Lets Talk with Dr. Ashok Shadangi Suryodaya_Sambhranta_Saraswat_Samman – 2021
ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ
ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି, ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।
ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତରେ ରଖିବେ।
ନାମ: ଡ. ଅଶୋକ କୁମାର ଷଡ଼ଙ୍ଗୀ
ପିତା ମାତାଙ୍କ ନାମ: ସ୍ବର୍ଗତ ରାଧାମୋହନ ଷଡ଼ଙ୍ଗୀ, ଶ୍ରୀମତୀ ଦମୟନ୍ତୀ ଷଡ଼ଙ୍ଗୀ
ସ୍ତ୍ରୀ ଙ୍କ ନାମ: ଶ୍ରୀମତୀ ସୁଜାତା ଷଡ଼ଙ୍ଗୀ
ମହୀସ୍ପର୍ଶ ତାରିଖ/ଜନ୍ମଦିନ: ୦୧.୦୪.୧୯୬୨
ଶିକ୍ଷା ଗତ ଯୋଗ୍ୟତା: M.Sc., Ph.D, PGDCA
୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
–. ମୁଁ ଜଣେ ସାଧାରଣ ମଣିଷ। ବିଜ୍ଞାନର ଛାତ୍ର ହିସାବରେ ଏକ ସୁସ୍ଥ, ସବୁଜ ପୃଥିବୀର କଳ୍ପନା କରେ। ମୁଁ ଚର୍ଚ୍ଚା ଚର୍ଚ୍ଚିତ ଜୀବନ ଠାରୁ ନିଜକୁ ଦୂରେଇ ରଖିଛି। କିଛି ଲେଖେ ଆତ୍ମା ସନ୍ତୋଷ ପାଇଁ। ସେଥିରୁ ଯଦି ପାଠକୀୟ ଶ୍ରଦ୍ଧା ମିଳେ ଖୁସୀ ହୁଏ। ଅଧିକ ଲେଖିବା ପାଇଁ ମନ ବଳାଏ । ଅନେକ ଅନୁଷ୍ଠାନ ମୋତେ ସମ୍ବର୍ଦ୍ଧିତ କରିଛନ୍ତି। ପାଠକ ମାନେ ଭଲ ପାଇବା ଦେଇଛନ୍ତି। ତାହାକୁ ପାଥେୟ କରି ମୋ’ ସାହିତ୍ୟ ଜୀବନ ଆଗେଇ ଚାଲିଛି।
୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
ସାରସ୍ଵତ ସାଧନା ଆଉ ବିଜ୍ଞାନ ଅଧ୍ୟାପନା ଏ ଦୁଇଟି ସମାନ୍ତର ସରଳ ଲେଖା ପରି; ଗୋଟିଏ ବିନ୍ଦୁରେ ମିଳନ ଅସମ୍ଭବ। ବୃତ୍ତିଗତ କର୍ମ ସମ୍ପାଦନ କଲାବେଳେ ମୁଁ ସାହିତ୍ୟ କଥା ଭାବେନାହିଁ କି ସାହିତ୍ୟ ସର୍ଜନା କଲାବେଳେ ବୃତ୍ତି କଥା ମନକୁ ନିଏନି। ଉଭୟ କ୍ଷେତ୍ରରେ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ଯାଇ ମୁଁ ନିଜକୁ ଅଧିକରୁ ଅଧିକ ଏକାଗ୍ରତା ଓ ପରିଶ୍ରମ କରିବାର ପ୍ରୟାସ ଜାରି ରଖେ।
ସାମ୍ପ୍ରତିକ ସମାଜରେ ବଞ୍ଚିବା ପାଇଁ ପ୍ରଥମେ ନିଜ ତଥା ପରିବାର ପାଇଁ ଦୁଇପଟ ରୋଟି ଯୋଗାଡ କରିବାକୁ ପଡେ। ସେତିକି ଯଦି ଠିକ୍ ରେ ପୂରଣ ହୋଇ ପାରୁଥିବ ତା’ ହେଲେ ସାହିତ୍ୟର କୁଚ୍ଛ୍ର ସାଧନା ପାଇଁ ବାଟ ଫିଟିଯିବ।
