ତୁମ୍ଭ ଶ୍ରୀପୟରେ ଅଳି
ରତ୍ନ ସିଂହାସନେ ବସିଛ ମଉନେ
ଆହେ ଜଗତର ସାଇଁ
ନୀଳାଚଳ ଧାମେ ଶିରୀ କ୍ଷେତ୍ର ନାମେ
ଭକ୍ତବତ୍ସଳ ଗୋସାଇଁ ।
ହେ ଚକାନୟନ ପତିତପାବନ
ଦୀନବନ୍ଧୁ ଦଇତାରି
ଦୀନ ଦୁଃଖି ରଙ୍କି ଗୁହାରି ଶୁଣି କି
ଦୁଃଖ ଯାଉ ଅପସରି ।
ତୁମ୍ଭ ଦରଶନ ପାଇବାକୁ ମନ
ଆତୁର ହୁଅଇ ପ୍ରାଣ
ବିଷମ ସମୟେ ହୁଅ ହେ ସହାୟେ
ଘୁଞ୍ଚି ଯାଉ ଦୁଃଖ ଦିନ ।
ସର୍ବ ଦୁଃଖ ଭୁଲି କରୁଅଛି ଅଳି
ଆଗକୁ ବଢିବା ସର୍ବେ
ପ୍ରଭୁ ଜଗନ୍ନାଥ ଅନାଥର ନାଥ
ଆଶିଷ ରହିବ ଯେବେ ।
ଭକତର ବନ୍ଧୁ ଆହେ ଜଗବନ୍ଧୁ
ଦୁଃଖ ଶୋକ ହେଉ ଦୂର
କରୁଛି ପ୍ରାର୍ଥନା ହୋଇ ଦୃଢ଼ ମନା
ଚରଣାରବିନ୍ଦେ ତୋର ।
ତୁମ୍ଭ ନାମ ଗାଇ ହୋଇ ମୀରାବାଈ
ଜପୁ ଥିବି ଜପାମାଳୀ
ଏ ଭବ ସାଗରୁ ପାରି କରିବ ହେ
ତୁମ୍ଭ ଶ୍ରୀ ପୟରେ ଅଳି ।
ପ୍ରସନ୍ନ କୁମାର ମେହେର
ଦିଗଶିରା, ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର