ସୁନେଲି ସନ୍ଧ୍ୟା
ବାରୁଣୀ ଆକାଶେ ଉଭା ଅସ୍ତାଚଳ ରବି
ଲୁଚି ଯାଆନ୍ତି ଧରାଦେହେ ଆଙ୍କିଦେଇ ଛବି
କନକ କିରଣ ପଡି ସବୁଜିମା କ୍ଷେତେ
ସୁନେଲି ଗାଲିଚାଟିଏ ପାରିଦେଇଛି କେ?
ଧାଡିବାନ୍ଧି ନିଳାକାଶେ ବିହଙ୍ଗମ କୂଳ
ଫେରନ୍ତି ଆନନ୍ଦେ ନୀଡ଼ ମୁଖେ ଦଳଦଳ
ଶାବକ ମୁଖରେ ଦେଇ ଆହାର ଚେନାଏ
ଆହାକି ଆନନ୍ଦେ ତାର ରାତି ପାହିଯାଏ।,
ଗୋଧୂଳିରେ ଚମତ୍କାର ଧୂସର ଧରଣୀ
ହମ୍ବାରାବ ଦେଇ ଗାବେ ଗୋଷ୍ଠୁଫେରିଲେଣି
ଦୂର ଦେବାଳୟେ ଶୁଭେ ସନ୍ଧ୍ୟାଘଣ୍ଟ ଧ୍ଵନି
ଅପୂର୍ବ ସମ୍ଭାରେ କିବା ବିଜେ ସନ୍ଧ୍ୟାରାଣୀ।
ଗାଁ ଝିଅବୋହୁ ସବୁ ନଈତୁଠେ ଉଭା
ନାଲି ଟୁକୁଟୁକୁ ହସେ ମୁଖୁଁ ଝରେ ଆଭା
ଘନକେଶେ ଶୋଭାପାଏ ସେବତୀର ପୁଞ୍ଜି
ସତେ କି ସରଗେ ହସେ ତାରା ମିଞ୍ଜିମିଞ୍ଜି।
ସଂଧ୍ୟାକାଶେ ତାରାପନ୍ତି ଖିଲିଖିଲି ହସେ
ଜହ୍ନମାମୁଁ ସତେ କେଡେ ମନଲୋଭା ଦିଶେ
କୁନି ପିଲାମାନଙ୍କର ଲୁଚକାଳି ଖେଳ
ଝିଙ୍କାରି ଓ ଝିଣ୍ଟିକାଙ୍କ ମଧୁର କଲ୍ଲୋଳ ।
ଅଜା ଆଇଙ୍କ ଆବାସ ଭଗବତ ଟୁଙ୍ଗି
ମନ ତାଙ୍କ ମଜିଥାଏ ଶ୍ରୀହରିଙ୍କ ଭଙ୍ଗୀ
କେ ବଖାଣେ ବୋହୁ କଥା କେବଖାଣେ ପୁଅ
କାହା ଘର ପୁଅ ସଂଗେ କାହା ଘର ଝିଅ।
ଲୋଡ଼ା ନାହିଁ ସହରର ଅପରୂପ ଛବି
ଗାଁ ପାଣି ପବନରେ ମନ ଯାଉ ହଜି
ଏ ମାଟିରେ ଏମିତିକା ସନ୍ଧ୍ୟା ଆସୁଥାଉ
ସୁନେଲି ସନ୍ଧ୍ୟାରେ ଆମେ ବିଭୁ ପୁଜୁଥାଉଁ।
ନୀଳାଦ୍ରି ବିହାରୀ ମହାପାତ୍ର।
ପ୍ରକାଶ-୦୧-୦୫-୨୦୧୫
8917631776
ପୋଲସରା , ଗଞ୍ଜାମ ।
28 total views, 1 views today