ସମୟ ମାଗୁଛି ସମ୍ମାନ ଟିକେ
ସମୟ ତ ଆଜି ସଂସାର ରେ ଖୋଜି
ପାଉନି ପ୍ରେମରେ ସମ୍ମାନ ସତେ,
ସମ୍ମାନ ବୋଲି ଯା’ ହେଉଛି ଆହୁଜା
ବଜାର ଧର୍ମରେ କେଉଁଠି କେତେ!
ମାନ ଘେନି ସ୍ଥାନ ମିଳୁନି ସମ୍ମାନ
ମିଳେ ପ୍ରିୟା ପ୍ରୀତି ତୋଷଣ ମାନି,
ଗଳା ବାଟ ଜାଣି ଅର୍ଥର ଭରଣି
ସଙ୍ଗତେ ସମ୍ମାନ ଆଣଇ ଟାଣି,
ଇଏତ ବଜାର ଚାଲେ କାରବାର
ସମ୍ମାନ ସନନ୍ଦ ସୁଲଭ ଯେତେ,
ସମୟ ତ ଆଜି ସଂସାର ରେ ଖୋଜି
ପାଉନି ପ୍ରେମରେ ସମ୍ମାନ ସତେ!
ପ୍ରତିଯୋଗିତାର ଅଧିକ ଆଧାର
ନିରପେକ୍ଷତାର ଅଭାବେ ଗଢ଼ା,
ପ୍ରଶଂସା ପତର ମୂଲ୍ୟହୀନତାର
ଭାବରେ ସମାଜେ ହୁଏ ଅଲୋଡ଼ା!
ଏତ ଗଲା କଥା ପ୍ରତିଯୋଗୀ ବ୍ୟଥା
ସମାଜେ ସମ୍ମାନ କଥାକୁ ଦେଖ,
ପିତା ମାତା ଗୁରୁ ଭାବ ଅଭାବରୁ
ହଜିଲା ସମ୍ମାନ ବୁଝି ପରଖ,
ପିତା ମାତା ଭୋଗ ନିର୍ବାସନ ଯୋଗ
ଗୁରୁଙ୍କ ଗୁରୁତ୍ୱ ଚ୍ୟୁତ ଯେମନ୍ତେ,
ସମ୍ମାନ ବୋଲି ଯା’ ହେଉଛି ଆହୁଜା
ବଜାର ଧର୍ମରେ କେଉଁଠି କେତେ!
ଗୁଣୀ ଜନ ମାନ ରଖନ୍ତି ଅକ୍ଷୁର୍ଣ୍ଣ
ପଣରେ ପ୍ରଦାନ କରନ୍ତି ପୁଣି,
ସଜ୍ଜନ ମଣ୍ଡଳି ଗୁଣ ଜ୍ଞାନ କଳି
ସମ୍ମାନ ସଦ୍ ଜ୍ଞାନେ ବରନ୍ତି ଜାଣି!
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ,
୯୫୮୩୪୩୮୧୭୪