୟତା ହୃଦ ଆତ୍ମୀୟତା
ବିଦ୍ୟାଳୟ ବିକାଶେ ମଗନ
ଉନ୍ନତିର ପଥ ଦେଖାଏ ସୁପଥ
ସ୍ବପ୍ନର ମୋ ସ୍କୁଲ ଅଭିଯାନ ।
ବିଜ୍ଞ ସୁଧିଜନ ପ୍ରଜ୍ଞା ଆହରଣ
ମାଟି ଲଭେ ପୂଣ୍ୟ ଅରଜନ
ମାତୃଭାଷା ଡାକ ‘ଅ’ ଶିଖାଇଥିଲା
‘ଆ’ ଡାକୁଛି ପୂରୁବ ସନ୍ତାନ ।
ବିଦ୍ୟାଳୟ ଡାକେ ଆସରେ ପିଲାଏ
ପ୍ରଜ୍ଞା ଆହରଣ ଅନୁକ୍ଷଣ
ଜ୍ଞାନ ବୁଦ୍ଧି ଜାତ ପାଇ ଅଭିମତ
ପ୍ରଜ୍ଞା ବଲ୍ଲରୀ ନବ ଆହ୍ବାନ ।
ପ୍ରସନ୍ନ କୁମାର ମେହେର
ଦିଗଶିରା, ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର