ଅପରାହ୍ନର ଅବଶୋଷ
ସେଦିନ ମନ୍ଦିର ବେଢାରେ ଗୋଡ଼ ଖସି ଯିବାରୁ ବାବୁଙ୍କର ଗୋଡ଼ଟା ମକଚି ହୋଇ ଯାଇଛି ଓ ସେ ତଳେ ପଡି ଯାଇଛନ୍ତି । ଆଉ ସେତେବେଳେ ରାହୁଲ ଆସି ତାଙ୍କ ହାତ ଧରି ଉଠେଇବାକୁ ଚେଷ୍ଟା କରୁଛି , ଆଉ କହୁଛି ଜେଜେବାପା ଟିକିଏ ଦେଖି କି ଚାଲନ୍ତୁ କାହିଁ ତରବରିଆ ହେଉଛନ୍ତି । ମୁଁ ମଧ୍ୟ ସାଙ୍ଗେ ସାଙ୍ଗେ ଦଉଡି ଗଲି । ଦୁହେଁ ମିଶୁ ତାଙ୍କୁ ଉଠେଇ କାର ପାଖକୁ ନେଇ ଆସିଲୁ । ରାହୁଲ, ବୟସ ପାଖାପାଖି ଦଶ ବର୍ଷ ହେବ । ବେଶ ଡଉଲ ଡାଉଲ ଚେହେରା ସାଙ୍ଗକୁ ପାଟିରୁ ତାର ମିଠା ମିଠା କଥା ଝରି ପଡୁଥାଏ ।
ସେଦିନର ସେଇ ଜେଜେ ଡାକରେ ସତେ ଯେମିତି, ଏତେ ବର୍ଷ ହୋଇ ପାଷାଣ ହୋଇ ରହିଥିବା ବାବୁଙ୍କର ହୃଦୟ ବିଗଲିତ ହୋଇଯାଇଛି । ଆଲମାରି ଖୋଲି କାଡିଛନ୍ତି ଏକ ପୁରୁଣା ଫୋଟୋ ଆଲବମ । ସେଥିରୁ ଗୋଟାଏ ଫୋଟୋ ଉପରେ ହାତ ମାରୁ ମାରୁ ଆଖିରୁ କେତେବେଳେ ଝରି ଆସି ଫୋଟୋ ଉପରେ ପଡିଛି ଦୁଇଟି ଲୋତକ ବିନ୍ଦୁ ।ଧିରେ ଧିରେ ଆଖି ଦୁଇଟି ଝାପସା ହୋଇ ଆସିଲା । ପୁରୁଣା ସ୍ମୃତି ସବୁକୁ ତାଙ୍କ ଆଖି ଆଗରେ ସତେ ଯେମିତି ଭାସିବାକୁ ଲାଗିଲା ।
ସାଗର ଗଡ଼ ଏକ ଦୁର୍ଗମ ଇଲାକା । ସେଠାକାର ଜମିଦାର ପର୍ଶୁରାମ ଚୌଧରୀ ଜଣେ ପୁରାତନ ଶୈଳୀ ନେଇ ଜୀବନ ଯାପନ କରୁଥିବା ବ୍ୟକ୍ତିତ୍ୱ । ଗାଁ ରେ ତାଙ୍କର ବେଶ ଖାତିର ଥାଏ । ପରିବାରରେ ଗୋଟାଏ ପୁଅ ରତନ ଓ ସ୍ତ୍ରୀ ମାଳତୀ ଦେବୀଙ୍କ ସାଥେ ରହୁଥାନ୍ତି । ଚାକରବାକରଙ୍କ କମି ନଥାଏ ବାବୁଙ୍କ ହୁକୁମରେ ଯେତେବେଳେ ଯାହା ଦରକାର ଘରକୁ ଆସି ଯାଉଥାଏ ।ସମସ୍ତେ ଏମିତି ହସଖୁସିରେ ଦିନ କଟି ଯାଉଥାଏ । ପୁଅର ଭବିଷ୍ୟତ ପାଇଁ ବାବୁ ତାକୁ ସହରରେ ତାଙ୍କର ଜଣେ ବନ୍ଧୁ ଆଡଭୋକେଟ ଜଗନ୍ନାଥ ମିଶ୍ରଙ୍କ ଘରେ ରହି ପଢ଼ିବା ଛାଡ଼ି ଦେଇ ଆସିଛନ୍ତି ।
ଏହା ପରେ କେତେ ବର୍ଷ ବିତିଗଲାଣି ରତନ ମଧ୍ୟ ଚାକିରିବାକିରି କରି ଭଲ ଦି ପଇସା ରୋଜଗାର କଲେଣି । ବାବୁ ମଧ୍ୟ ଖୁସିରେ ନିଜର ନିଶ ମୋଡୁଛନ୍ତି । ଶେଷରେ ପୁଅଙ୍କୁ ଏକା ବିବାହ କରି ଦେବାକୁ ସ୍ଥିର କଲେ । ହେଲେ ରତନ ନିଜ ଇଚ୍ଛାରେ ପସନ୍ଦ କରିଥିବା ଝିଅକୁ ବିବାହ କରିବା ପାଇଁ ଜିଦ ଧରିଲା । ବାବୁଙ୍କ ମୁଣ୍ଡକୁ ପିତ ଚଢ଼ିଗଲା ଶେଷରେ ମାଳତୀ ଦେବୀଙ୍କ ବୁଝାସୁଝାରେ ବାବୁ ରାଜି ହେଲେ । ବଡ଼ ଧୁମ ଧାମରେ ବାହାଘର ସରିଲା । ଆଖପାଖ ଅଞ୍ଚଳରେ ସେମିତି ବାହାଘର କେହି ଦେଖିନଥିଲେ । ଯିଏ ଯାହା ଖାଇବା କଥା ଖାଇଲେ ତା ସାଙ୍ଗକୁ ଘରକୁ ମଧ୍ୟ ନେଲେ । ଏମିତି ମାସେ ଦି ମାସ ଗଲାପରେ ମାଳତୀ ଦେବୀଙ୍କର ମୃତ୍ୟୁ ହେଲା । ବାବୁ ଏଥର ଏକା ପଡିଗଲେ। ସୁଖ ଦୁଃଖରେ ଯିଏ ତାଙ୍କ ଅତି ଆପଣାର ଥିଲା ସେ ଯେ ଏକା ଚାଲିଗଲା ।
ବୋହୁ ମଧ୍ୟ ଗାଁ ରେ ରହିବାକୁ ପସନ୍ଦ କଲେ ନାହିଁ । ସେ ରତନ କୁ ନେଇ ସହରକୁ ଚାଲିଗଲେ । ଜୀବନର ଏଇ ଅପରାହ୍ନ ସମୟରେ ବାବୁ ଏକା ହୋଇଗଲେ ନିଜ ବଙ୍ଗଳାରେ । ରତନକୁ କେତେ ଥର ଫୋନ କଲେଣି ଥରେ ଗାଁ କୁ ଆସି ବୁଲି ଯିବାକୁ ହେଲେ କା ପାଖରେ ସମୟ ଅଛି ଯେ ବୁଢା ବାପଟାକୁ ଦେଖିବାକୁ ଗାଁ କୁ ଆସିବ । ଶେଷରେ ବାବୁ ନିଜେ ସହରକୁ ଗଲେ ସେଠାରେ କିଛି ଦିନ ରହିଲେ ହେଲେ ସେଠାରେ ମଧ୍ୟ ତାଙ୍କୁ କିଛି ଭଲ ଲାଗିଲା ନାହିଁ । ବାବୁଙ୍କର ଇଚ୍ଛା ଥିଲା ମରିବା ପୂର୍ବରୁ ଥରେ ଜେଜେ ଡାକ ଶୁଣିବେ । ପୁଅକୁ ନିଜର ଅଭିଳାଷ ଜଣାଇଲେ । ହେଲେ ଭାଗ୍ୟର ବିଡ଼ମ୍ବନା ପୁଅ ମଧ୍ୟ ସଫା ସଫା କହିଦେଲା ଯେ ସେମାନେ ଆଗ ସହରରେ ଭଲ ଭାବରେ ସେଟେଲ ହେଇ ଯିବେ । ତା ପରେ ସନ୍ତାନ ସନ୍ତତି ପାଇଁ ଚିନ୍ତା କରିବେ । ସହରରେ ପ୍ଲଟ କିଣି ଘର ତିଆରି କରିବେ ତା ପରେ ବାକି କଥା ।
ସେ ଦିନ ଠାରୁ ସେ ଗାଁ କୁ ଫେରି ଆସିଛନ୍ତି ଆଉ କେବେ ସହରକୁ ଯାଇ ନାହାନ୍ତି । ଜୀବନର ଅପରାହ୍ନ ସମୟରେ ଅନ୍ଧର ଲଉଡ଼ି ହେବା ପାଇଁ ତାଙ୍କ ପାଖରେ କେହି ନାହାନ୍ତି । ତାଙ୍କର ସବୁ ଇଚ୍ଛା ଅବଶୋଷ ରେ ପରିଣତ ହୋଇଯାଇଛି ।
ଚୁନିଲ କୁମାର ଗଙ୍ଗ ଦେଵ
କଳାହାଣ୍ଡି