ଅପରାହ୍ନର ଅବଶୋଷ
କଡ ଲେଉଟାଇବାକୁ ଚେଷ୍ଟା କରୁଥିଲେ ପ୍ରିତୀମଞ୍ଜରୀ l ଧୀରେ ଧୀରେ ଶରୀରକୁ ଘୁଞ୍ଚାଇ ଘୁଞ୍ଚାଇ ବାମ କଡ଼ ଲେଉଟାଇବାକୁ ଚାହିଁଲେ, କିନ୍ତୁ ନା, ହେଉନି… ଭାରି କଷ୍ଟ ଲାଗୁଛି l କଣ କରିବେ ଚିନ୍ତା କରିପାରୁନଥିଲେ, ଆଖିରୁ ଲୁହ ବାହାରି କାନରେ ପଶିଗଲାଣି l ଦୁର୍ବଳ ହାତ କାନରୁ ଲୁହ ପୋଛିବାକୁ ମଧ୍ୟ ଅକ୍ଷମ lଆଉ ଥରେ ଚେଷ୍ଟା କଲେ ଡାହାଣ କଡ ଲେଉଟାଇବାକୁ l ନା, ଯେତେ ଚେଷ୍ଟା କଲେ ବି ହେଉନି l ବାରମ୍ବାର ଚେଷ୍ଟା କରି ବିଫଳ ହେବା ସତ୍ତ୍ୱେ ସେ ହାର ମାନିପାରୁନାହାନ୍ତି l କାଳେ ପାରିବେ…. ସେଥିପାଇଁ ସେ ଆଶାବାଦୀ l
ଶୋଇ ଶୋଇ ଶରୀରଟା ଜଡ଼ ହୋଇଗଲାଣି lକାହାର ସାହାରା ନେଇ ଟିକେ ବସିବା ଓ ମଝିରେ ମଝିରେ କଡ ଲେଉଟାଇବାକୁ ତାଙ୍କର ଇଚ୍ଛା l ହେଲେ ପାରୁନାହାନ୍ତି, ସ୍ୱାମୀ ପ୍ରିୟରଞ୍ଜନ ଅଫିସ ଗଲାପରେ ଘରେ ସେ ସମ୍ପୂର୍ଣ୍ଣ ଏକୁଟିଆ l ଅଫିସ ଯିବା ପୂର୍ବରୁ ଯାହା କିଛି କାମ ତାଙ୍କର ସାରିଦେଇଯାଆନ୍ତି l ବାକି ଦିନସାରା ଓ’ଲୋ , ମା ‘ ଲୋ ହୋଇ କର୍ମ ଓ ଭାଗ୍ୟକୁ ନିନ୍ଦି, ଏ ଜୀବନ ଶୀଘ୍ର ଚାଲିଯାଉ ବୋଲି ଗୁହାରୀ କରନ୍ତି ପ୍ରୀତି ଈଶ୍ୱରଙ୍କ ଠାରେ lଏଇ ସମୟରେ ମନେପଡେ ପୁଅ, ବୋହୁ, ନାତିନାତୁଣୀଙ୍କ କଥା l ସେମାନେ ଥିଲେ ହୁଏତ ମନଟା କିଛି ପରିମାଣରେ ହାଲୁକା ହୋଇଯାନ୍ତା,ନାତି ନାତୁଣୀଙ୍କ ସହ କଥାବାର୍ତ୍ତା, ଥଟ୍ଟାମଜ୍ଜାକୁ ମନଭରି ଉପଭୋଗ କରିଥାନ୍ତେ, ହେଲେ ସେ ସୌଭାଗ୍ୟ କାହିଁ !
ପୁଅର ଇଚ୍ଛା ବୋହୂ ଏ ସମୟରେ ମା’ ପାଖରେ ରୁହନ୍ତା, ମା’ର ପସନ୍ଦ ମୁତାବକ ରାନ୍ଧିକି ଖୁଆନ୍ତା, ତା ମନକଥା ପାଖରେ ବସି ଶୁଣନ୍ତl, ଅବଶିଷ୍ଟ ଜୀବନଟା ସୁଖରେ ବିତିଯାଇଥାନ୍ତା l ” କିନ୍ତୁ ବୋହୂ ସିଧା ସିଧା ମନାକରିଦେଲା,କହିଲା, ” ରୋ ଗୀଣା ମା ପାଖରେ ପିଲା ଛୁଆ ଧରି ରହିବାଟା ଉଚିତ ହେବନି l ଯିଏ ତ ରୋଗରେ ପଡିଛି ପଡିଛି, ତାଙ୍କ ପାଇଁ ମୋ ଛୁଆଙ୍କୁ ରୋଗୀ କରିବି କି କଣ ! ତାପରେ କଣ ବା ସୁବିଧା ଅଛି ସେ ମଫସଲ ରେ ! ସେ ଗାଁ ସ୍କୁଲରେ ଯାହା ଛୁଆଙ୍କ ଭବିଷ୍ୟତ ମାଟି ହେବ l ” ଚମକିପଡ଼ିଥିଲେ ପ୍ରୀତିମଞ୍ଜରୀ, କିଛି କହିପାରିନଥିଲେ ସେ……