ସାହିତ୍ୟ ମୋ’ ପାଇଁ ପେଶା ନୁହେଁ ନିଶା। ସାହିତ୍ୟ ସାଧନା କଷ୍ଟକର କାର୍ଯ୍ୟ; ସହଜ ନୁହେଁ। ଏଥିରେ ଯଶ ମଧ୍ୟ ବହୁ ବିଳମ୍ବରେ ମିଳିଥାଏ ଅବା ଜମା ମିଳି ନ ପାରେ। ତଥାପି ଆତ୍ମ ସନ୍ତୋଷ ପାଇଁ ସ୍ରଷ୍ଟା ଯାହା ବି ସୃଷ୍ଟି କରେ ତାହା ସୃଜନାତ୍ମକ ହେବା ବିଧେୟ।
ମୋର ମନେ ପଡୁଛି, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିବା ସମୟରେ ମୋର କବିତା ଗୋଟିଏ ‘ମୁଖପାତ୍ର’ ରେ ପ୍ରକାଶ କରିବା ପାଇଁ ଓଡ଼ିଆ ବିଭାଗର ମୁଖ୍ୟ, ପ୍ରାଧ୍ୟାପକ ଡ଼. ବିବେକାନନ୍ଦ ପାଣିଗ୍ରାହୀ ସାର୍ ଙ୍କୁ ଦେଲି। ସେ ମୋ’ କବିତାଟିକୁ ଆମୂଳଚୁଳ ପାଠ କରିବା ପରେ କହିଲେ – ” ତୁମ କବିତାରେ ଦମ୍ ଅଛି। କଲେଜ ‘ମୁଖପତ୍ର’ ଭଳି ଛୋଟିଆ ପ୍ଲାଟଫର୍ମରେ କାହିଁକି ଲେଖାଟିକୁ ଛାପିବାକୁ ଚାହୁଁଛ? ତୁମର ଭବିଷ୍ୟତ ଖୁବ୍ ଉଜ୍ଵଳ । ତୁମେ ଆଗକୁ ବଢ଼, ଲେଖନୀକୁ ଶାଣିତ କର”। ସତରେ ସେ ଦିନ ମୁଁ ଖୁସିରେ ଆତ୍ମହରା ହୋଇ ଉଠିଲି। ମୁଁ ବୁଝି ପାରିଲି କିଛି ସୃଜନାତ୍ମାକ ଶକ୍ତି ମୋ’ ଭିତରେ ଅଛି। ତାହାକୁ ପାଥେୟ କରି ଆଜି ପର୍ଯ୍ୟନ୍ତ ମୁଁ କେବଳ ଲେଖି ଚାଲିଛି।
୩- ଆପଣ ମୁଖ୍ୟତଃ କବିତା / ଗଳ୍ପ/ ପ୍ରବନ୍ଧ / ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?
ଆଧୁନିକ କବିତା, କ୍ଷୁଦ୍ର ଗଳ୍ପ ସହିତ ବିଜ୍ଞାନଭିତ୍ତିକ ଲେଖାପ୍ରତି ମୋର ଯଥେଷ୍ଟ ଆଗ୍ରହ ରହିଛି। ମୋର ଅନେକ ବିଜ୍ଞାନ ଭିତ୍ତିକ ଲେଖା ଦୈନିକ ଖବର କାଗଜ ଯଥା ସମ୍ବାଦ ଓ ଧରିତ୍ରୀରେ ପ୍ରକାଶିତ।
୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
କବିତା ବା ଗଳ୍ପରେ ଯଦି ସାମାଜିକ ଉପଲବ୍ଧି, ଅନୁପ୍ରେରଣା, ମୂଲ୍ୟବୋଧ ଲୌକିକ ଚେତନା ଓ ଜୀବନର ନିରାଟ ବାସ୍ତବିକତାକୁ ଏକ ବାସ୍ନାୟିତ ପୁପ୍ସ ରେ ପରିଣତ କରି ରସଗ୍ରାହୀ ପାଠକ ନିକଟରେ ପହଞ୍ଚାଇବାର ସାମର୍ଥ୍ୟ ଓ ଉଦ୍ୟମ ଅବ୍ୟାହତ ରହେ ମୋ’ ମତରେ ତାହା ହିଁ ଭଲ କବିତା ବା ଗଳ୍ପ ହୋଇ ପାରିବ। ପାଠକୀୟ ଆଦୃତି ଓ ସ୍ଵୀକୃତି ନମିଳିଲେ ଲେଖାର ମୂଲ୍ୟବୋଧ କେଉଁଠି?
୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ସାହିତ୍ୟିକ ରାଜନୀତିକ କର୍ମୀ ନୁହନ୍ତି କି ସମାଜ ସଂସ୍କାରକ ନୁହନ୍ତି। ସେମାନଙ୍କ ରଚନାରୁ ଯଦି ଏମିତି କିଛି ନିଷ୍କର୍ଷ ମିଳେ ତେବେ ତାକୁ ସୃଜନ କ୍ରିୟାର ଆନୁଷଙ୍ଗିକ ପରିଣତି ବୋଲି ଵୁଝିବାକୁ ହେବ। ଲେଖକର ଦାୟୀତ୍ଵ ତାରା ବ୍ୟବହୃତ ମାଧ୍ୟମ ଟିକୁ ଠିକ ରୂପେ ବୁଝିବା ଓ ତାର ସାଧ୍ୟାମତେ ମାଧ୍ୟମ ଟିକୁ ପାରଦର୍ଶୀ ଓ ସଂପ୍ରେଷଣକ୍ଷମ କରିବା। ଏହା ହିଁ ସାହିତ୍ୟର କଳା। ସୁସ୍ଥ ସମାଜ ଗଠନ ପାଇଁ ସାହିତ୍ୟିକ ତା’ର ଶକ୍ତିଶାଳୀ ମାଧ୍ୟମ ଜରିଆରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ତଥା ଗଠନମୂଳକ ଚିନ୍ତନକୁ ସ୍ଥାନିତ କରି ପାରିଲେ ଶ୍ରମ ସାର୍ଥକ ହୋଇ ପାରିବ ବୋଲି ମୋର ବିଶ୍ୱାସ। ପ୍ରତେକ ସ୍ରଷ୍ଟାଙ୍କ ଭିତରେ ଲୁଚି ରହିଥାଏ ସଂସ୍କୃତି ଓ ପରମ୍ପରାର ବୃହତ୍ତର ଭୀତିଭୂମି ତାହା ସ୍ରଷ୍ଟାଙ୍କ ସୃଜନ ସାମର୍ଥ୍ୟକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ।
୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?
ସାହିତ୍ୟ ସର୍ଜନା ଏକ ସୃଜନଶୀଳ ଅନ୍ତର୍ନିହିତ ଜ୍ଞାନର ବିକାଶ। ସାହିତ୍ୟ ଆପେ ଆପେ ଲେଖି ହୋଇଯାଏ , ଏହା ସତ ହୋଇ ପାରେ। ସେ ଲେଖା ସୃଜନାତ୍ମକ ହୋଇ ପାରେ, ସୁଖପାଠ୍ୟ ହୋଇ ପାରେ ମାତ୍ର ସମୟୋପଯୋଗୀ ହୋଇ ନ ପାରେ। ତେଣୁ ମୋ’ ମତରେ ସାହିତ୍ୟକୁ ଲେଖିବାକୁ ପଡ଼େ ଯେହେତୁ ପ୍ରକୃତ ସାହିତ୍ୟ ସମାଜର ଦର୍ପଣ ସଦୃଶ୍ୟ। ଏଥିରେ ପ୍ରତିଫଳିତ ହୋଇଥାଏ ସମାଜର ପ୍ରତିଛବି। ସାମାଜିକ କୁସଂସ୍କାର, ବ୍ୟଭିଚାର, ଅଣ-ଅନୁଶାସନ ପ୍ରଭୃତି ଅସୁସ୍ଥ କାରକ ଗୁଡ଼ିକ ବିରୁଦ୍ଧରେ ଲେଖନୀ ମୂନରେ ହିଁ ଅସ୍ତ୍ର ଚାଳନା କରି ଏକ ସୁସ୍ଥ ସମାଜ ଗଠନ କରିବାରେ ସାହିତ୍ୟର ମୂଲ୍ୟ ଅନସ୍ଵୀକାର୍ଯ୍ୟ। ଅତଏବ ସାହିତ୍ୟ ଲେଖିବାକୁ ପଡେ।
୭. ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କ’ଣ ଆକାଂକ୍ଷା କରୁଥାଏ ?
. କ୍ରାନ୍ତିକାରୀ କବି ହୁସେନ ରବିଗାନ୍ଧୀଙ୍କ ମତରେ ” ପାଠକଙ୍କ ପ୍ରତି ସାଚ୍ଚା କାବ୍ୟିକ ବିଶ୍ୱସ୍ତତା ହିଁ କବିର ପ୍ରକୁତ ପରିଚୟ ଏବଂ ଏହି ବିଶ୍ଵସ୍ତତାକୁ ବୁଝି ପାଠକୀୟ ପ୍ରେମ ଓ ଅନୁକମ୍ପା ପାଇଲେ କବି ସର୍ବଶ୍ରେଷ୍ଠ ପୁରସ୍କାର ପ୍ରାପ୍ତ ହେଲା ବୋଲି ସ୍ଵୀକାର କରିବାକୁ ହେବ”।
ତେଣୁ ପ୍ରଥମେ ଲେଖକଟିଏ ହେବା ପାଇଁ ଗଭୀର ସାରସ୍ଵତ ସାଧନା ଲୋଡା। ନିଜ ଲେଖାରେ କିଛି ସୃଜନଶୀଳତା ଓ ନୂତନତା ରହିବା ଆବଶ୍ୟକ ଯାହା ଫଳରେ ସେ ପାଠକୀୟ ଆଦୃତି ଲାଭ କରିପାରିବ। ପାଠକୀୟ ସମ୍ମାନ ମିଳିଲେ ହିଁ ଗଭୀର ଆତ୍ମସନ୍ତୋଷ ମିଳିବ ଓ ଅବିରତ ଲେଖନୀ ଚାଳନା ପାଇଁ ମାନରେ ନୂତନ ଉତ୍ସାହ ଓ ଉଦ୍ଦୀପନା ଜାଗ୍ରତ ହେବ। କିନ୍ତୁ ପୁରସ୍କାର ପାଇଁ ଲାଳାୟିତ ହେଲେ ସୃଜନଶୀଳ ଶକ୍ତି ହ୍ରାସ ପାଇବ। ତେଣୁ ମୋ’ ମତରେ ପୁରସ୍କାର ଠାରୁ ଦୂରେଇ ରହି ପାଠକ ମାନରେ ନିଜ ଲେଖା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ହେବ। କୌଣସି ସାହିତ୍ୟିକ ପୁରସ୍କାରରେ ବଞ୍ଚେନାହିଁ କି ପୁରସ୍କାରରେ ଆମର ହୁଏ ନାହିଁ। କୃତି ହିଁ ଅକ୍ଷୟ, ଲୋକ ସ୍ମୃତି ହୋଇ ରହେ ଚିରକାଳ।
୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
ମୁଁ ଓଡ଼ିଆ ସାହିତ୍ୟର ବର୍ତ୍ତମାନକୁ ନେଇ ବେଶ ସନ୍ତୁଷ୍ଟ ଏବଂ ଭବିଷ୍ୟତ ପାଇଁ ଆଶାବାଦୀ। ନୂତନ ପିଢ଼ୀର ଅନେକ କବି ଓ ଲେଖକ ଵେଶ ଉଚ୍ଚକୋଟୀର କବିତା ଓ କ୍ଷୁଦ୍ର ଗଳ୍ପ ରଚନା କରୁଛନ୍ତି। ମୋ ମତରେ କବିତା ଓ କ୍ଷୁଦ୍ରଗଳ୍ପର ଭବିଷ୍ୟତ ବେଶ ଉଜ୍ବଳ କିନ୍ତୁ ନାଟକ ରଚନା ଓ ଉପନ୍ୟାସ କ୍ଷେତ୍ରରେ ସାମୟିକ ସ୍ଥାଣୁତା ପରିଲକ୍ଷିତ ହୁଏ। ଏ ଦିଗରେ ସାହିତ୍ୟ ସାଧକ ମାନେ ଅଧିକ ଯତ୍ନବାନ ହେଲେ ଓଡ଼ିଆ ସାହିତ୍ୟ ଭଣ୍ଡାର ଅଧିକ ସମ୍ବୃଦ୍ଧ ହୋଇ ପାରିବ ବୋଲି ଆଶା। ନୂତନ ପିଢୀର ଲେଖକ ମାନଙ୍କୁ ପ୍ରତିଷ୍ଠିତ ଲେଖକ ମାନଙ୍କ ଉତ୍ସାହ ଓ ପ୍ରେରଣା ଦରକାର।
