ପ୍ରକୃତ ପ୍ରେମ
ବିଷମ ଗ୍ରୀଷ ମ ଅତିକ୍ରମ କରି
ଯାଉଥିଲି ପଥପରେ
ପ୍ରକୃତି ପ୍ରେମିକ ନୟନ ଯୁଗଳ
ଖୋଜୁଥିଲା କିଛି ଦୂରେ।1।
ନାନା କଳ୍ପନା ମୋ ଚଳଚ୍ଚିତ୍ର ପରି
ଆସି ଯାଉଥିଲା ଚାଲି
ଆଶ୍ଚର୍ଯ୍ୟ ମଣିଲି ଘଟଣା ଟି ଦେଖି
ହଠାତ ଚାହିଁଲି ବୁଲି।2।
ରହିଗଲି ଦଣ୍ଡେ ସ୍ତବ୍ଧ ହୋଇ ମୁହିଁ
ଆଖିରେ ଆସିଲା ଲୁହ
ଶୁଣିଲି ଯେବେ ସେ କରୁଣ କାହାଣୀ
ବଢ଼ାଇ ଦେଲା ମୋ କୋହ।3।
ନବେ ବରଷର ବୃଦ୍ଧ ସ୍ୱାମୀଟିକୁ
ସତୁରୀ ବରଷ ସ୍ତିରୀ
ବହୁକଷ୍ଟେ ଆଣି ପାଣି କଳ ପାଶେ
ଦେଉଥିଲା ସ୍ନାନ କରି।4।
ଦୁର୍ବଳ ଶରୀର ବୃଦ୍ଧ ସ୍ୱାମୀ ଟିର
ଅବଶ ଥିଲା ଶରୀର
ଘଷି ଘାସି ଦେଇ ମଇଳା ଛଡାଇ
ପିନ୍ଧାଇଲା ବସ୍ତ୍ର ତାର।5।
ନ ପାରିଲି ଆଉ ଦୂରରେ ମୁଁ ରହି
ଗଲିଶଯେ ନିକଟେ ତାର
ବଡ଼ ସରାଗରେ ପଚାରିଲି ତାରେ
କେତେ ଦୂର ତୁମ ଘର।6।
ଏକା ଏକା ତୁମେ ନେଇକି ପାରିବ
ଦୁର୍ବଳ ସ୍ୱାମୀଙ୍କୁ ତୁମ
କହିବ ଯେବେ ମୁଁ ଧରିଦେବି ସାଥେ
ଶୀଘ୍ର ହେବ ତୁମ କାମ।7।
ନିମିଷେ ଚାହିଁଲା ମୁହଁକୁ ମୋହର
ଆଖିରେ ତା ଭରି ପାଣି
କିଏ ଆଗୋ ମାଆ କାହିଁକି ପଚାର
ଦୁଃଖ ମୋର ଅସହଣୀ।8।
ପୁଅ ବୋହୂ ଆମ ଅଲଗା ରୁହନ୍ତି
ମାଡନ୍ତିନି ଆମ ଛାଇ
ଆମେ ଅଟୁ କାଳେ ଅଶୁଭ ସର୍ବଦା
ଦୁଃଖ ଆଣୁ ତାଙ୍କ ପାଇଁ।9।
ସ୍ତନ ଭାଙ୍ଗି କ୍ଷୀର ଦେଇ ବଡ଼ କଲି
ବାପ ଦେଉଥିଲା ବଳ
କେତେ କଷ୍ଟ ସହି ପାଠ ପଢ଼ାଇଲି
ପୁଅ ହେଲା ମହାକାଳ।10।
ଧରାଧରି କରି କଥା ହେଉ ହେଉ
ପହଞ୍ଚିଲୁ ତାଙ୍କ ଘରେ
ପଖାଳ ସାଙ୍ଗରେ ଲୁଣ ଓ ପିଆଜ
ଦେଲା ସେ ସ୍ୱାମୀ ଆଗରେ।11।
ନିସ୍ତେଜ ଚକ୍ଷୁ ରେ ଦେଖି ପାରୁନାହିଁ
ବୁଢ଼ାଟି ଯେ ଅସହାୟ
ବୁଢ଼ୀ ମାଉସୀ ଟି ଖୁଆଇଣ ଦେଲା
ମଉସା ଟି ହେଲା ଥୟ।12।
ନିଜେ ଲଗାଇଲା ସିନ୍ଦୂର ଟୋପାଏ
ତାପରେ ବସିଲା ଖାଇ
ଯାହା ଛାଡିଥିଲା ଅଇଁଠା ବୁଢ଼ାଟି
ତୁଣ୍ଡରେ ଦେଲା ତା ନେଇ।13।
ଆନନ୍ଦର ଅଶ୍ରୁ ବହି ଯାଉଥିଲା
ମନ ମୋର ଦେଲା କହି
ଜନମ ଜନମସମ୍ପର୍କ ଅଟେ ଯେ
ପବିତ୍ର ପ୍ରେମଟି ଏହି।
ନନ୍ଦିନୀ ରାଉତ, ଅନୁଗୋଳ