କେବଳ ସ୍ଵଗୋତକ୍ତି କରିଥିଲେ, ” ସେଇ ମଫସଲର ଗାଁ ସ୍କୁଲ ମୋ ପୁଅର ଭବିଷ୍ୟତ ମୂଳଦୁଆ ପକାଇଥିଲା ବୋଲି ତ… ତୁ ପସନ୍ଦ କରିଛୁ ତାକୁ ସ୍ୱାମୀ ଭାବରେ l”
ସେଦିନ ଯଦି ସେ ଡାକ୍ତରାଣୀଙ୍କ କଥା ଶୁଣିଥାନ୍ତେ… ଆଜି ଆଉ ପସ୍ତେଇବାକୁ ପଡ଼ିନଥାନ୍ତା l ପ୍ରଥମ ଗର୍ଭରେ କନ୍ୟାସନ୍ତାନ ଅଛି ଜାଣିବାପରେ କାହିଁକି କେଜାଣି ପୁତ୍ର ସନ୍ତାନ ପ୍ରତି ଆକୃଷ୍ଟ ହୋଇ ଡାକ୍ତରା ଣୀ ଙ୍କ ପାଖକୁ ଗର୍ଭ ନଷ୍ଟ ପାଇଁ ଯାଇଥିଲେ l ଡାକ୍ତରାଣୀ ତାଙ୍କୁ କନ୍ୟା ସନ୍ତାନର ମହତ୍ତ୍ୱ ବୁଝାଇଥିଲେ ଓ ଶେଷ ସମୟରେ ସେ ହିଁ ତୁମର ଆଶାବାଡି ହେବ ବୋଲି କହିଥିଲେ ଓ ଏ ବିଷୟରେ ଦଶ ଥର ଚିନ୍ତାକରି ନିର୍ଣ୍ଣୟ ନେବାକୁ ପରାମର୍ଶ ଦେଇଥିଲେ, କିନ୍ତୁ କେଉଁଠି ନା କେଉଁଠି ପୁତ୍ର ମୋହ ତାଙ୍କୁ ଗର୍ଭ ନଷ୍ଟ ପାଇଁ ପ୍ରବର୍ତ୍ତାଇଥିଲା l ସେଥିପାଇଁ ବୟସର ଅପରାହ୍ନରେ ସେ କନ୍ୟା ଭୃଣର ଅବର୍ତ୍ତମାନ ପାଇଁ ଦାୟୀ କରୁଛନ୍ତି ନିଜକୁ lନିଜ ଗୋଡ଼ରେ ନିଜେ ତ କୁରାଢ଼ୀ ମାରିଛନ୍ତି, ଆଜି ଭାବିଲେ ଆଉ ଲାଭ କଣ ? ଝିଅଟିଏ ଥିଲେ ଅନ୍ତତଃ ତାଙ୍କ ମନକଥା ବୁଝିପାରିଥାନ୍ତା,ଘଷା ଆଉଁସା କରିଦେଇଥାନ୍ତା, ମନକଥା ତାକୁ ଖୋଲି କହିପାରିଥାନ୍ତେ, ନ କହିବା ପୂର୍ବରୁ ସେ ବୁଝିପାରିଥାନ୍ତା ତାଙ୍କ ଆବଶ୍ୟକତା, ପାଖକୁ ସବୁ ଜିନିଷ ଯୋଗାଇଦେଇଥାନ୍ତା, ଧନ୍ୟ ହୋଇଯାଇଥାନ୍ତେ ଝିଅ ଜନ୍ମ କରି l ବୋହୂ ଯେତେହେଲେ ପର ଝିଅ, ତାର ବା କାହିଁକି ଦରଦ ହେବ ଯେ ! ପଡିଶାଘର ରାୟ ବାବୁଙ୍କ ଝିଅର ରୂପ, ଗୁଣ, ଚାଲିଚଳଣ, ଭକ୍ତି, ବ୍ୟବହାର, ସେବା, ଯତ୍ନ ଇତ୍ୟାଦି ଦେଖିଲେ ତାଙ୍କର ଝିଅ କଥା ମନରେ ଆସେ, ହୃତ ଅତୀତ ତାଚ୍ଛଲ୍ୟ କରେ l ରାୟ ବାବୁଙ୍କ ଝିଅ ବୟସର ହୁଅନ୍ତାଣି ସେ, ତାଙ୍କ ଝିଅର ଚେହେରାରେ କଳ୍ପନା କରନ୍ତି ନିଜ ଝିଅକୁ… ଯଦି ଗର୍ଭ ନଷ୍ଟ ନ କରିଥାନ୍ତେ…. ବୟସର ଅପରାହ୍ନରେ ତାଙ୍କୁ ଆଉ ହନ୍ତସନ୍ତ ଓ ଘାଣ୍ଟିସନ୍ତୁଳି ହେବାକୁ ପଡ଼ି ନ ଥାନ୍ତା…… କିନ୍ତୁ..
ସମୟ ଓ ଅତୀତ ତ ତାଙ୍କ ଠାରୁ ଢ଼େର ଦୁରକୁ ଚାଲିଗଲାଣି… ଢ଼େର ଦୂରକୁ …. ଖାଲି ଯାହା ଅଟକି ଯାଇଛି ଅବଶୋଷ ପ୍ରୀତିଙ୍କ ପାଖରେ..
ଚିନ୍ମୟୀ ମହାପାତ୍ର, ଅନଗୁଳ
Chinmayee Mohapatra, Angul.
Indescribable @ ଆପଣଙ୍କର ସାରଗର୍ଭକ ଲେଖା ଆଧୁନିକ ସମାଜ ପ୍ରତି ବାର୍ତ୍ତାବହ ହୋଇ ସାଜିବ l