*ମଝି ପାହାଚର ମଣିଷ*
ହଁ,
ସେ ଦେଖେ
ତାଳରୁ ତଳିପା ପର୍ଯ୍ୟନ୍ତ,
ନିଜକୁ ପରଖ କରେ
ସଜାଡି ନେବାକୁ ବଳକା ଆୟୁଷକୁ ;
ସେ ବି କାଲିଥିଲା ତଳିପାର ମଣିଷ
ଅପେକ୍ଷିଛି ସ୍ଥିତି
ଉଜାଣି ବାଆକୁ……..।
ଲିଭିବାକୁ ଥିବା ସମୟମାନେ
ନିଜ ଭିତରେ କଥା ହେଉଥିଲେ
ତଳିପା ଓ ମଝି ସମୟର ସ୍ମୃତିକୁ ଫେଡି ,
ସତେକି ଅସ୍ତରାଗର ଜୀବନ
କେଇଟା ମୁହୂର୍ତ୍ତକୁ ଅନେଇଛି
ମଝି ପାହାଚର ମଣିଷକୁ
ସତର୍କତାର ବାର୍ତ୍ତା ଦେବାକୁ……।
ମଝି ପାହାଚର ମଣିଷ
ଏବେ ପ୍ରକୃତିସ୍ଥ ହୋଇଛି,
ଉପର ପାହାଚର ସଂଜ୍ଞାହୀନ
ଆହୁଲା ନଥିବା ନାଆର
ନାଉରୀ ମାନଙ୍କୁ ଦେଖି ;
ତର୍ଜ୍ଜମା କରୁଛି ନିଜକୁ —
ପ୍ରକୃତିସ୍ଥ ହୋଇ
ବଳକା ମୁହୂର୍ତ୍ତ ମାନଙ୍କୁ
ସତକର୍ମରେ ଆଗୁସାର ପାଇଁ…..।
ତଥାପି, ତଥାପି
ଦେଖୁଛି ତଳିପାର ମଣିଷ ମାନଙ୍କୁ
ନା ହସି ପାରୁଛି
ନା ସେ ବୁଝାଇ ପାରୁଛି ;
ବୁଝିବାକୁ ଉଦ୍ଦାମ ବୟସ
କଣ ଲୋଡେ କି ଆଧ୍ୟାତ୍ମିକ ଚିନ୍ତନ ?
ତଳିପାର ମଣିଷକୁ ଦେଖି
ଦୟା ଆସେ,
ହତବାକ ପ୍ରାଣ
ଯୋଡ ହସ୍ତରେ କହେ —
ତୁମେ ସାହା ହୁଅ ଏମାନଙ୍କୁ
ମଝି ପାହାଚରେ ନିଜକୁ ପରଖିବାକୁ…….।
*@* *ଶ୍ରୀକାନ୍ତ ପଣ୍ଡା, ବସନ୍ତିଆ, ଭଦ୍ରକ*
ମୋର ସୃଷ୍ଟିକୁ ଆନ୍ତର୍ଜାତୀୟ ୱେବସାଇଟରେ ପ୍ରକାଶନ ପାଇଁ ସୂର୍ଯ୍ୟୋଦୟ ସାହିତ୍ୟ ପରିଭାଷାକୁ କୃତଜ୍ଞତା ଜ୍ଞାପନ କରୁଅଛି।