ମୁଁ କେବେ ନ ହାରିବି
ଦୁଃଖ ଦେଇ ଦେଇ ହାରିଯିବ ସିନା
ମୁଁ କେବେ ନ ହାରିବି
ହୃଦୟକୁ ମୋର ପାଷାଣ କରିଣ
ସବୁ ଦୁଃଖ ସହି ଯିବି ।
ମୋ ଆଖିରୁ ଯଦି ଟୋପାଟିଏ ଲୁହ
ତୁମେ ପୋଛି ନ ପାରିଲ
କେଉଁ ଅଧିକାରେ ସେ ଆଖିରେ ତୁମେ
ଲୁହ ବନ୍ୟା ସୃଷ୍ଟି କଲ
ଭକତର ବନ୍ଧୁ ବୋଲି ତୁମ ନାମେ
ଲୁହ ସଦା ଝରାଇବି
ଦୁଃଖ ଦେଇ ଦେଇ ହାରିଯିବ ସିନା——
ମୋ ଦୁଃଖରୁ ଯଦି ଗୋଟିଏ ଵି ଦୁଃଖ
ତୁମେ ନେଇ ନ ପାରିଲ
କେଉଁ ଅଧିକାରେ ମୋ ଉପରେ ତୁମେ
ଦୁଃଖ ପାହାଡ ଲଦିଲ
ଦୁନିଆ ଯା କହେ ଦୁଃଖ ହାରି ବୋଲି
କେମିତି ଅବା କହିବି
ଦୁଃଖ ଦେଇ ଦେଇ———-
ମୋ ମନର କୋହ ଦୂରେଇବା ପାଇଁଁ
ଭାଷା ଯଦି ତୁମ ନାହିଁଁ
ମୋ ସରଳ ହୃଦେ କୋହ ଭରିଦେଲ
କୁହ ପ୍ରଭୁ କାହିଁ ପାଇଁଁ
ତୁମ ବିନା ପ୍ରଭୁ କିଏ ଅଛି ଆଉ
କାହାକୁ ଅବା କହିବି
ଦୁଃଖ ଦେଇ ଦେଇ——–
ତୁମକୁ ଆଶରା କରିଥିଲି ବୋଲି
ଆଜି ଏତେ ଦୁଃଖ ଦେଲ
ଭକତ ବତ୍ସଳ ହୋଇ ମୋ ପାଇଁକି
ମୁକ ବଧିର ସାଜିଲ
ଦୁଃଖ ହାରି ବୋଲି କହେ ଯା ଜଗତ
ବିଶ୍ବାସ ମୁଁ କି କରିବି
ଦୁଃଖ ଦେଇ ଦେଇ ହାରିଯିବୁ….।
ଶାନ୍ତି ଲତା ରଥ
ଅନୁଗୋଳ