୯-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
ବୃତ୍ତିଗତ କାରଣରୁ ବିଶେଷ ଭାବେ ସାହିତ୍ୟ କ୍ଷେତ୍ରରେ ଆଗେଇ ପାରିନି ତଥାପି ନିୟମିତ କିଛି ନା କିଛି ଲେଖିବାକୁ ଚେଷ୍ଟା କରେ ମୋ ସୀମିତ ପାଠକଙ୍କ ମନକୁ ଖୁସି କରିବା ପାଇଁ। କବିଟିଏ ପୁରସ୍କାର, ଯଶ ଓ ପ୍ରତିଷ୍ଠା ପ୍ରତି ବିଶେଷ ଧ୍ୟାନ ନ ଦେଇ ସଦା ସାହିତ୍ୟ ସାଧନାରେ ବ୍ରତୀ ରହିବା ଆବଶ୍ୟକ। ଏଥିପାଇଁ ସ୍ରଷ୍ଠାର ଏକନିଷ୍ଟ ସାଧନା ଓ ନିଷ୍ଠା ରହିବା ଆବଶ୍ୟକ।ସିଦ୍ଧି ଆପଣାଛାଏଁ ଆସିଯିବ।
ମୋ’ ପରି ଜଣେ ନଗଣ୍ୟ ବ୍ୟକ୍ତି ସ୍ରଷ୍ଟା ମାନଙ୍କ ପାଇଁ କି ନିଷ୍ପତ୍ତି ମୂଳକ ପ୍ରସ୍ତାବ ଦେଇ ପାରିବ? ତେଣୁ କେବଳ ଅନ୍ତରର ବର୍ତ୍ତାଟିଏ ଦେବି, ଅବିଚଳିତ ଭାବେ, ନିଷ୍ଠାର ସହିତ ସାଧନାକରି ଅସହାୟ, ନିଷ୍ପେସିତ, ଦରଦି ମଣିଷର ଅନ୍ତରର କଥାକୁ ସୁନ୍ଦର ଶବ୍ଦ ମାଧ୍ୟମରେ ସଜାଇ ଦେଇ ପାରିଲେ ସିଦ୍ଧି ଆପେ ଆପେ ଆସି ପାରିବ ତା’ ସହିତ ଓଡ଼ିଆ ସାହିତ୍ୟର ଏକ ନବ ଚେତନାର ଉନ୍ମେଷ ହୋଇ ପାରିବ।
୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
. ସର୍ବ ଭାରତୀୟ ତଥା ଆନ୍ତର୍ଜାତିକ ସ୍ତରର ସାହିତ୍ୟ ଠାରୁ ଓଡ଼ିଆ ସାହିତ୍ୟ କୌଣସି ଗୁଣରେ କମ୍ ନୁହେଁ। ବିଶେଷ କରି ଓଡ଼ିଆ କବିତା ଆନର୍ଜାତିକ କବିତାର ବେଶ ସମକକ୍ଷ। ସରକାରୀ ସ୍ତରରେ ଏହାର ପ୍ରଚାର ଓ ପ୍ରସାର ଆଖି ଦୃଷ୍ଟିଆ ହୋଇପାରୁନି। ଓଡ଼ିଶା ସାହିତ୍ୟ ଏକାଡେମୀ ମଧ୍ୟ ପୁରସ୍କାର ଭିତରେ ସୀମିତ ରହିଲା ଭଳି ମନେହୁଏ। ମୋ’ ମତରେ ଓଡ଼ିଆ ଲେଖକଙ୍କ ସୃଷ୍ଟିକୁ ବିଶ୍ୱର ଅନ୍ୟ ଭାଷାରେ ଅନୁବାଦ କରି ବିଶ୍ଵ ସାହିତ୍ୟିକ ଗୋଷ୍ଠୀଙ୍କ ପାଖରେ ପହଞ୍ଚାଇ ପାରିଲେ ଓଡ଼ିଆ ଭାଷାକୁ ସାରା ବିଶ୍ଵ ଅନୁଭବ କରିପାରିବ। ସେଥିପାଇଁ ସମସ୍ତଙ୍କ ଶ୍ରଦ୍ଧା ଓ ଯୋଗଦାନ ରହିବା ଉଚିତ।
୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?
କଲେଜରେ ପାଦ ଦେବା ଦିନଠୁ ଲେଖା ଲେଖି କରୁଥିଲି। କିନ୍ତୁ ପ୍ରଥମ ସଫଳତା ମୋତେ 1984 ମସିହାରେ ମିଳିଲା। ଭଞ୍ଜନଗର ରୁ ପ୍ରକାଶିତ ” ଭଞ୍ଜବାଣୀ” ପତ୍ରିକାରେ ମୋର ଲେଖାଟି ପ୍ରଥମେ ପ୍ରକାଶ ପାଇବା ସହିତ ପାଠକୀୟ ସମ୍ମାନ ମିଳିଥିଲା।
୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
–. ବର୍ତ୍ତମାନର ଯୁଗ multimediaର ଯୁଗ। ଓଡ଼ିଆରେ ପ୍ରକାଶିତ ସବୁ ପତ୍ର ପତ୍ରିକା କିଣି ପଡ଼ିବା ପାଠକ ପକ୍ଷେ ସମ୍ଭବ ନୁହେଁ। ବର୍ତ୍ତମାନ ଓଡିଶାରେ ଅନେକ ଅନଲାଇନ ସାହିତ୍ୟ ଗ୍ରୁପ ଗଢି ଉଠିଛି ଯାହାଦ୍ଵାରା ପାଠକଟିଏ ସମସ୍ତ ଲେଖକ ମାନଙ୍କ ଲେଖାକୁ ସହଜରେ ପଢ଼ିପାରୁଛି ଓ ଲେଖା ମଧ୍ୟ ସ୍ୱଳ୍ପ ସମୟ ଭିତରେ ନିଜର ସୃଷ୍ଟିକୁ ସବୁ ଗ୍ରୁପ ଭିତରେ ଉପଲବ୍ଧ କରାଇ ପାରିଛନ୍ତି। ଅନଲାଇନ କବିତା ଆସର ମାଧ୍ୟମରେ ନିଜର କବିତାର ପ୍ରଚାର ଓ ପ୍ରସାର କରିପାରୁଛନ୍ତି।
୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
ବର୍ତ୍ତମାନ ଓଡିଶାରେ ଅସଂଖ୍ୟ ସାହିତ୍ୟ ସଂଗଠନ ଗଢି ଉଠିଛି ଏହା ଓଡ଼ିଆ ସାହିତ୍ୟର ଭବିଷ୍ୟତ ପାଇଁ ଏକ ଶୁଭ ସଂକେତ। କିନ୍ତୁ ଶତକଡା ନବେ ଭାଗ ସଂଗଠନ କେବଳ ମାସିକ କବିତା ଆସର କିମ୍ବା ପ୍ରତିଯୋଗୀତା ଆୟୋଜନ କରି ଲେଖକ ମାନଙ୍କୁ ସାର୍ଟିଫିକେଟ ବା ସମ୍ମାନ ବାଣ୍ଟୁଛନ୍ତି। ତେଣୁ ଲେଖକ ମାନେ ନିଜର ବହୁମୁଖୀ ପ୍ରତିଭାକୁ ପ୍ରତିପାଦନ କରିବାରେ ଆନ୍ତରିକତା ରଖୁ ନାହାନ୍ତି।
କିନ୍ତୁ ମୁଁ ଦୃଢତାର ସହ କହିବି ” ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ” ଓଡ଼ିଶାର ପ୍ରତି ସହର ଓ ପୁର ପଲ୍ଲୀରେ ମହକି ଉଠୁଥିବା ସୃଜନଶୀଳ ଆଶୁ ପ୍ରତିଭାକୁ ଲୋକ ଲୋଚନକୁ ଆଣି ସମଗ୍ର ବିଶ୍ବ ସାହିତ୍ୟ ଜଗତରେ ପରିଚିତ ତଥା ପ୍ରତିଷ୍ଠିତ କରାଇବାରେ ପ୍ରୟାସ ଜାରି ରଖିଛନ୍ତି। ବିଶେଷତଃ ନବ ପ୍ରତିଭା ମାନଙ୍କୁ ଚିହ୍ନଟ କରିସେମାନଙ୍କ ହାତ ଧରି ସାହିତ୍ୟର ପାହାଚ ଚଢାଇ ପାରୁଥିବାର ନିଆରା କ୍ଷମତା ” ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନର ଅଛି। ଏହି ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଅତ୍ୟନ୍ତ ଭଦ୍ର, ନମ୍ର, ବିଜ୍ଞ ତଥା ସୁସାହିତ୍ୟିକ ଅଟନ୍ତି। ବିଶେଷ ଭାବେ ଏହାର ପ୍ରତିଷ୍ଠାତା, ସମ୍ପାଦକ ଶ୍ରୀଯୁକ୍ତ ମନୋଜ ପଣ୍ଡା ମହୋଦୟଙ୍କ ଅକ୍ଲାନ୍ତ ପରିଶ୍ରମ, ଅକୁଣ୍ଠ ସାହାର୍ଯ୍ୟ – ସହାନୁଭୂତି, ତଥା ନିଜ କଷ୍ଟଲବ୍ଧ ଅର୍ଥରାଶିରେ ମାତୃଭାଷା ଓ ସାହିତ୍ୟର ଉନ୍ନତି ପାଇଁ ସଫଳ ପ୍ରୟାସ ପାଇଁ ସଦା ଧନ୍ୟବାଦର ପାତ୍ର। ଭାଷାର ଉନ୍ନତିରେ ଜାତିର ଉନ୍ନତି ଉପରେ ତାଙ୍କର ପ୍ରଗାଢ ବିଶ୍ୱାସ। ତେଣୁ ତାଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ଯଥେଷ୍ଟ ହେବନି।
ଅତଏବ, ଉପସଂହାର ରେ ମୁଁ ଜୋର୍ ଦେଇ କହି ପାରେ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସ୍ୱନାମଧନ୍ୟ ସାହିତ୍ୟ ଅନୁଷ୍ଠାନ। ଏ ଅନୁଷ୍ଠାନର ଉତ୍ତୋରତ୍ତୋର ଉନ୍ନତି ଓ ବିକାଶରେ ଆମ ସମସ୍ତଙ୍କ ସହଭାଗିତା ରହିବା ଉଚିତ।
୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି ଏହା ସମ୍ପର୍କରେ କିଛି କୁହନ୍ତୁ?
