ଅନୁଶୀଳନ
ସଂଗୀତରେ ପ୍ରତିଫଳିତ ଫେରନ୍ତା ପକ୍ଷୀର ଗୀତ
ମାଟିରୁ ଆକାଶ ଅନନ୍ୟ ଅନୁଭୂତିର ପ୍ରେରଣା ଚିତ୍ରିତ
ଅନ୍ତଃପ୍ରେରଣା ବିନା କବିତା ରଚନା ଅସମ୍ଭବ
ତାପରୁ ତାପମାତ୍ରା,ଲୁଣରୁ ଲାବଣ୍ୟ,
ସତରଞ୍ଜର ସରଞ୍ଜାମ ବି କଡଲେଉଟାଇବା ସମ୍ଭବ।
ସୁଖ -ଦୁଃଖ, ହାନି -ଲାଭ ଆଦିରେ ମଣିଷ ଜୀବନର ଅନେକ ମୋହ ଅନେକ କୋହ
ହାତୀର ଦାନ୍ତପରି ଭଦ୍ରମୁଖାପିନ୍ଧିଥିବା ଅଭଦ୍ରପଣିଆର ବିଭତ୍ସ ମୁହଁ
ମରୁବାଲିରେ ପାଦଥାପିବାର ଦୀର୍ଘଶ୍ୱାସ
ଛଳନାର ଛନ୍ଦରେ ଛନ୍ଦା ବଞ୍ଚିବାର ବାଟ ଅଦୃଶ୍ୟ
ତଥାପି ଶୁଷ୍କ ହୁଏନା ଜୀବନ ସଂଗୀତର ଉତ୍ସ।
ଯଦିବା ଅଧିକାଂଶଙ୍କ ମୁହଁରେ ମହୁସମ ମିଠାକଥା
ପେଟରେ ପେଟେ ହଳାହଳ ବିଷ।
ଶବ୍ଦର ସ୍ୱୀକୃତିରେ କୀଟପତଙ୍ଗ, ଅନାବନା ଘାସ
ବଢିପାଣି ,ମରୁଡି ସହ ବାତ୍ୟା ଅଣଚାଷ।
ସବୁକିଛିର ଥକ୍କାପଣକୁ ପଛରେ ଗଣ୍ଠିଲି ବାନ୍ଧି
ପାପୁଲିଏ ସକାଳର କଅଁଳଖରାରେ
ଜୀବନକୁ ଜୀବନ ପଦବାଚୀର
ଭେଟିଦେବାର ପ୍ରୟାସ ।
ବେଳେବେଳେ ଆବେଗ ଛୁଏଁ ମହାକାଶର ମହାନତା
ପୁଣି ଆରପାଖେ ଭାବମଗ୍ନ ନୀଳ ସବୁଜିମା ବିଶ୍ବରୂପର ବ୍ୟାପକତା।
ଜୀବନରୁ ସଂଗୀତର ପାଦ, ପଦକ୍ଷେପ ,ପ୍ରେରଣା
ନୂଆ ନୂଆ ସଂକଟ ,ସଂକଳ୍ପ , ସମସ୍ୟାର ସାମ୍ନା।
କବିତା ନୁହେଁ ସୀମିତ ଗଳିକନ୍ଦି
ଭାବାବେଗର ଶବ୍ଦକୋରଡରେ ଆପେ ଆପେ ବନ୍ଦୀ
ପଲ୍ଲୀରୁ ଦିଲ୍ଲୀ, ଗାଆଁରୁ ସହର,
ଦେଶରୁ ବିଦେଶ, ସମାଜରୁ ସଂସାର
ସୃଜନ ସମ୍ଭାର ନିର୍ଭୀକ ମୁଖପତ୍ର ।
ମୁକ୍ତ ବିହଗ ମନରୂପୀ ମାଟି ଓ ମଣିଷର ସୃଜନକ୍ଷେତ୍ର
କବିଙ୍କ କବିତାରେ ନିଶ୍ଚେ ଜଗତ ଓ ଜୀବନର
ଗଭୀର ଅନୁଶୀଳନ ସ୍ଥାନିତ।
ରାକମା, ଭାପୁର, ନୟାଗଡ଼