ଶିଶିର ବିନ୍ଦୁ
ଶିଶିର ବିନ୍ଦୁର ଭିଜା ପ୍ରତ୍ୟୁଷରେ
ସୁକୁମାରୀ ମନ ଜାଗେ
ଚନ୍ଦନ ବନର ବାସନାରେ ଭିଜେ
ନବ ସପନର ମଗ୍ନେ।
ତାରାଫୁଲ କିଛି ଆକାଶରୁ ପରା
ଝରି ପଡିଛି ଆଞ୍ଚଳେ
ଶିଶିରର ସ୍ନିଗ୍ଧ ବିନ୍ଦୁ ବିଛୁରିତ
ସତେ ପ୍ରଶସ୍ତ କପାଳେ।
ହେମନ୍ତ ଆକାଶେ ଚାନ୍ଦଟା ଆଜିକି
ରଚିଅଛି ଅଭିସାର
ଶିଶିର ବିନ୍ଦୁର ମୁକୁତାରେ ଯେହ୍ନେ
ସଜାଏ ବଗିଚା ଘର।
ହସି ହସି ଗାଏ ପ୍ରୀତିର ଗଜଲ୍
ମୁକୁତା ଶିଶିର ବିନ୍ଦୁ
ଶ୍ୟାମଳ ଦୂର୍ବାକୁ ଭିଜାଇ ସଜାଇ
ପ୍ରୀତି ପୀୟୁଷର ଇନ୍ଦୁ।
କ୍ଷଣିକ ଜୀବନ ସ୍ନିଗଧ ଲାବଣ୍ୟ
ସ୍ୱଛ ନିର୍ମଳର ମନ
ଭାବେ ନିମଗନ ହୃଦୟ ପରାଣ
କ୍ଷଣିକର ସମ୍ମୋହନ।
ଉଦିତ କିରଣେ ସପ୍ତରଙ୍ଗ ଶୋଭା
ପ୍ରତିବିମ୍ବ ପ୍ରସ୍ଫୁଟିତା
ନିମିଷେ ଶୋଭନ ହରେ ପ୍ରାଣମନ
ଶିଶିର ବିନ୍ଦୁର ମୁକ୍ତା।
ଧରା ପ୍ରଫୁଲ୍ଲିତା ସବୁଜିମା ଶୋଭା
ସୁବାସିତ ସୁମନରେ
ନାନା ବର୍ଣ୍ଣବିଭା ରଚେ ମନଲୋଭା
ଶିଶିରର ପରଶରେ।
ଡଃ ପ୍ରିୟମ୍ବଦା ସାମଲ
ଭୁବନେଶ୍ୱର।
ଅତ୍ତି ସୁନ୍ଦର ଶବ୍ଦ ମାନଙ୍କୁ ସଂଜୋଇ ଆପଣଙ୍କ କବିତା, ମନକୁ ଛୁଇଁ ଗଲା, ବହୁତ ବହୁତ ଧନ୍ୟବାଦ