— ବର୍ତ୍ତମାନ ସୁଦ୍ଧା ମୋର ଦୁଇଟି ସଂକଳନ ପ୍ରକାଶିତ ଓ ଗୋଟିଏ ଗଳ୍ପ ସଙ୍କଳନ ଯନ୍ତ୍ରସ୍ଥ। ପ୍ରଥମ ସଂକଳନ ” ଆମ ଜଳ ସମ୍ପଦର ସୁରକ୍ଷା” ଏକ ବିଜ୍ଞାନ ଭିତ୍ତିକ ରଚନା ଥିଲା। E.A.S.T ନାମକ ଏକ N. G.O ସଂସ୍ଥା ଏହାର ପ୍ରକାଶନ ଦାୟୀତ୍ବ ନେଇଥିଲେ। କିନ୍ତୁ ” ମନ ସବୁଜ ନଈ ” ମୋର ପ୍ରଥମ କବିତା ସଂକଳନ। ଏଥିରେ ଅନେକ ପ୍ରେମ ଓ ବିରହର କବିତା ସ୍ଥାନିତ ହୋଇଥିଲେ ମଧ୍ୟ ଏଥିରେ ଅନେକ କବିତା ଅଛି ଯେଉଁଥିରେ ସମାଜ ଓ ଜୀବନ ସମ୍ପର୍କରେ ଲେଖା ଯାଇଛି। ‘ମନ ସବୁଜ ନଈ’ ମୋ’ ପାଇଁ ଅନେକ ସଫଳତା ଆଣିବା ସହ ପାଠକୀୟ ଆଦୃତି ଲାଭ କରିପାରିଛି ବୋଲି ମୋର ବିଶ୍ୱାସ।
୧୫∙ ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ।
ନୀରବରେ ଶବ୍ଦଙ୍କର ପତ୍ର ଯୋଡୁ ଯୋଡୁ
ପଲ୍ଲବିତ ହୋଇ ଉଠେ ମନର ପାଦପ
ଆଙ୍କୁଥାଏ କବି କେତେ ଲେଖନୀ ମୁନରେ
ନିତିଦିନ ପ୍ରେମିକାର ଚାରୁ ଚିତ୍ରପଟ
ଗାଉଥାଏ ନିଜ ପାଇଁ ନାନା ବାୟାଗୀତ।।କବି ନିତି ଦେଖେ ତାର ତୃତୀୟ ନେତ୍ରରେ
ନିଷ୍ପେସିତ ଜନତାର କରୁଣ ଚିତ୍କାର
ନଈଟିଏ ହୋଇ ବହେ ପୁଣି
ନିରବି ଯାଏ ଈଶ୍ବରଙ୍କ ଦୁର୍ଗ
ବୁଭୁକ୍ଷୁଙ୍କ ବିକଳ ଚିତ୍କାରେ
କବି ଦେଖେ ନିତି ପ୍ରତାରଣାର
ଡିନାମାଇଟରେ ଭାଙ୍ଗି ପଡ଼େ
ଶେଷ ସଭ୍ୟତାର ଉତ୍ତୁଙ୍ଗ ପାହାଡ
କବିର କବିତାରୁ ନିଗିଡ଼ି ପଡ଼େ
ସଂଗ୍ରାମର ଶେଷ ରକ୍ତ ବିନ୍ଦୁ
ବିନ୍ଦୁ ବିନ୍ଦୁ ରକ୍ତ ମିଶି ପୁଣି ଗଢି ଉଠେ
ସତ୍ୟ – ଶିବ – ସୁନ୍ଦରର ମହାସିନ୍ଧୁ।ଡ. ଅଶୋକ କୁମାର ଷଡ଼ଙ୍ଗୀ
An impressive share! I’ve just forwarded this onto a colleague who has actually been performing a little investigate on this. And he really acquired me breakfast because of The reality that I stumbled upon it for him… lol. So allow for me to reword this…. Many thanks for the food!! But yeah, thanx for expending the time to debate this situation right here on the website.
Excellent post. I Unquestionably value This website. Thanks!