ଅପରାହ୍ନର ଅବଶୋଷ
ଚାରିପାଖରେ ଖାଲି ଲୋକଙ୍କର ଗହଳି, ସମସ୍ତେ ଛାତି ଫଟା ସ୍ୱରରେ କାନ୍ଦୁଥାନ୍ତି ଘର ବାରଣ୍ଡାରେ ବସି | ସମସ୍ତଙ୍କ ତୁଣ୍ଡରେ ସେଇ ଗୋଟିଏ ପ୍ରଶ୍ନ, “ଏ ସବୁ ହେଲା କିପରି ?” ଛୋଟରାୟ ବାବୁ ମଧ୍ୟ ଗୋଟିଏ କଣରେ ନିସ୍ତବ୍ଧ ହୋଇ ଭାବୁଥିଲେ ସେଇ ସମାନ କଥା, “ଏ ସବୁ ହେଲା କିପରି ?” ହଠାତ କେହି ଜଣେ ଆସି କାନ୍ଧ ଉପରେ ହାତ ରଖିଦେଲେ! ବିସ୍ମୟ ହୋଇ ପଛକୁ ବୁଲି ଦେଖନ୍ତି ତ, ପଡ଼ିଶା ଘର ଅମୀୟ ବାବୁ | ଅମୀୟ ବାବୁ ଏ ସବୁ ଘଟଣା ବିଷୟରେ ପଚାରିବା ପରେ ଟିକେ ଥୟ ଧରି ଉତ୍ତର ରଖିଲେ ଛୋଟରାୟ ବାବୁ | “ଭାଇ, ଅଜାଗା ଘା’ ଦେଖି ହୁଏନି କି ଦେଖେଇ ହୁଏନି | ମୋର ମଧ୍ୟ ଏବେ ସେପରି ପରିସ୍ଥିତି | ନାଁ ମୁଁ କିଛି କହି ପାରୁଛି ନାଁ ନକହି ସହି ପାରୁଛି | କହିଦେଲେ ଟିକେ ହାଲୁକା ଲାଗିବ ବୋଲି ଭାବି କହୁଛି ସବୁ | ପିଲାବେଳରୁ ଗୋଟିଏ ବୋଲି ଭାବି ବହୁତ ଗେଲ୍ହାରେ ବଢ଼େଇଥିଲୁ ରାଜେଶକୁ | ଯାହା ମାଗେ ସାଙ୍ଗେ ସାଙ୍ଗେ ଆଣି ତା ପାଖରେ ଥୋଇ ଦିଏ | ଟଙ୍କା ପଇସା ଖର୍ଚ୍ଚରେ କେବେ ବି ଅଡା ଆକଟ କରିନାହିଁ | କିନ୍ତୁ ସିଏ ଆଜି ଯାହା କରିଗଲା, ତାକୁ ସହି ନପାରି ତାର ମାଆ…….|” ଏତିକି କହି ନୀରବ ରହିଗଲେ ଛୋଟରାୟ ବାବୁ |
ଛୋଟରାୟ ବାବୁଙ୍କ ସଳା ଉମେଶ ଦୂରରେ ଥାଇ ସବୁ ଶୁଣୁଥିଲେ ଆଉ କହିଲେ, ” ଭାଇ ନୀରବତାର ବି ସବୁ କଥାକୁ ପ୍ରକାଶ କରିବାର କ୍ଷମତା ଥାଏ | ଆପଣଙ୍କୁ ଦେଖି ଆଜି ମନେ ପଡ଼ି ଯାଉଛନ୍ତି ମହାଭାରତର ଧୃତରାଷ୍ଟ୍ର | ସନ୍ତାନଙ୍କ ଭୁଲକୁ ସବୁବେଳେ ସମର୍ଥନ କରି ତାଙ୍କୁ ଆଗକୁ ଆହୁରି ଭୁଲ କରିବାକୁ ପ୍ରୋତ୍ସାହିତ କରୁଥିବା ସେଇ ପ୍ରତ୍ୟେକ ଅଭିଭାବକମାନେ ମଧ୍ୟ ସେତିକି ଦାୟୀ ଯେତିକି ପିଲାମାନେ | ଟିକେ ମନେ ପକାନ୍ତୁ ରାଜୁ ନାଁରେ କେତେ ଅଭିଯୋଗ ଆସିଥିଲା କଲେଜରୁ ଯାହାକୁ, କେବେ ନିର୍ଦୋଷ ପିଲାଙ୍କୁ ମାଡ଼ ମାରିବାର ତ କେବେ ମଦ ପିଇବାର | କିନ୍ତୁ ଆପଣ ଟଙ୍କାର ବଳରେ ସେ ସବୁକୁ ଦାବି ଦେଇଥିଲେ | ଆଉ ଆଜି ସେ ସବୁ ଭୁଲ ଗୁଡିକ ଏକାଠି ହୋଇ ଗୋଟେ ବଡ଼ ଭୁଲର ରୂପ ନେଇଗଲେ | ନେଳୀ ଗୁଡ଼ କହୁଣୀକୁ ବହିଗଲା ପରେ ଆଉ ତାକୁ ଧରି ହୁଏନି | ଛାଡ଼ ମୁଁ ତ ଆପଣଙ୍କ ଠୁ ବୟସରେ ସାନ ଆଉ ଅଧିକ କଣ କହିବି ?” ଏତିକି କହି ଚାଲିଗଲେ ଉମେଶ |
ଶେଷରେ ଅନୁତାପ କରି ଛୋଟରାୟ ବାବୁ କହୁଥାନ୍ତି, “ସତରେ ସବୁ ଭୁଲ ମୋର | ମୋରି ପାଇଁ ଆଜି ଏସବୁ | ଯଦି ମୁଁ ଠିକ ସମୟରେ ତାକୁ ଶାସନ କରିଥାନ୍ତି ତାହେଲେ ସେ ଆଜି ଏମିତି ହୋଇ ନଥାନ୍ତା |
ବାସ୍ତବରେ ଘଟଣା ଥିଲା କିଛି ଏପରି, ଛୋଟରାୟ ବାବୁଙ୍କ ପୁଅ ଗତକାଲି ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଗୋଟିଏ ନିର୍ଦୋଷ ଝିଅକୁ ଦୁଷ୍କର୍ମ କରିଥିବାରୁ ପୋଲିସ ହାତରେ ଧରା ପଡ଼ି ହାଜତ ଯାଇଥିଲା ଏବଂ ସମାଚାରରେ ଏ ଘଟଣାକୁ ଦେଖି ତାଙ୍କର ମାଆଙ୍କର ହୃଦଘାତରେ ପ୍ରାଣ ଚାଲି ଯାଇଥିଲା |
ତେବେ ଏ ସବୁ ପାଇଁ କିଏ ଦାୟୀ ? ବୟସର ଅପରାହ୍ନରେ ଅବଶୋଷ କରି ଦୋଷକୁ ନିଜେ ସ୍ୱୀକାର କରୁଥିବା ଛୋଟରାୟ ବାବୁ ନାଁ ବାପାଙ୍କ ଭଲ ପାଇବାର ଭୁଲ ଉପଯୋଗ କରି ଦୁଷ୍କର୍ମ କରିଥିବା ପୁଅ ରାଜେଶ , ନାଁ ଆଉ କିଏ ? ଉତ୍ତର ଆପଣମାନେ ରଖିବେ….
ହୃଦୟ ରଞ୍ଜନ ପରିଡ଼ା