☀️☀️☀️☀️☀️☀️☀️☀️☀️☀️☀️
*ସୁନା କ୍ଷେତ*
==========================
ଚାରିଦିଗ ଆଡି ବନ୍ଧ ଉପରେ
ଘାସର ଏକ ଆବରଣ
ସୁନା କ୍ଷେତର ପରିସୀମା
ତାହାରି ଭିତରର କ୍ଷେତ୍ରଫଳ
କୁଆଡେ ସୁନାର କ୍ଷେତ ,
ଯେଉଁଠି ମୁଣ୍ଡ ହଲାଏ ସୁନାଫଳର ଗଛ
ବଖାଣେ ବାପାଙ୍କ ଇତିହାସ ll
ସେହି କ୍ଷେତରେ
ବାପାଙ୍କ ନିଗିଡା ଝାଳ
ମୁଣ୍ଡରୁ ବହି ତୁଣ୍ଡରେ ଲାଗିଲା ପରେ
ବାପା ଥୁ’ କରି ପକାନ୍ତି
ଲୁଣିଆ ଛେପ କ୍ଷେତରେ ପଡିଲା ପରେ
କ୍ଷେତ, ବାପାଙ୍କ ବିପ୍ଳବକୁ ବୁଝେ
ପେଟର ପ୍ରଳୟ କଥା ଚିନ୍ତା କରେ ll
କେଜାଣି
ବାପା କେମିତି ସେହି ମାଟି ସହ ମିଶି
ମାଟିର ମଣିଷ ସାଜି ଯାଉଥିଲେ
ମାଟିର ବାସ୍ନାରେ ନିଜ ଦେହକୁ
ପଖାଳି ହେଉଥିଲେ……
ମାଟି ତଳରୁ ନୁହେଁ
ବରଂ ମାଟି ଉପରୁ
ସୁନାର ଫଳ ସାଉଁଟି ଯାଉଥିଲେ…
କେଉଁ ଏକ ଭୋକର ଦାବାନଳ
ଲିଭାଇବା ପାଇଁ
ଆମ ପାଇଁ…. ଆମ ପାଇଁ ll
*ନବ କୁମାର ଦାସ*
*ସୁରଡ଼ିହା, ବାଲିଆପାଳ, ବାଲେଶ୍ୱର*
☀️☀️☀️☀️☀️☀️☀️☀️☀️☀️☀️