April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*Lets talk with Binaya Kumar Mohanty for Suryodaya_Sambhranta_Saraswat_Samman – 2021*

Lets talk with Binaya Kumar Mohanty for Suryodaya_Sambhranta_Saraswat_Samman – 2021
ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

ଶ୍ରୀନାମ– ବିନୟ କୁମାର ମହାନ୍ତି।
ପିତା ମାତା ଙ୍କ ନାମ-
ସ୍ବର୍ଗତ ବାଉରିବନ୍ଧୁ ମହାନ୍ତି
ଶୈଳବାଳା ମହାନ୍ତି
ସ୍ତ୍ରୀ ଙ୍କ ନାମ
ତୃପ୍ତିପ୍ରଭା ମହାନ୍ତି
ମହୀସ୍ପର୍ଶ ତାରିଖ/ଜନ୍ମଦିନ-୨୫ ଜୁଲାଇ ୧୯୬୮
(ଚିତାଲାଗି ଅମାବାସ୍ୟା)
ଶିକ୍ଷା ଗତ ଯୋଗ୍ୟତା
ସ୍ନାତକୋତ୍ତର ବିଜ୍ଞାନ (ପ୍ରାଣୀ ବିଜ୍ଞାନ,) ଶିକ୍ଷା ସ୍ନାତକ,
ଏମ୍. ଫିଲ୍

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

ଅନେକ ବାଟ ଅବାଟ ଅନ୍ଧାର ଆଲୁଅରେ ପଡିଛି ପାଦ।ଅନେକ ଅବବୋଧର ବୁଢିଆଣୀ ଜାଲରେ
ହୁଡିଛି ବାଟ। ଜୀବନ କ’ଣ ଜାଣି ହୋଇନି ଏଯାଏଁ।କେଜାଣି ଜାଣିବା
ସମ୍ଭବ କି ନା ଜୀବଦ୍ଦଶାରେ! ଏମିତି
କ’ଣ ଅନୁଭବ, ଏମିତି କେଉଁ ସତ୍ୟ ପାଖରେ ପହଞ୍ଚି ପାରିନି ମୁଁ,ଯାହା ଚର୍ଚ୍ଚିତ କରିଦେବ ମୋତେ ମୋ ଜୀବନକୁ।ତେବେ ଗୋଟିଏ ଆର୍ଥିକ ଅସ୍ବଚ୍ଛଳ ଗାଁ ପରିବେଶରେ ଜନ୍ମି ଦାରିଦ୍ର୍ୟକୁ,ଉତ୍କଟ ଜୀବନ
ସଂଗ୍ରାମକୁ ଅତି ନିକଟରୁ ଦେଖିଛି।
ଜଣେ ଗାନ୍ଧିବାଦୀ ମାନବବାଦୀ ସଂସ୍କାରକ ,ଜନହିତୈଷୀ,ଦରଦୀ ମଣିଷ ,ଯିଏ ମୋର ଜନ୍ମଦାତା ,ଯିଏ ତାଙ୍କ ଜୀବନ ତାଙ୍କର ବୋଲି ଭାବୁ ନ ଥିଲେ ତାଙ୍କରି ଶ୍ରଦ୍ଧା ,ସଂସ୍କାର ଓ ଚେତନା ମୋର ତନ୍ତ୍ରୀରେ
ଅହରହ ସ୍ପନ୍ଦିତ।ମୋର ମଗଜରେ ତାଙ୍କରି ତ୍ୟାଗ ପୂତ ଜୀବନର ବୀଜ
ଅଙ୍କୁରିତ।ମୋର ବ୍ୟକ୍ତିତ୍ବରେ ସେଇ ଚରିତ୍ରର ଏକ ବଳିଷ୍ଠ ପ୍ରଭାବ ନିଶ୍ଚୟ ରହିଛି,ଯାହା ଚର୍ଚ୍ଚାର ବିଷୟ।

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

ବୟସର ଅପରାହ୍ନରେ ଜହ୍ନ ଆଲୁଅରେ ଖାଲି ଆଖିରେ ଗୀତା ପଢୁଥିବା ମୋ ବାପା,ଭାରତୀୟ ଧର୍ମ,ସଂସ୍କୃତି ପରମ୍ପରା, ସମାଜ ଜୀବନ ଓ ରାଜନୈତିକ ଚିତ୍ର ଉପରେ ଅନବରତ ଅଧ୍ୟୟନ ଓ ସାହିତ୍ୟ ସର୍ଜନରେ ବ୍ରତୀ ତାଙ୍କ ପରି ଜଣେ ନୀରବ ସାଧକ ମୋର ସାରସ୍ବତ ଜଗତରେ ପାଦ ଥାପିବାର
ସମସ୍ତ କାର୍ଯ୍ୟ ଓ କାରଣ‌।
ସାରସ୍ବତ ଜଗତ ମୋ ପାଇଁ ଦ୍ବିତୀୟ ଜଗତ‌।ପାର୍ଥିବ ଜଗତର ଜୀବନ ଚର୍ଯ୍ୟାରେ ବେହିସାବୀ ବେପରବାୟ
ଅଥଚ ଅସମ୍ଭବ ଜୀବନ ପ୍ରେମୀ। ସାରସ୍ବତ ଦୁନିଆଁ ବାହାରେ ମୁଁ କିଛି ନୁହେଁ,ମୋର ସତ୍ତା କିଛି ଥିବା ପରି ମୋତେ ଲାଗେ ନାହିଁ। ବିଶେଷ ଅନୁଭୂତି କାହାକୁ କହିବି? ମରଣକୁ
ଅତି ପାଖରୁ ଦେଖିଛି। ପ୍ରତ୍ୟେକ ଘଟଣା,ବ୍ୟକ୍ତି, ପ୍ରତ୍ୟେକ ଦୃଶ୍ୟ ପ୍ରତ୍ୟେକ ଅନୁଭବ ଅନନ୍ୟ। ପ୍ରତ୍ୟେକ ପ୍ରେମ ଅପରିହାର୍ଯ୍ୟ।କେଉଁ ବ୍ୟକ୍ତିଗତ ଅନୁଭୂତିକୁ ଗୁରୁତ୍ବପୂର୍ଣ୍ଣ କହିବି।ନର୍କ ସ୍ବର୍ଗ ଭିତରେ ଥିବା ପାଚେରୀକୁ ଦେଖି ପାରିନି ସ୍ପଷ୍ଟ ଭାବରେ।

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?

ମୂଖ୍ୟତଃ କବିତା , ସାମୟିକ ଭାବେ ନାଟକ,ପ୍ରବନ୍ଧ ଓ ଗଳ୍ପ।

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?

