ଅପରାହ୍ନର ଅବଶୋଷ
“ବାବୁ ଗୋ ଆମର ଗାଁକୁ ତୁଇ ବୁଲିବାର ଲାଗି ଆସିଲୁ ନାଇଁ ଯେ,ଏକା ବେଳେ ସରଗ ନରକ ପୁରି ଦେଖିବୁ ତୁଇ, ମୂଇଁ ସତ କହୁଛି ଗୋ ତୁମର୍ ଦୁନିଆ ଟା ଆମର ଦୁନିଆ ସେ ପୁରା ଅଲଗା ଅଛି ଗୋ…”ଶଗଡ଼ ଗାଡ଼ି ଗଡୁ ଥାଏ ଆଉ ନିପଟ ମଫସଲି ରଘୁ,ତା ଶଗଡ଼ରେ ବସିଥିବା ସରକାରୀ ବାବୁଙ୍କୁ ନିଜ ବାପ ଛେଉଣ୍ଡ ପରି ଗାଁର ଦୁଃଖ ବର୍ଣ୍ଣନା କରୁଥାଏ।
ମୋହନକୁ ସବୁ ଜଣା ନହେଲେ ଲୋକେ ସହରକୁ ପ୍ରେମ କରି ବସୁଥିବା ବେଳେ ସେ କି ଏ ଗାଁର ଖବର ବୁଝିବାକୁ ଆସିଥାନ୍ତା।ମୋହନ ବିଡ଼ିଓ ଭାବେ ରାମଗଡ ବ୍ଲକରେ ଯୋଗ ଦେବା ପାଇଁ ଆସୁଥାଏ।ମୋହନ ବ୍ଲକରେ ପହଞ୍ଚିଲା।ସେଦିନ ତାର ରହିବାର,ଖାଇବାର ସବୁ ବ୍ୟବସ୍ଥା ରଘୁ କରି ଦେଲା।
ଆର ଦିନ ସକାଳୁ ମୋହନ ବାହାରିଗଲା ନିଜ କର୍ଯ୍ୟସ୍ଥଳିକୁ। ସେଠି ଯାଇ ଦେଖେ ତ ଖାଲି ଚେୟାର,ଟେବୁଲ୍ ପରସ୍ପର ସହ ମୁଁହ ଯୋଡା ଯୋଡି ହୋଇ ଗପୁଛନ୍ତି ନହେଲେ ଅଫିସ ର ସବୁ କାଗଜପତ୍ର ,ଫାଇଲ ନିଜ ଘରୁ ଭିନ୍ନେ ହେବା ପରି ଅଲଗା ଅଲଗା ହୋଇ ପଡି ରହିଛନ୍ତି। ସେଠି ଅନ୍ୟାନ୍ୟ କର୍ମଚାରୀଙ୍କୁ ଦେଖି ଲାଗିଲା ସତେ ଯେମିତି ଏଠି ଗୋଟେ ଆସର ଚାଲିଛି ଆଉ ସମସ୍ତେ ନିଜ ନିଜ ପାଇଁ ତତ୍ପର।ଅଫିସ ଟା ସରକାରୀ କାର୍ଯ୍ୟାଳୟ କମ୍ ଆଉ ଅବ୍ୟବହୃତ ଗୃହ ଅଧିକ ଲାଗିଲା।
କାହାକୁ କିଛି ନ କହି ସେ ବାହାରିଗଲା ଗାଁ ବୁଲି। ଗାଁ ଭିତରକୁ ଯେ ବିଂଶ ଶତାବ୍ଦୀ ପ୍ରବେଶ କରି ନାହିଁ ତାହା ସେ ସ୍ଵ ଚକ୍ଷୁରେ ଦେଖିଲା।ଦୂରରେ ଆଧୁନିକ ସଭ୍ୟତା,ସହରର କବାଟ କଣ ରେ ଛିଡା ହୋଇ ଘରର ନୂଆ ବୋହୂ ପରି ଗଳି ଚାହୁଁଥିଲା। କାଖରେ ମାଠିଆ ମୁଣ୍ଡରେ ଗରା ଥୋଇ ମାଇପୀ ଗୁଡ଼ା ଚାଲି ଯାଉଥାନ୍ତି ପିଇବା ପାଣି ଆଣି, ତା ବି ଗୋଟିଏ ଛୋଟ ପୋଖରୀରୁ, ଲାଇନ ଖୁଣ୍ଟ ଛିଡା ହୋଇଛି ଏକା ସେଥିରେ ତାର ସଂଯୋଗ ହୋଇନି,ପଢା ପିଲା ପଢା ସମୟେରେ ମହା ଆନନ୍ଦରେ ଛେଳି ଧରି ଜଙ୍ଗଲ ଭିତରକୁ ଧାଉଁ ଥିଲେ। ଏ ସବୁ ଦେଖି ମୋହନର ଆଖିରେ ନାଚି ଯାଉଥିଲା ଅନେକ ସରକାରୀ ଯୋଜନା ହେଲେ ସେ ଜାଣି ପାରୁ ନଥିଲା ଯୋଜନା ଗୁଡ଼ା ବାଟ ଭାଙ୍ଗି କେଉଁ ତୀର୍ଥ କରିବାକୁ ପଳେଇ ଯାଇଥିଲେ!!!
