ଅପରାହ୍ନର ଅବଶୋଷ
ଜୁନ ବାର ତାରିଖ ସନ୍ଧ୍ୟା ୬ ଟା ହୋଇଥିଲା ବୋଧେ | ଲାଲ ଶାଢ଼ୀ ପରିଧାନ କରି ମୁଣ୍ଡରେ ସିନ୍ଦୁର ଓ ହାତରେ ନାଲି ନେଲି ରଙ୍ଗବେରଙ୍ଗର ଚୁଡ଼ି ପିନ୍ଧି ଦୁଇ ତିନି ଜଣ ସାଥୀଙ୍କ ସହ ଚାଲି ଚାଲି ଆସୁଥିଲା କନକ | ବାହାଘର ପରେ ପ୍ରଥମ କରି ବାପଘରକୁ ଆସିଛି | ଆଖିରେ ଅସୁମାରୀ ଆଶା ଓ ଢେର ସାରା ଉତ୍କଣ୍ଠାକୁ ସାଇତି ରଖି ଗାଁ ବୁଲି ଆସିଛି | ଆଠ ଦିନ ହେଲା ଗାଁରୁ ଯାଇଛି ସତ , କିନ୍ତୁ ତାକୁ ଅନୁଭବ ହେଉଥିଲା ଯେପରି ଆଠ ବର୍ଷ ପରେ ଗାଁକୁ ଫେରିଛି | ସାଙ୍ଗ ମାନଙ୍କ ସହ ଖୁସିମେଳରେ ଯାଉ ଯାଉ ହଠାତ ଦେଖାହେଇଛି ତାର ପ୍ରଭାତ ସହିତ , ପ୍ରଭାତକୁ ଅକସ୍ମାତ ଦେଖି ସେ ସ୍ତବ୍ଧ ହେଇଯାଇଛି |
ସାଙ୍ଗ ମାନଙ୍କୁ ସଙ୍ଗେ ସଙ୍ଗେ କହିଛି, ” ତମେ ସବୁ ଆଗରେ ଯାଉଥାଅ, ମୁଁ ଯାଉଛି ”
ପ୍ରଭାତ କନକକୁ ଗୋଟେ ଲୟରେ ଅନେଇଛି ଏବଂ କନକ ମଧ୍ୟ ପ୍ରଭାତକୁ ଚାହିଁବା ସମୟରେ ଆଖିରେ ପଲକ ପଡୁନି | ଦୁଇ ଜଣଙ୍କ ଆଖିରେ ଆପେ ଆପେ ଲୁହ ଆସିଯାଇଛି | ପ୍ରଭାତ କହିଲା ” ଆଲୋ, କନକ ତୁ କୋଉ ଦିନ ଘରକୁ ଆସିଲୁ ? ତୁ କାନ୍ଦୁଛୁ କଣ ପାଇଁ ? ” କନକ ସଙ୍ଗେ ସଙ୍ଗେ ଆଖିରୁ ଲୁହ ପୋଛି ଉତ୍ତର ଦେଲା ” ଆଜି ଆସିଛି , ତମ ଆଖିରେ ଲୁହ କଣ ପାଇଁ ? ମୁଁ ଶୁଣିଥିଲି, ତମେ ବାହାରେ ରହି ବହୁତ ପଢୁଛ, ବଡ଼ ଚାକିରୀ କରୁଛ ? କୋଉ ଦିନ ଆସିଲ ଘରକୁ ? ” ପ୍ରଭାତ ଉତ୍ତର ଦେଲା, ତୋ ବାହାଘର ଯୋଉ ଦିନ ଥିଲା, ସେହି ଦିନ ଆସିଲି, ମାଇକ ବାଜୁଥିବାର ଶୁଣି ମାଆକୁ ପଚାରିଲି ” ଆଜି ଗାଁରେ କଣ ହେଉଛି ” ମାଆ କହିଲା, କନକର ବାହାଘର ଆଜି, ତୁ ଜାଣିଛୁ, ସେତେବେଳେ ମୋ ଛାତିରେ କଣ ଗୋଟେ ପଶିଗଲା ପରି ଲାଗିଲା ଲୋ, ଭାରି କଷ୍ଟ ହେଉଥିଲା, ଭାବୁଥିଲି ଯାଇକି ଟିକେ ତୋ କନିଆ ରୂପ ଦେଖିଆସିବି | ଛୋଟ ବେଳେ ତୁ ମୋର ମିଛିମିଛିକା କନିଆ ସାଜିଥିଲୁ, ଏବେ ସତରେ କେମିତି ଦେଖାହେଉଛୁ, ଦେଖିବାକୁ ତତେ ଭାରି ଇଚ୍ଛା ଥିଲା ଲୋ ; ଆଉ ଆଜି ଦେଖିଦେଲି ଆତ୍ମତୃପ୍ତି ହେଇଗଲା | କନକ କହିଲା, ତମକୁ ଆଉ କେତେ ଅପେକ୍ଷା କରିଥାନ୍ତି, ପନ୍ଦର – ଷୋଳବୟସ ର ଝିଅ ହେଇଗଲେ ଝୁଅ ବଡ଼ ହେଇଗଲାଣି, ବଡ଼ ହେଇଗଲାଣି କହି ଗାଁରେ ରଖେଇ ଥୋଇ ଦେଲେନି | ବୁଢ଼ା ବାପାର ଦେହ ଦିନକୁ ଦିନ ଖରାପ ହେଲା, ତମକୁ ଚାରି ବର୍ଷ ହେବ ଚାହିଁକି ରହିଥିଲି, ଶେଷରେ ବାଧ୍ୟ୍ୟ ହେଇ ବାହା ହେବାକୁ ପଡିଲା |
ପ୍ରଭାତ ଏ ସବୁ ଶୁଣି କହିଲା, ତୁ କଣ ଏକା ଚାହିଁକି ରହିଥିଲୁ, ମୁଁ ଵି ତତେ ପାଇବି ବୋଲି ଦିନ ଗଣୁଥିଲି | ତୋର ସେ ପୁରୁଣା ଦିନ କଥା ମନେ ଅଛି ନା, ପଦ୍ମ ନେବୁ ବୋଲି ଆମ ପୋଖରୀରୁ କେତେ ଜିଦ କରୁଥିଲୁ, ଭାରି ରାଗି ଥିଲୁ, ନାକ କାନ୍ଦୁରି ଥିଲୁ ଯେ, ଟିକେ କଣ କିଏ କହିଦେଲେ କାନ୍ଦିକି ଆସି ମତେ ଜୋରରେ ଜାବୁଡି ଧରି ସବୁ କଥା କହି ତାକୁ ପାଟି କରିବାକୁ କହୁଥିଲୁ | ନଈ ବାଲିରେ କେତେ ଆମ ନାଁ ଲେଖି, କେତେ ଘର କରି ଆମ ସ୍ୱପ୍ନକୁ ସାକାର କରିବାକୁ ଭାବୁଥିଲେ ; କିନ୍ତୁ ସବୁ ଧୂଳିସାତ ହେଇଗଲା | ଏ ଆକାଶରେ ଉଡ଼ିଯାଉଥିବା ଚଢେଇ, ଏ ମେଘୁଆ ପାଗ, ସେ ଅପରାହ୍ନରେ ଆମ୍ବଥୋଟା, ସେ ନଈ କୂଳ ଆଉ ଶିବ ମନ୍ଦିର ସବୁଠି ମତେ ଖାଲି ତୋରି ମୁହଁ ଦିଶୁଛି | ହଉ ଛାଡେ ସେ ସବୁ କଥା, ତୋ ଶାଶୁ ଘରେ ସବୁ ଭଲ ତ ? ଶାଶୁ ଶଶୁରଙ୍କ ଯତ୍ନ ନେବୁ, ସମସ୍ତଙ୍କ ମନ ଜାଣି କାମ କରିବୁ, ମୁଣ୍ଡରେ ସଦାବେଳେ ଓଢଣୀ ଦେବୁ | ଆଉ ବେଶୀ ହସିବୁନି ଲୋ ; କାହା ନଜର ଲାଗିଯିବ | ମୋ କଥା ଛାଡେ, ଆମେ ଯାଯାବର ଲୋକ, ତୁ ଖୁସିରେ ରହ, ସେଥିରେ ମୁଁ ଖୁସି | କନକ ଏ ସବୁ ଶୁଣି କେବଳ କାନ୍ଦୁଥିଲା ଆଉ ପୂର୍ବ ଦିନର ସେ ଅଭୁଲା ଅତୀତକୁ ସୁମରି ବହୁତ କିଛି ଭାବୁଥିଲା | ଆଉ ଶେଷରେ କହିଲା ” ତମେ ନିଜର ଯତ୍ନ ନେବ, ପ୍ରେମର ଶେଷ କଣ ବିବାହରେ ? ପ୍ରେମର ଶେଷ ଯଦି ବିବାହ ହୁଏ ତେବେ, କୃଷ୍ଣ ଙ୍କ ସହ ରାଧା ନାମ ରହିନଥାନ୍ତା ”
କିଛି ପ୍ରେମ ଏମିତି ଥାଏ, ଯାହାର ଶେଷ ନଥାଏ… ମୁଠାଏ ଆଶା, ପ୍ରତି ମୁହୂର୍ତ୍ତରେ ସନ୍ତୁଳି ହେବା ଏବଂ କିଛି ଅବଶୋଷକୁ ନେଇ ଜିଇଁଵା ବୋଧେ ପ୍ରେମର ଭିନ୍ନ ଏକ ପରିଭାଷା | ସେ ଅପରାହ୍ନର ବୋହୁବୋହୁକା ଖେଳ, ତମର ମୋର କନ୍ୟା-ବର ବେଶ……. ସବୁକିଛି କୁଆଡେ ହଜିଗଲା…..ଜୀବନରେ ବହୁତ କିଛି ଅବଶୋଷ ରହିଗଲା…..ସେପଟେ ସାଙ୍ଗ ମାନେ ଡାକୁଥିଲେ ” କନକ , ଶୀଘ୍ର ଆସେ.. ବର୍ଷା ଆସିଲାଣି… ତୋ ଶାଶୁ ଘରକୁ ଯିବାର ସମୟ ହେଇଗଲା ”
(କ୍ରମଶଃ )
Priyanka Priyadarshini Ray
Jaraka, jajpur