ଭଲ ସାହିତ୍ୟ ବିଶେଷ କରି ଭଲ କବିତା ବା ଗପ କାହାକୁ କହିବା-ଏ ପ୍ରଶ୍ନର ଉତ୍ତରରେ କହିବି ଯେ ଭଲ ସର୍ଜନର ସଂଜ୍ଞା ଆପେକ୍ଷିକ।ବିଶ୍ବ ସାହିତ୍ୟ ହେଉ ବା ଆମ ଓଡ଼ିଆ ସାହିତ୍ୟ ହେଉ ଅନେକ କାଳଜୟୀ ରଚନା ପାଠକଙ୍କୁ ବିମୁଗ୍ଧ କରେ।
ଭଲ ସୃଷ୍ଟିଟିଏ ପାଠକାଦୃତି ତ ପାଇବ ନିଶ୍ଚୟ।ତେବେ ପାଠକ ମଧ୍ୟ
ଗୁଣଗ୍ରାହୀ ଓ ରୁଚି ସମ୍ପନ୍ନ ହେବାର
ଆବଶ୍ୟକତା ରହିଛି।ଏହି ପ୍ରସଙ୍ଗରେ ସୁଗନ୍ଧିତ ଫୁଲବଗିଚା ଗ୍ରୀଷ୍ମ କ୍ଳାନ୍ତ ଶୁଖୁଆ ବାଲି ଉପାଖ୍ୟାନ ମନକୁ ଆସେ। ତେବେ କିଛି ଲେଖା ଆପଣା ଛାଏଁ ମନକୁ ପାଇ ଯାଏ, ଅନ୍ତଃ ଚେତନାକୁ ଘାରେ,ଅଥୟ କରେ,ମୋ ମତରେ ତାହାହିଁ ଉଚ୍ଚାଙ୍ଗ ସାହିତ୍ୟ।ତେବେ ଏ ଯାତ୍ରା ଅସରନ୍ତି, ସର୍ବଶ୍ରେଷ୍ଠ ସତ୍ୟ ପାଖରେ ପହଞ୍ଚିବା ଯାଏ ସର୍ବୋତ୍ତମ କବିତାଟିଏ ଲେଖିପାରିବା ର ପ୍ରୟାସ ,ପରୀକ୍ଷା ନୀରିକ୍ଷା ତ ଚାଲିଥିବ।

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?

ମୁଁ ଯାହା ତାହାର ସମସ୍ତ ଶ୍ରେୟ ତ ସମାଜର। ମୁଁ ଯେ ଲେଖି ପାରୁଛି  ,ଭାବି ପାରୁଛି,ହସୁଛି କାନ୍ଦୁଛି,ପ୍ରେମ ପ୍ରତାରଣା, ବିଶ୍ବାସ ଓ ପ୍ରବଞ୍ଚନା ସବୁ ତ ସମାଜରୁ ହିଁ ପାଇଛି।ସମାଜ ହିଁ ମୋ’ର ପ୍ରେମ।ସମାଜର ବ୍ୟଥା ଓ ବେଦନା ମୋର
ଲେଖାର ବିଷୟ ବସ୍ତୁ।ତେବେ ସମାଜରେ ସକଳ ସମସ୍ୟାର ସମାଧାନ ହିଁ ପ୍ରେମ।ଏହା ଅବିକଳ୍ପ।
ଆମକୁ ପ୍ରେମର ମଞ୍ଜି ବୁଣିବାକୁ ହେବ,ଯଦି ସ୍ବର୍ଗ ଫୁଲ ବା ଅମୃତ ଶସ୍ୟ ଅମଳ କରିବାର ଅଛି।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?

ସାହିତ୍ୟ ଲେଖି ହୋଇ ଯାଏ ଏ କଥାରେ ମୁଁ ଏକମତ ନୁହେଁ।ପ୍ରେମ  ଯେମିତି ସଭିଙ୍କ ଦ୍ବାରା ହୁଏ ନାହିଁ, ସାହିତ୍ୟ ବି।ଅନ୍ଧାକାରାଛନ୍ନ ଘଞ୍ଚ ଅରଣ୍ୟ ଭିତରେ କୋଉଠି ଗୋଟେ ଆଲୁଅ ଅଚାନକ ଦିଶିଗଲେ କବି ଲହୁ ଲୁହାଣ ହୁଏ,ସତର୍କ ହସ୍ତ ପଦ ଚାଳନା ବିନା ଦୁର୍ଭେଦ୍ୟ ଅନ୍ଧାର ଅନତିକ୍ରମ୍ୟ।ସାହିତ୍ୟ ସୃଷ୍ଟି ଏକ କଳାତ୍ମକ ଅଧ୍ୟବସାୟ,ସାଧନା।ଏହା ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ମଧ୍ୟ ଲୋଡ଼େ।

୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

ଗର୍ଭସଞ୍ଚାର ପରେ ମାଆ ଟିଏ କମ୍ ଯଂତ୍ରଣା ସହେ ନାହିଁ,କମ୍ ତ୍ୟାଗ ସ୍ବୀକାର କରେ ନାହିଁ।ସୁସ୍ଥ ସନ୍ତାନଟିଏ ଭୂମିଷ୍ଠ ହେବା ଦେଖିଲେ
ତାର ସକଳ ବେଦନା ପ୍ରଶମିତ ହୁଏ।
ସେ ନୈସର୍ଗିକ ଆତ୍ମ ସନ୍ତୋଷ ପାଏ।ତାର ସୃଷ୍ଟି ସମାଜରେ ପ୍ରତିଷ୍ଠା ପାଇଲେ ସମାଜରେ  ଆଦର ସମ୍ମାନ ପାଇଲେ ସେ ଆହୁରି ଉତଫୁଲ୍ଲିତ ହୁଏ।ଏହି ପ୍ରସଙ୍ଗରେ ମୁଁ କହିବି ଆତ୍ମତୃପ୍ତି ଓ ପାଠକାଦୃତି ଆଗରେ କୌଣସି ପୁରସ୍କାର  ତୁଳନୀୟ ନୁହେଁ।ତେବେ ସ୍ଥଳ ବିଶେଷରେ ପୁରସ୍କାର ଯେ ସର୍ଜନାର ଅନୁପ୍ରେରଣା ନୁହେଁ ତାହା କହିବି ନାହିଁ।

୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

ଆମ ଓଡ଼ିଆ ଭାଷା,ସାହିତ୍ୟର ବର୍ତ୍ତମାନ ଏକ ସୁଦୃଢ ଅତୀତର ମୂଳଦୁଆ ଉପରେ ଦଣ୍ଡାୟମାନ।
ଆମର ପିଲାମାନେ,ଯୁବ ପୀଢୀର
ଲେଖକମାନଙ୍କ ଭିତରେ ଅକଳ୍ପନୀୟ ଅନେକ ପ୍ରତିଭା ରହିଛନ୍ତି। ସେମାନଙ୍କ ଲେଖା ମୁଁ ବାରମ୍ବାର ପଡେ,ବିମୁଗ୍ଧ ଓ ଚକିତ ହୁଏ । ସେମାନଙ୍କୁ ନେଇ ଗୋଟିଏ ସମୃଦ୍ଧ ଭବିଷ୍ୟତ ଆଶା କରିବି ନିଶ୍ଚିତ।ତେବେ ସାହିତ୍ୟ ସର୍ଜନାକୁ କେବଳ ବିଳାସ ଭାବିଲେ ହେବନାହିଁ।ଅଗଣନ ଜ୍ୟୋତିରିଙ୍ଗଣ ଥିଲେ ବି ଜ୍ୟୋତିଷ୍କ ମାନଙ୍କ ଦ୍ୟୂତି ଚିର ଅମଳିନ। ମୋ ଆଶିଷ ସବୁବେଳେ ତରୁଣ ମାନଙ୍କ ପାଇଁ ରହିବ।

-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

କବିତା କ୍ଷେତ୍ରକୁ ଅନେକ ପ୍ରତିଭାଧର କବି ପ୍ରବେଶ କରୁଛନ୍ତି,ତାଙ୍କୁ ଆକଳନ କରିବାର ଅପଚେଷ୍ଟା ତାଙ୍କ ପ୍ରତିଭାକୁ ଅବମୂଲ୍ୟାୟନ କରିବା।
ମୁଁ ତ ଆଶ୍ଚର୍ଯ଼୍ୟ ହୁଏ ଏତେ କମ। ବୟସରେ ଏତେ ନୀବିଡ ଅନୁଭବ,ଚମତ୍କାରୀ କଳାତ୍ମକତା କେମିତି ସମ୍ଭବ ହୁଏ।ସାବାସ୍ କହିବି
ସେମାନଙ୍କୁ।

୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

ଓଡ଼ିଆ ସାହିତ୍ୟର  ଭବିଷ୍ୟତ ସଂପର୍କରେ ନୂତନ ଯୋଜନା ସରିଛି।ନୂତନ ପୀଢୀର ଧନୁର୍ଦ୍ଧର ମାନେ ଅମାପ ଶୌର୍ଯ୍ୟ ଓ ଗାମ୍ଭୀର୍ଯ୍ୟ ନେଇ ରଣାଙ୍ଗନରେ ଅବତୀର୍ଣ୍ଣ।ତେବେ ଆହୁରି ଅଧ୍ୟବସାୟ,ଆହୁରି ସାଧନା ଲୋଡା, ପୁରାତନଙ୍କୁ ପଢ଼ିବାଲୋଡା,ନୂତନତାର ଦ୍ୟୁତିରେ ଝଲସିବା ଲୋଡା, ସେମାନେ ହତାସାବୋଧରୁ ମୁକୁଳି ଆଶାବାଦର ଦୀପାଳି ଜାଳନ୍ତୁ, ଚେତନାର ବାତାୟନ ଖୋଲା ରଖନ୍ତୁ,ଆଞ୍ଚଳିକତା,ଜାତି ଧର୍ମ ଜାତୀୟତା ନିର୍ବିଶେଷରେ ବିଶ୍ବ ସାହିତ୍ୟରୁ ରସ ଆସ୍ବାଦନ କରନ୍ତୁ,ଜୀବନ କେବଳ ଦେଇ ଜାଣେ,ଆଞ୍ଜୁଳା ଭରି ନିଅନ୍ତୁ।
ଓଡ଼ିଆ ସାହିତ୍ୟ ସ୍ବତନ୍ତ୍ର ଉଚ୍ଚତା କୁ
ନିଶ୍ଚୟ ଯାଇ ପାରିବ।

୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

ଇଏ ଗୋଟିଏ କି ପ୍ରଶ୍ନ? ମଣିଷ ଟିଏ ହେବାକୁ ପ୍ରୟାସ ଚାଲିଛି, କବି ଟିଏ ବୋଲି କି ଭିନ୍ନ ଅନୁଭବ!ଏ ପ୍ରଶ୍ନ ତ ଆପଣଙ୍କ ଉପରେ ଛାଡ଼ିବି।କବି କି ନା ମୋ ଅପେକ୍ଷା ଆପଣ ବେଶୀ କହିପାରିବେ।

୧୨-ଆଜିକାଲି ସାହିତ୍ୟରେ ଅନ ଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

ଲିପିର ଉଦ୍ଭାବନ,ମୁଦ୍ରଣ ଯନ୍ତ୍ରର ଉଦ୍ଭାବନ,ପ୍ରଯୁକ୍ତି ବିଦ୍ୟାର ବିକାଶ ସାହିତ୍ୟକୁ ସମୃଦ୍ଧ ଓ ରୁଦ୍ଧିମନ୍ତ କରିଛି।ଅନ୍ ଲାଇନ୍ ଆମକୁ ପରସ୍ପରର ଆହୁରି ନିକଟତର କରିପାରୁଛି। ସାହିତ୍ୟ କ୍ଷେତ୍ରରେ ଏହା ସ୍ବାଗତ ଯୋଗ୍ୟ।

୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ବିଶ୍ବ ସାହିତ୍ୟ ଜଗତରେ ଏକ ଅନନ୍ୟ ଅନୁଷ୍ଠାନ, ଏଥିରେ ଦ୍ବିରୁକ୍ତି ନାହିଁ।ତେବେ ଓଡ଼ିଆ ଭାଷାର କିଛି ଭଲ ଲେଖାକୁ ଅନ୍ୟାନ୍ୟ ଭାଷାରେ ଅନୁଦିତ କରିବା, ଅନ୍ୟାନ୍ୟ ଭାଷାରେ ଲିଖିତ ଗଳ୍ପ ଓ କବିତା ଓଡ଼ିଆ ଭାଷାରେ ଅନୁବାଦ କରିବା ,ଏହି କାଳଜୟୀ ସୃଷ୍ଟି ଗୁଡ଼ିକର ବିଭିନ୍ନ ଦିଗ ବିଷୟରେ
ଆଲୋଚନା କରିବା ଦିଗରେ ଦୃଷ୍ଟି ଦେଲେ ଏହା ସାହିତ୍ୟ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ହେବ।

୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?

ଅଦ୍ୟାବଧି ଲେଖା ଗୁଡିକ ପ୍ରକାଶିତ ହେବା ଦିଗରେ ଗୁରୁତ୍ବ ଦେଇ ନଥିଲି। ତଥାପି ଖୁବ୍ ଶୀଘ୍ର କବିତା ସଙ୍କଳନ ‘ମାଟି ମହ୍ଲାର’,’ରକ୍ତ ସ୍ନାନ’,
‘ବାଟ ଅବାଟର ଗୀତ’ ଲୋକାର୍ପିତ ହେବ।ଆପଣ ମାନଙ୍କ ସଦିଚ୍ଛା ଆଶା କରୁଛି।

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ।

ସାହିତ୍ୟ ଏକ ସଚେତନ ,ଖିଆଲି ଓ ଦରଦୀ ମଣିଷର ବ୍ୟଥା ବେଦନା,ହସ କାନ୍ଦ ସୁଖ ଦୁଃଖ,ପ୍ରେମ ,ଭୟ ଭ୍ରାନ୍ତି,ଆଶା ନିରାଶାର କଳାତ୍ମକ ପରିପ୍ରକାଶ।ଏହା ଏକ ଅବିକଳ୍ପ ସର୍ଜନ। ସାହିତ୍ୟ କ’ଣ ବୋଧେ ସଠିକ୍ ଭାବେ କୁହା ଯାଇ ପାରିନି ଏ ଯାଏଁ। ମୁଁ ଯାହା କହିବି ହୁଏତ ଆପଣ ସନ୍ତୁଷ୍ଟ ହୋଇ ନପାରନ୍ତି। ସାହିତ୍ୟ ମୋ’ର ପ୍ରେମ,ମୋର ଜୀବନ,ମୋର ହୃଦୟ ଓ ମସ୍ତିଷ୍କ।ଏ ସବୁକୁ ମିଶାଇ ଆପଣ ଆଙ୍କନ୍ତୁ ଛବିଟିଏ,ହୁଏତ ମିଳି ଯାଇ ପାରେ ଆପଣଙ୍କ ପ୍ରଶ୍ନର ଉତ୍ତର।

ସର୍ବ ଶେଷରେ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିବି।କହିବି ସାହିତ୍ୟ ମଣିଷର କଥା କହୁ,ଜୀବନର ଗାଥା ଗାଉ। କବିତାରେ ଏପ୍ରଶ୍ନର ଉତ୍ତର ଚାହିଁଛନ୍ତି ତେଣୁ ଏ ପ୍ରସଙ୍ଗରେ ଏକ ନିର୍ବାଚିତ କବିତା ଉପସ୍ଥାପିତ କରିବି।

           ଦିନକ!

ଦିନକର କଥା କି କବିତା!

ପଲକର କୋଳାକୋଳି ପ୍ରେମ,
ଜନ୍ମରୁ ମରଣ ଲମ୍ବିଥିବା ରାସ୍ତା
କ’ଣ ଜୀବନ ଗୋସେଇଁ!

