#ଅଗ୍ନିକନ୍ୟା
~~~~~~~
ନିସ୍ତବ୍ଧ ରଜନୀର ନିସ୍ତବ୍ଧତାକୁ ଚିରି
ଆରାବଳୀ ଉପରେ ବୀରତ୍ୱର ବକ୍ଷ ବିସ୍ତାରି
ସଗର୍ବରେ ଶତ ଶତ ରାଜପୁତ ଦଣ୍ଡାୟମାନ ନିଜ ମଥାକୁ ତୋଳି
ଚିତ୍ରକୁଟ ଦୁର୍ଗ ଦୁନ୍ଦୁଭି ପିଟୁଛି
“ଯୁଦ୍ଧମ ଦେହି” ।
ଦୀର୍ଘ ଆଠ ମାସ ଧରି
କୁଣ୍ଡଳିମାରି ଜଗି ବସିଛି
ବିଷଧର ମୋଗଲ ଆଲାଉଦିନ ଖିଲିଜ୍
ରାଜଦ୍ରୋହୀ ରାଘବ ଚେତନର କୁମନ୍ତ୍ରଣାରେ ନିମଗ୍ନ
କାମାନ୍ଧ ପାପୀକୁ ଘାରିଛି ନିଶା
ଅନନ୍ୟ ସୁନ୍ଦରୀ ରାଣୀ ପଦ୍ମାବତୀଙ୍କୁ
ଅକ୍ତିଆର କରିବାର ଦୁର୍ବାର ଲାଳସା ।
କାମନାର ରାହୁ ଗ୍ରାସ କରିଛି
ଯେଉଁ ମହାଦାନବର ସମଗ୍ର ସତ୍ତା
“ପଧାରୋ ମେରେ ଦେଶ ମୈ”ର ଆତିଥ୍ୟ
ସେ ବା କିପରି ମନେରଖନ୍ତା ?
ସ୍ପଷ୍ଟ ଦିଶୁଛି ଆଗାମୀ ପ୍ରଭାତର ଉଦୟ ସୂର୍ଯ୍ୟାଲୋକ
ରାୱଲ ରତନ ସିଂ ସମେତ ଅଗଣିତ ମେୱାଡ଼ି ବୀର ସିପାହୀଙ୍କ ଭବିଷ୍ୟ ।
ବିଶାଳ ସୈନ୍ୟ ବିହୀନ
ତଥାପି ଥାଏ ବିଶାଳ ଦମ୍ଭ ,
ରାଜପୁତ ଧରିଛି ସଂକଳ୍ପ
ଯେଉଁ ଆଖି ଦୁଃସାହସ କରିଛି
ଚିତୋରର ରାଣୀଙ୍କୁ ଦେଖିବାକୁ
ଯେଉଁ ଅପବିତ୍ର ହାତ ଉଠିଛି
ପଦ୍ମାବତୀଙ୍କ ପବିତ୍ରତା ମଳିନ କରିବାକୁ
ତାର ଚକ୍ଷୁ ହସ୍ତକୁ ଶରୀରରୁ ପୃଥକ୍ କରିଦେବୁ ।
ବିଜୟ ଏମିତି ହେଉ
ସ୍ବର୍ଗ ମଧ୍ୟ ପୁଷ୍ପବୃଷ୍ଟି କରିବ
ବୀରଗତି ଏମିତି ହେଉ
ଇତିହାସ ମଧ୍ୟ ଅଶ୍ରୁ ଝରାଇବ ।
ଉତ୍ତର ଆକାଶରେ ବାଜୁଥିଲା
ତୁହାକୁ ତୁହା ଯୁଦ୍ଧର ଭେରୀ
ଗୋରା ବାଦଲ୍ ହତ୍ୟାର ପ୍ରତିଶୋଧ ସହ
ଶତ୍ରୁରକ୍ତର କ୍ଷୁଧାନେଇ ଲମ୍ଫଦେଲେ
ମେୱାଡି ବୀର
ଚାହୁଁ ଚାହୁଁ ବ୍ୟାପିଗଲା
ନଗ୍ନ ତାଣ୍ଡବ ମୃତ୍ୟୁର ।
ହାଏ !
ଗମ୍ଭାରୀ ନଦୀ କିପରି ବା
ଧୋଇପାରନ୍ତା ଯୁଦ୍ଧର ରକ୍ତପାତ
ଲିଭାଇପାରନ୍ତା ଚିତୋର ମାଟିରୁ ଗାଢ଼ ଲାଲ୍ ରଙ୍ଗ ??
ରେ ଅଜ୍ଞାନୀ ଜାନୱର୍ ଖିଲିଜ୍ !
ମାତମ୍ ମନା , ମାତମ୍
ଜାଣିନୁକି ଶକ୍ତିରେ ଅଭିନ୍ନ
ରାଜପୁତ ତଲବାର୍ ଆଉ
ରାଜପୁତ କଙ୍କଣ ।
ହେଜିରଖ !
ଭୀଷଣ ଅଗ୍ନିରେ ଝାସ ଦେଇ
ସତୀତ୍ଵର ପରାକାଷ୍ଠା ଜନିତ
ମୃତ୍ୟୁ ଆମନ୍ତ୍ରଣ କେବେ ମୃତ୍ୟୁ
ହୋଇନପାରେ ବରଂ
ସେ ଚିରକାଳ ଲେଲିହାନ ଅଗ୍ନିର
ସୁବର୍ଣ୍ଣ ରଙ୍ଗ ପରି ଝଟକୁଥାଏ
ସ୍ୱାଭିମାନର ଜଳାଞ୍ଜଳି ହିଁ
ପ୍ରକୃତ ମୃତ୍ୟୁକୁ ଡ଼ାକିଆଣେ ।
ସେଦିନ ଧରିତ୍ରୀ ମା ଥରିଉଠିଲା
କମ୍ପିଉଠିଲା ଆକାଶ
ସୂର୍ଯ୍ୟ ବନ୍ଦ କରିଦେଲା ଚମକ
ଯେବେ ସତୀତ୍ୱର ଅସ୍ତିତ୍ବ ପାଇଁ
ଅନ୍ତରର ସ୍ଵାଭିମାନ ଦିଶୁଥିଲା
ଅଗ୍ନିକଣିକା ସମ,
ଜଳୁଥିଲା ଜୋହର କୁଣ୍ଡରେ ଅଗ୍ନି
କେବଳ ଜଣେ ନୁହେଁ
ହସି ହସି ସୁବର୍ଣ୍ଣ ପ୍ରତିମା ପରି ଦିଶୁଥିଲେ
ଷୋହଳହଜାର ମା ପଦ୍ମାବତୀ ।
★★★★
©ଦୀପିକା ଦାଶ