ଅପରାହ୍ନର_ଅବଶୋଷ
ମୁଁ ପତଳା ନିଦରେ । ଦେହ ଉପରେ ଭାଲୁ ଭଳି ରୁମୁରୁମିଆ କମ୍ବଳ । ମୁଣ୍ଡ ଉପରେ ଘୁରୁଥିବା ପଙ୍ଖା ସହ ଘୁରି ଚାଲିଥାଏ ମୋ ସ୍ମୃତି ସବୁ । ହଠାତ୍ ମଧ୍ୟମ ଗତିରେ ଘୁରୁଥିବା ପଙ୍ଖାଟି ତୀବ୍ର ଗତିରେ ଘୁରିବାକୁ ଲାଗିଲା । କମି ଯାଇଥିବା ଭୋଲ୍ଟେଜ୍ ପୁଣି ସାଧାରଣ ହୋଇଗଲା ବୋଧେ । ଝାଳ ବୁହା ଦେହକୁ ଏ ପବନ ଚନ୍ଦନ ବୋଳି ଦେଲା ଭଳି ଲାଗୁଥାଏ । ମୋ ନିଦ ଗାଢ଼ରୁ ଗାଢ଼ତର ହେଲା । ଏ ତକିଆଟା ତୁମ ପରଫ୍ୟୁମ୍ ଭଳି ବାସୁଥାଏ, ମୋତେ ଆଉ ଟିକେ ନିଶାସକ୍ତ କରିଦେଲା ସେ ।
ସ୍ୱପ୍ନରେ ଭାସି ଆସୁଥାଏ ସେଦିନର ଅପରାହ୍ନ ୪.୩୦, ଯେଉଁଦିନ ଶିଉଳିରେ ଖସି ପଡ଼ି ଡାହାଣ ହାତ ଭାଙ୍ଗିବା କାରଣରୁ ମୁଁ ପରୀକ୍ଷା ଦେଇ ପାରିନଥିଲି । ହାତ ସହ ସବୁ ସ୍ବପ୍ନ ସବୁ ଆଶା ବି ଭାଙ୍ଗିରୁଜି ଚୁରମାର ହୋଇ ଯାଇଥିଲା । ସମସ୍ତେ କହି ଚାଲିଥିଲେ ତୋ ହାତ ଆଉ ଭଲ ହେବନି, ସାରା ଜୀବନ ଏମିତି ଗୋଟିଏ ହାତରେ ବଞ୍ଚିବାକୁ ହେବ ତତେ । ଏ ନିରୁତ୍ସାହ ବାଣୀ ସବୁ ମୋତେ ଦୁର୍ବଳରୁ ଆହୁରି ଦୁର୍ବଳ କରି ଦେଉଥିଲା ।
ମେଡ଼ିକାଲ୍ ରେ କିନ୍ତୁ ତୁମ ହାତ ସ୍ପର୍ଶ ପାଇ ମୋ ସହ ମୋ ଆଶାମାନେ ବି ପୁଣି ଚେଇଁ ଉଠିଥିଲେ । ଯେଉଁ ହାତକୁ ଚାହିଁବାକୁ ସାହସ ହେଉ ନଥିଲା, ସେ ହାତରେ ପୁଣି ନିଜ ସ୍ବପ୍ନକୁ ଗଢ଼ିବାର ଚେଷ୍ଟାରେ ଲାଗିଗଲି ମୁଁ । କିନ୍ତୁ ସେଠି ବି ଅବଶୋଷ ରହିଗଲା । ଅପରାହ୍ନ ୩ ଟା ରେ ମୁଁ ଡିସଚାର୍ଜ ହେବା ଦିନ ତୁମେ ଆସିଲନି । ମୋ ହାତକୁ ହାତ ସଜେଇଥିବା ହାତଟି କୁଆଡ଼େ ଅଦୃଶ୍ୟ ହେଇ ଯାଇଥିଲା । ତା ହାତ ଧରି ବାଟ ଚାଲିବାର ସ୍ବପ୍ନ ଦେଖି ସାରିଥିଲି ମୁଁ, ହାତ ସିନା ଠିକ୍ ହେଇଗଲା କିନ୍ତୁ ସ୍ବପ୍ନ ପୁଣି ଭାଙ୍ଗିଗଲା ।
ଆଜି ପୁଣି ଅପରାହ୍ନ ହେଇ ସାରିଛି ଭାବି ଆଖି ଖୋଲିଲା ବେଳକୁ ଆଉ ଏକ ଅବଶୋଷ ଅପେକ୍ଷା କରିଥିଲା ମୋତେ । ପଙ୍ଖା ଶବ୍ଦରେ ମୁଁ ଶୁଣି ପାରି ନଥିଲି ଘଡ଼ଘଡ଼ିର ପ୍ରଚଣ୍ଡ ଚେତାବନୀ । ଆଉ କିଛି କ୍ଷଣ ମଧ୍ୟରେ ବର୍ଷା ଧୋଇ ଦେଇ ସାରିଥିଲା ବାଲକୋନୀ ଧାରରେ ଟଙ୍ଗା ହୋଇଥିବା ମୋର ଅକ୍ଲାନ୍ତ ପରିଶ୍ରମକୁ ।
କେତେ ଆଡ଼ୁ କେତେ ଅନୁରୋଧ ଆସିଥିଲା, କିନ୍ତୁ ମୁଁ ତୁମ ସ୍ନେହବୋଳା ଦୁଇ ହାତକୁ ହିଁ ଆଙ୍କିଥିଲି । ଏ ଚିତ୍ର କୁଆଡ଼େ ମୋ ଭାଗ୍ୟ ବଦଳେଇ ଦେଇଥାନ୍ତା । ମୋତେ ନୂଆଁ ପରିଚୟ ଦେଇଥାନ୍ତା । ମୋ ହାତ ଓ ସ୍ବପ୍ନକୁ ଜୀବନ୍ତ କରିଥିବା ସୁବର୍ଣ୍ଣ କରଯୁଗଳ ଦ୍ଵାରା ପରିଚିତ ହୋଇ ମୁଁ ଧନ୍ୟ ହୋଇଥାନ୍ତି । କିନ୍ତୁ ତୁମେ ବୋଧେ ତା’ ବି ଚାହୁଁ ନଥିଲ । ସମସ୍ତେ କୁହନ୍ତି ମଣିଷ ମରିଗଲା ପରେ ତାରା ହୋଇଯାଏ କିନ୍ତୁ ତୁମେ ବର୍ଷା ହୋଇ ଆସି ମୋତେ ପଙ୍ଗୁ କରି ଦେଇଗଲ ।
______________________________________
©️®️ ପ୍ରିୟଦର୍ଶିନୀ ମହାପାତ୍ର, ଗଞ୍ଜାମ