ଗାଈ ଗୋଠ ପଠେଇ ଦେଇ ପାଟକୁ
ସାଂଖ୍ୟଯୋଗ ଦୋହରାଏ ଗୋବିନ୍ଦ
ଗଛ ଛାଇରେ,
କାନ କୋଳି କଣ୍ଟା
ପଶିଥିଲେ ବି ପାଦରେ
ରାମ ଲଇକ୍ଷଣ ମୃଗମାରି ଯିବା
ଭୁଲି ନଥାଏ,
କୁଆପଥର ସାଉଁଟି ପକେଇ
ଶାଳପତ୍ରରେ, କୁଣ୍ଢେ ମୋଟ
କରିଦିଏ ମନ।

କେତେ ଲୁହ, କେତେ କ୍ଷତର
ରକ୍ତପୂଜ,କେତେ ରାତିର ଅନ୍ଧାର
ମିଶିଛି ଏ କବିତାର ପାନପାତ୍ରରେ
କେତେ ସ୍ଖଳନର ଜ୍ବଳନରେ
ଜଳିଛି ଜଳଧର
କେତେ ଅଜଣା ନଈର ଘାଟରୁ
ନାଆ ଫିଟେଇଛି ନଣ୍ଡା ବଗୁଲି।

କେତେ ବିଭତ୍ସ ସ୍ବପ୍ନ ମାନଙ୍କ
ଦୁର୍ଗନ୍ଧ ଯୁକ୍ତ ଖଟରେ କଟିଛି
କବିତାର ରାତି,
କେତେ ଅଳନ୍ଧୁ ଘେରା
ବନ୍ଦ କୋଠରୀରେ ଆଇନା କାଚରୁ
ଧୁଳି ଝାଡି ବାକୁ ପଡିଛି,
ଶବ କଡ଼ରେ ପତେଇବାକୁ ପଡିଛି
ପିପାସାର ପିଆଲା!

କେତେ କେତେ ମରଣର ଵେକରେ
ଲମ୍ବେଇ ଦେଇ ବରଣମାଳା,
ମାଗିଛି ଗୋଟିଏ ହାତରେ ପ୍ରେମ
ମୋକ୍ଷ ଆର ହାତରେ।

ତେବେ ବି କବିତାର ମୁହଁ
ସାଫ୍ ଦିଶିନାହିଁ।

କଣ୍ଟାଝଟା ଅରମାର ଅରଣ୍ୟରୁ
ବାଟ ଟିଏ ମିଳିପାରିନାହିଁ ।

ଦିନଟିଏ ତ ମାଗିଛି କବିତା ପାଇଁ
ଯୁଗଯୁଗର ଅପେକ୍ଷା ଶେଷ ହୋଇନାହିଁ
ପାଦେ ପୃଥିବୀ ମାଗିଛି
ବୁଲେଇଛି ଚଉଦ ବ୍ରହ୍ମାଣ୍ଡର ଦ୍ରାଘିମା।

ପଦଟିଏ ପାଇଁ ଶବ୍ଦଟିଏ
ମିଳିପାରିନାହିଁ
ଓଠ ପାଇଁ ଓଠଟିଏ,
ବିରହରେ ଜଳୁଥିବା
କବିତାର ଧାଡିମାନଙ୍କ ପଛରେ
ନିରାଶାରେ ଲମ୍ବା ଧାଡ଼ି
ତେବେ ବି କବିତାଟିଏର
ଅପେକ୍ଷା ସରିନାହିଁ
ଆଶା ମରିନାହିଁ ‌।

ଦିନକ ପାଇଁ ସରୁନି ଯୁଗକ।
——————————-

ସାହିତ୍ୟ ନିଜ କଥା କହୁ। ସାହିତ୍ୟ କାଳଜୟୀ ହେଉ।ଏହି କାମନା କରିବି।

ମୋ-୯୪୩୮୧୪୦୯୯୮
E mail id-
binayakumarzoo@gmail com.

Loading

One thought on “*Lets talk with Binaya Kumar Mohanty for Suryodaya_Sambhranta_Saraswat_Samman – 2021*

  1. Many thanks – Liked this text, how am i able to make is making sure that I receive an inform electronic mail any time you generate a fresh submit?

Leave a Reply

Your email address will not be published. Required fields are marked *