ମୋହନ ଜଣଙ୍କୁ ଡାକି ପଚାରିଲା,”ଗାଁରେ କିଛି ସରକାରୀ କାମ ହୋଇନାହିଁ କାହିଁକି?”ଲୋକଟି ଉତ୍ତର ଦେଲା ଯାହା ସେ ଶୁଣିଥିଲା କି”ସରକାର ଛୁଟିରେ ଅଛନ୍ତି।”
ମୋହନ ଫେରି ଆସି କାଗଜ ପତ୍ରର ତର୍ଜମା କଲା ଓ ସେ ନିଶ୍ଚୟ ପରିବର୍ତ୍ତନ ଆଣିବ ବୋଲି ମନରେ ସଂକଳ୍ପ ନେଲା।ନିଜ ଅଫିସ୍ କାମ ସହ ସେଠିକାର ପିଲାଙ୍କୁ ସେ ପଢ଼ାଇବାକୁ ଲାଗିଲା।ମୋହନ ଅତି କମ୍ ଦିନରେ ବି ଆପଣାର କରି ନେଇଥିଲା ସେଇ ସରଳିଆ ହୃଦୟ ମାନଙ୍କୁ।ସେ ପ୍ରତିଶ୍ରୁତି ଦେଲା,ଏଣିକି ଏଠିକାର ପିଲା ପାଠ ପଢ଼ିବେ,ଗାଁକୁ ପାଣି, ଲାଇନ୍ ସବୁ ଆସିବ।ଲୋକେ ଆଉ ଦୁଃଖରେ ରହିବେନି,ସବୁ ଲୋକ ତା କଥାରେ ଖୁସିରେ ବିଭୋର ହେଲେ।ଭାବିଲେ ତାଙ୍କ ଅଶରିରୀ ଦେବତା ଶରୀର ଘେନି ଆସିଛନ୍ତି ତାଙ୍କ ଉଦ୍ଧାର ପାଇଁ।
ଗାଁକୁ ଆସିଥିବା ସବୁ ଟଙ୍କାର ହିସାବ ଜାଣିବା ପାଇଁ ମୋହନ ଗୋଟେ ଲମ୍ବା ଚିଠି ଲେଖିଲା।ସେଦିନ ଶନିବାର ହୋଇଥାଏ,ସମୟ ଅପରାହ୍ନ ହେବ। କିଛି ଧଳା ଡ୍ରେସ୍ ପିନ୍ଧା ଲୋକ ଆସିଲେ ଆଉ ମୋହନକୁ ଜଙ୍ଗଲ ଆଡେ ଡାକି ନେଲେ,ହେଲେ ଫେରିଲା ବେଳକୁ ମୋହନ ନଥିଲା।ଖବର କାଗଜ, ନିଉଜ୍ ରେ ବ୍ୟାପିଗଲା ମୋହନର ନିଖୋଜ ଘଟଣା।ହେଲେ ସେ ମିଳିଲାନି।ମୋହନର ପରିବାର ରାମଗଡ଼ ଆସି ତାକୁ ବହୁତ୍ ଖୋଜିଲେ ହେଲେ ସେ ଏତିକି ଶୁଣିଲେ ଯେ -ସେ ଶନିବାର ଅପରାହ୍ନରୁ ମିଳୁନି!!
ଘଟଣାକୁ କିଛି ଦିନ ବିତି ଯାଇଥିଲେ ବି ରଘୁ କୁହେ “ଏ ଅପରାହ୍ନ ବି ଅବଶୋଷ କରୁଥିବ,କାହିଁକି ନା କେହି ନ ଜାଣୁ ନ ସେ ଜାଣିଛି ମୋହନ କୁଆଡେ ଗଲା।”ସେପଟେ ବାରମ୍ବାର ଖବର ଉଡୁଥିଲା ଯେ ଜଣେ ଯୁବ ବିଡ଼ିଓ ଶନିବାର ଅପରାହ୍ନରୁ ନିଖୋଜ ଆଉ ଏପଟେ ରାମଗଡ଼ର ପ୍ରତି ଅପରାହ୍ନ ଅବଶୋଷ କରୁଥିଲା ଗୋଟେ ପରିବର୍ତ୍ତନର ସ୍ୱରକୁ ହଜେଇ……
ସ୍ୱାଗତିକା ବେହେରା
କଟକ।।